• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବନ୍ୟାଞ୍ଚଳରେ ପାଣି କମୁଛି, ହେଲେ ପିଇବା ପାଣିକୁ ନେଇ ଚିନ୍ତା ବଢୁଛି । ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲା ଆଜିକୁ ୪-୫ ଦିନ ଧରି ବନ୍ୟାରେ ଭାସୁଥିବାରୁ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳର ଦେଖାଦେଇଛି ଉତ୍କଟ ଅଭାବ । ପ୍ରଭାବିତ ଅଞ୍ଚଳରେ କୂଅ ଓ ନଳକୂଅ ପାଣିରେ ବୁଡ଼ିଥିବା ଏବଂ ବିଜୁଳି ନଥିବାରୁ ପାଣି ପାଇଁ ଆଉଟୁପାଉଟୁ ହେଉଛନ୍ତି ଲୋକେ । ବହୁ ସ୍ଥାନରେ ବିପନ୍ନଙ୍କ ଅଭିଯୋଗ, ରିଲିଫ୍ ତ ଦୂରର କଥା, ପ୍ରଶାସନ ପକ୍ଷରୁ ସେମାନଙ୍କ ନିକଟରେ ଶୁଦ୍ଧ ପାନୀୟ ଜଳ ଟିକେ ବି ପହଞ୍ଚି ପାରିନି ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ଚତୁର୍ଦ୍ଦିଗ ପାଣି ଆଉ ପାଣି । କିନ୍ତୁ ତାରି ଭିତରେ ପିଇବା ପାଣି ପାଇଁ ଛଟପଟ ଜୀବନ । ଦିନ ଦିନ ଧରି ବିପନ୍ନଙ୍କ ପାଖରେ ପହଞ୍ଚି ପାରୁନି ଟୋପାଏ ଶୁଦ୍ଧ ପିଇବା ପାଣି । କଟକ ଜିଲ୍ଲା ଉତ୍ତର ବାଙ୍କୀ ମଣିପୁର ଗାଁରେ ପିଇବା ପାଣି ପାଇଁ ଲୋକଙ୍କୁ ଯିବାକୁ ପଡୁଛି ୨ କିଲୋମିଟର ଦୂର ।

ସେହିଭଳି ବନ୍ୟାର ୪ ଦିନ ପରେ ବି ସ୍ଥାନୀୟ ଗଉଡ଼ପଦା ଗାଁର ୪୫୦ରୁ ଅଧିକ ପ୍ରଭାବିତଙ୍କ ପାଖରେ ପହଞ୍ଚିପାରିନି ପାନୀୟ ଜଳ । ତେଣୁ ଲୋକେ ବନ୍ୟା ପାଣିରେ ବୁଡ଼ି ରହିଥିବା କୂଅରୁ ଜଳ ସଂଗ୍ରହ କରି ତାକୁ ହିଁ ଫୁଟାଇ ପିଇବାକୁ ବାଧ୍ୟ ହେଉଛନ୍ତି । ବନ୍ୟା ଘେରରେ ରହିଥିବାରୁ ବାଙ୍କୀ କରବର ଗାଁ ଲୋକଙ୍କ ପାଇଁ ଏବେ ବିଶୁଦ୍ଧ ପାଣି ଟୋପାଏ ପାଇବା ସ୍ୱପ୍ନ । ଲୋକଙ୍କ ଅଭିଯୋଗ, ୬ ଦିନ ଧରି ବନ୍ଧ ଉପରେ ଆଶ୍ରୟ ନେଇଛୁ, ହେଲେ ସେମାନଙ୍କ ନିକଟରେ ଏଯାଏଁ ପାଣି ମୁନ୍ଦାଏ ଦେବାକୁ ସଫଳ ହୋଇନି ପ୍ରଶାସନ ।

ଖୋର୍ଦ୍ଧା ବାଲିପାଟଣା ବ୍ଲକ ଦେଇ ଯାଇଥିବା ଭାର୍ଗବୀ ନଦୀର ଅଚ୍ୟୁତପୁର କାଜରୁ ଉଚ୍ଛୁଳା ପାଣି ସ୍ଥାନୀୟ ପମ୍ପାଲୋ, କୁରୁଜିପୁର, ରାଜସ, ଆଳିସି, ସୋମନ, ପ୍ରଧାନ ଭଳି ୫ରୁ ଅଧିକ ପଞ୍ଚାୟତକୁ ବୁଡାଇ ରଖିଛି । ଗାଁରୁ ପାଣି ଧିରେ ଧିରେ କମୁଥିଲେ ବି ଏଯାଏଁ ସଚଳ ହୋଇନି ନଳକୂପ । ତେଣୁ ପିଇବା ପାଣି ବିନା ସମ୍ଭବ ହେଉନି ରୋଷେଇ ବାସ କି ଖାଇବା ପିଇବା । ପ୍ରଶାସନ ବି ସବୁ ଗାଁକୁ ଶୁଦ୍ଧ ପିଇବା ପାଣି କିମ୍ବା ହାଲୋଜିନ ବଟିକା ଯୋଗାଇବାରେ ସଫଳ ହୋଇନି ।

ସେହିଭଳି ଖୋର୍ଦ୍ଧା ଜିଲ୍ଲାର ଓରବରସିଂହ, ବ୍ରଜମୋହନପୁର ଓ ନରଣଗଡ଼ ଭଳି ୧୫ରୁ ଅଧିକ ପଞ୍ଚାୟତରେ ପିଇବା ପାଣିର ଘୋର ଅଭାବ । ଏବେ ବି ପାଣି ଭିତରେ ବୁଡି ରହିଛି କୂଅ, ନଳକୂଅ ଓ ପାଇପ ଜଳ ବ୍ୟବସ୍ଥା ।