• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସମ୍ବଲପୁର : ଶୀତର ପ୍ରକୋପ ଅଧିକାଂଶ ସ୍ଥାନରେ ବଢିଛି । ସକାଳ ହେଲା ମାତ୍ରେ ଘରୁ ବାହାରକୁ ବାହାରିବାକୁ ମନ କରୁନାହାନ୍ତି ଲୋକେ । ହେଲେ ଯେଉଁ ମାନଙ୍କର ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ, ସେମାନେ ଅତି ଦୟନୀୟ ଅବସ୍ଥାରେ ରାତି କାଟୁଛନ୍ତି । ସମ୍ବଲପୁର ସହରରେ କିଏ ଖୋଲା ଆକାଶ ତଳେ ତ କିଏ ରାସ୍ତା କଡରେ ଏବଂ ଆଉ କିଏ ରେଳଷ୍ଟେସନରେ ଶୀତରେ ଥରି ଥରି କାଟୁଛନ୍ତି ରାତି । ରାତ୍ରି ଆଶ୍ରୟସ୍ଥଳୀ ବ୍ୟବସ୍ଥା ରହିଛି, ହେଲେ ସବୁଠି ଖାଁ ଖାଁ ।

ରାତି ପ୍ରାୟ ୧୨ଟାରେ ସମ୍ବଲପୁର ଚର୍ଚ୍ଚ ଛକ ନିକଟରେ ଦୋକାନ ବାରଣ୍ଡାରେ ଜଣେ ବ୍ୟକ୍ତି ଖାଦ୍ୟ ଖାଉଥିବା ଦେଖିବାକୁ ମିଳୁଛି । ଆଉ ତାଙ୍କ ପାଖେ ପାଖେ ବୁଲା କୁକୁର । ଖାଇ ସାରିବା ପରେ ଶୀତ କାକରରେ ସେହି ବାରଣ୍ଡାରେ ଶୋଇ ପଡ଼ିଛନ୍ତି । ତାଙ୍କ କହିବାନୁଯାୟୀ, ନିଜର ଘର ନାହିଁ ସେ ଭିକ୍ଷାବୃତ୍ତି କରି ଏଠାରେ ଚଳୁଛନ୍ତି । ରାତି ହେଲେ ବର୍ଷ ତମାମ ଏଠାରେ ହିଁ ଏମିତି ଶୁଅନ୍ତି । ଫାଟକ ଷ୍ଟେସନ ନିକଟରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି । ସେଠାରେ ସିମେଣ୍ଟ ପିଣ୍ଡିରେ ଅନେକ ଲୋକ ଘୋଡେଇ ହୋଇ ଶୋଇଛନ୍ତି । ନିଜସ୍ୱ ଘର ନଥିବାରୁ ଏହି ସ୍ଥାନ ପାଲଟିଛି ତାଙ୍କ ରାତି ଠିକଣା ।

ସମ୍ବଲପୁର ମହାନଗର ନିଗମ ପକ୍ଷରୁ ବାସହୀନଙ୍କ ରାତ୍ରୀ ରହଣୀ ପାଇଁ ରହିଛି ବ୍ୟବସ୍ଥା । କିନ୍ତୁ ଖୋଲା ଆକାଶ ତଳେ ରହୁଥିବା ଲୋକଙ୍କ ପାଖରେ ହୁଏତ ଏହି ସୂଚନା ନାହିଁ । ସେହିପରି ରିକ୍ସା ଚାଳକ ମୁରଲୀ ପ୍ରାୟ ୩୦ ବର୍ଷ ହେଲା ସେ ସମ୍ବଲପୁରରେ ରହି ରିକ୍ସା ଚଳାଇ ପରିବାର ପୋଷଣ କରୁଛନ୍ତି । ହେଲେ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ଫାଟକ ସାମ୍ନା ରାସ୍ତାରେ ରିକ୍ସା ନିକଟରେ ମଶାରି ଟାଙ୍ଗି ରାତି କଟାଇ ଦେଉଛନ୍ତି । ଥରେ ସେ ରାତ୍ରୀ ଆଶ୍ରୟସ୍ଥଳୀକୁ ଯାଇଥିଲେ କିନ୍ତୁ ସେଠାରେ ରହିବାକୁ ମନା କରାଯାଇଥିଲା ବୋଲି ସେ କହିଛନ୍ତି ।

ସେପଟେ ସମ୍ବଲପୁର ସଦର ହସପିଟାଲ ପରିସରରେ ଥିବା ରାତ୍ରୀ କାଳୀନ ଆଶ୍ରୟସ୍ଥଳୀର ସ୍ଥିତି ମଧ୍ୟ ଭଲ ନାହିଁ । ମୁଖ୍ୟ ପ୍ରବେଶ ପଥଟି ଷ୍ଚିଲରେ ତିଆରି ହୋଇଥିବା ବେଳେ କେତୋଟି ପାହଚ ଭାଙ୍ଗିଯାଇଛି । ଫଳରେ ଆହାର କେନ୍ଦ୍ର ଭିତର ପଟ ଦେଇ ଯିବାକୁ ପଡୁଛି । ଏଠାରେ ୨ଟି ରୁମ ଓ ୫ଟି ବେଡ ରହିଛି । କିନ୍ତୁ ସବୁ ରୁମ୍ ଫାଙ୍କା ଅଛି । କମିସନର କହିଛନ୍ତି,ଏବେ ମହାନଗର ନିଗମ ଅଂଚଳରେ ମୋଟ ୪ଟି ରାତ୍ରୀ ଆଶ୍ରୟସ୍ଥଳ କାର୍ଯ୍ୟ କରୁଛି, ମୋଟ ୪୦ ଟି ବେଡ ରହିଛି । କୌଣସି ଅସୁବିଧା ନାହିଁ ।