• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାସୁଦେବପୁରରୁ( କିରୀଟି ଦାସ) : ମୌସୁମୀର ଲୁଚକାଳି ଖେଳ ପାଇଁ ନିଅଣ୍ଟିଆ ବର୍ଷା । ଫଳରେ ଚାଷୀଙ୍କ ପରି ମତ୍ସ୍ୟଜୀବୀ ବି ଚିନ୍ତାରେ ପଡିଛନ୍ତି । ବର୍ଷା ଅଭାବରୁ ଜାଲରେ ମାଛ ପଡୁନାହାନ୍ତି । ପ୍ରଜନନ ଋତୁର ଅବଧି ସରିବା ପରେ ସମୁଦ୍ରକୁ ମାଛ ମାରିବାକୁ ବୋଟ ନେଇ ଯାଉଥିବା ମତ୍ସ୍ୟଜୀବି ମାଛ ନପାଇ ନିରାଶରେ ଫେରୁଛନ୍ତି । ସମୁଦ୍ରରୁ ଆଶାନୁରୂପକ ମାଛ ମିଳୁ ନଥିବାରୁ ବୋଟ ପଠାଇବାକୁ ମାଲିକ ମାନେ ଆଉ ରାଜି ହେଉ ନାହାନ୍ତି । ଯାହାକୁ ମତ୍ସ୍ୟଜୀବୀଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି । ଜାଲରେ ମାଛ ନପଡ଼ିଲେ ପରିବାର କିପରି ଚଳିବ, ସେଥିପାଇଁ ଚିନ୍ତାରେ ।

ମାଛ ମାନଙ୍କ ପ୍ରଜନନ ଋତୁରେ ସମୁଦ୍ରରୁ ମାଛ ମାରିବା ଉପରେ କଟକଣା ରହିଥିଲା । ସରକାରଙ୍କ ମତ୍ସ୍ୟ ବିଭାଗର ନିୟମ ଅନୁସାରେ ଏପ୍ରିଲ ୧୫ରୁ ଜୁନ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ମାନଙ୍କ ବଂଶ ବୃଦ୍ଧି ପାଇଁ ୬୧ ଦିନିଆ କଟକଣା ଜାରି କରାଯାଇଥାଏ । ଏହି କଟକଣା ଉଠିବା ପରେ କର୍ମଚାରୀଙ୍କ ଠାରୁ ମାଲିକ ମାନେ ବେଶି ଖୁସି ହୋଇଥିଲେ । ସମୁଦ୍ରରେ ଭଲ ମାଛ ହେବ ଆଉ ଦୁଇ ପଇସା ରୋଜଗାର ହେବ । ସେଥିପାଇଁ ମାଲିକ ମାନେ ସମସ୍ତ ଆନୁସଙ୍ଗିକ କାମ ସାରି ବୋଟକୁ ମାଛ ମାରିବାକୁ ସମୁଦ୍ରକୁ ପଠାଇଥିଲେ । ଆଶାନୁରୂପ ମାଛ ଜାଲରେ ପଡିବେ ବୋଲି ଆଶା କରିଥିଲେ ମାଲିକ ମାନେ । ଦୁଇମାସ ମାଛଧରା ବନ୍ଦ ପରେ ବି ସମୁଦ୍ରରେ ଆଗପରି ମାଛ ମିଳୁନି । ଯାହାବି ମାଛ ଜାଲରେ ପଡୁଛି ଲାଭ ତ ଦୂରକଥା, ଖର୍ଚ୍ଚ ଉଠୁନି ।

ଚଳିତ ବର୍ଷ ଆଶାନୁରୂପକ ବର୍ଷା ହେଉନଥିବାରୁ ସମୁଦ୍ରରେ ମାଛ ପଡୁ ନାହାନ୍ତି । ବର୍ଷା ସହ ପୂର୍ବାଳୀ ପବନ ବହିଲେ ମଧୁର ଜଳ ପାଇ ମାଛମାନେ ସମୁଦ୍ରରୁ ଉପର ମୁହାଁ ହୋଇଥାନ୍ତି । ପ୍ରତି ବର୍ଷ ଏହି ସମୟରେ ସମୁଦ୍ରରେ ପ୍ରଚୁର ପରିମାଣରେ ମାଛ ମିଳିଥାନ୍ତି । ଏଥର ଇଲିସ ମାଛ ତ ମିଳିବା ଦୂରର ଅନ୍ୟାନ ଛୋଟ ମାଛ ବି ଆଶାନୁରୂପକ ମିଳୁନାହିଁ । ସ୍ୱଳ୍ପ ବର୍ଷା ଓ ପବନର ବେଗ ବଦଳୁନଥିବାରୁ ସମୁଦ୍ରରେ ମାଛ ହେଉନଥିବା ମତ୍ସ୍ୟଜୀବୀ କହିଛନ୍ତି । ଅନ୍ୟପଟେଙ୍କ କର୍ମଚାରୀ ଦରମା ସହ ବୋଟର ତେଲ ଖର୍ଚ୍ଚ ଓ ଅନ୍ୟାନ ଆନୁସଙ୍ଗିକ ଖର୍ଚ୍ଚକୁ ହିସାବ କରି ବୋଟମାଲିକ ମାନେ କିଛି ଲାଭ ପାଉ ନଥିବା କହୁଛନ୍ତି ।

ବୋଟ ମାଲିକଙ୍କ କହିବା କଥା ଗୋଟିଏ ଥର ବୋଟ ଫିସିଙ୍ଗ୍ ଯିବାକୁ ପାଖାପାଖି ତିରିଶ ହଜାରରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ସମୁଦ୍ରରେ ୪/୫ ଦିନ ମାଛଧରି ଫେରିବା ପରେ ମାତ୍ର ୧୦ରୁ ୧୫ହଜାର ଟଙ୍କାର ମାଛ ମିଳୁଛି । ଯେଉଁଥି ପାଇଁ ବୋଟ ମାଲିକ ମାନେ ସମୁଦ୍ରକୁ ବୋଟ ନେବା ବନ୍ଦ କରିଦେଲେଣି । ବାସୁଦେବପୁର ବ୍ଲକର ଚୂଡାମଣୀ, କଶିଆ, ପଢୁଆଁ, ମୋହନପୁର ଆଦି ସମୁଦ୍ର ମୁହାଁଣରେ ହଜାରରୁ ଉର୍ଦ୍ଧ ଛୋଟବଡ ବୋଟ ମାଛ ମାରିବାକୁ ସମୁଦ୍ରକୁ ଯାଇଥାନ୍ତି । ସମୁଦ୍ର ମାଛ ଉପରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ୨୦ହଜାରୁ ଉର୍ଦ୍ଧ ପରିବାର ନିର୍ଭର କରନ୍ତି । ଚଳିତ ବର୍ଷ ନିଅଂଟିଆ ବର୍ଷା ମତ୍ସ୍ୟଜୀବୀଙ୍କ ସହ ବୋଟ ମାଲିକ ମାନଙ୍କୁ ଚିନ୍ତାରେ ପକାଇଛି ।