• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହାନଦୀରେ ପାଣି କମୁଥିବାରୁ ଅପରାହ୍ଣ ୩ଟା ପରେ ବନ୍ଦ ହୋଇପାରେ ହୀରାକୁଦର କିଛି ଗେଟ୍ । ବନ୍ୟା ସ୍ଥିତି ନେଇ SRC ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ଏବେ ହୀରାକୁଦକୁ ୪ ଲକ୍ଷ ୪୦ ହଜାର କ୍ୟୁସେକ୍ ଜଳ ପଶୁଛି । ସେହିପରି ହୀରାକୁଦରୁ ୬ ଲକ୍ଷ ୭୪ ହଜାର କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।

ହୀରାକୁଦର ଜଳସ୍ତର ୬୨୪.୪୩ ଫୁଟ ଥିବାବେଳେ ୬୨୨କୁ ଖସାଇବାକୁ ଉଦ୍ୟମ କରାଯାଉଛି । ଆଜି ଅପରାହ୍ନ ୩ଟା ସୁଦ୍ଧା ୬୨୪ ଫୁଟ ତଳକୁ ଆସିଯିବାର ସମ୍ଭାବନା ରହିଛି । କାଲି ସଂଧ୍ୟା ସୁଦ୍ଧା ୬୨୨ ଫୁଟ ତଳକୁ ଆଣିବାକୁ ଚେଷ୍ଟା କରାଯିବ । ତେବେ ଏନେଇ ଆଜି ୩ଟା ପରେ ସମୀକ୍ଷା କରି କିଛି ଗେଟ୍ ବନ୍ଦ କରାଯାଇପାରେ ବୋଲି ସେ କହିଛନ୍ତି ।

ସେହପରି ମୁଣ୍ଡଳିରେ ଜଳସ୍ତର କମୁଛି ବୋଲି କହିଛନ୍ତି ହୀରାକୁଦରୁ । ଦିନ ୧୧ଟାରେ ୧୦.୨୬ ଲକ୍ଷ କ୍ୟୁସେକ୍ ଚାଲିଛି । ବିଭିନ୍ନ ସ୍ଥାନରେ ପ୍ରାୟ ୨ ଫୁଟ ଜଳସ୍ତର କମିଯାଇଛି । କେବଳ କଣାସ ଅଞ୍ଚଳରେ ପାଣି ଛାଡ଼ିବାକୁ ସମୟ ଲାଗିବ । ମହାନଦୀ ସିଷ୍ଟମରେ ମୋଟ ୭ଟି ଘାଇ ହୋଇଛି । ଆଉ ତା’ପରେ କାଲିଠାରୁ କୌଣସି ଠାରେ ନୂଆ ଘାଇ ସୃଷ୍ଟି ହୋଇନି ।

ଆଜିଠାରୁ ହେବାକୁ ଥିବା ବର୍ଷା ଓ ପ୍ରସ୍ତୁତି ନେଇ ମଧ୍ୟ ସୂଚନା ଦିଆଯାଇଛି । IMD ଆକଳନ ଅନୁସାରେ ଲଘୁଚାପ ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ୧୮ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ । ସେହିପରି ଉପକୂଳ ଓଡ଼ିଶାରେ ଆଜି ସଂଧ୍ୟାରୁ ୨୦ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ୨୦ ଏବଂ ୨୧ରେ ବର୍ଷା ହେବ । ତେବେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ନଥିବା କହିଛି IMD । ଉପର ମୁଣ୍ଡରେ ସର୍ବାଧିକ ୫୦ ମିମି ବର୍ଷା ନେଇ ସରକାର ପ୍ରସ୍ତୁତ ଅଛନ୍ତି । ୨୧ ସୁଦ୍ଧା ହୀରାକୁଦକୁ ଅତି ବେଶିରେ ୫.୫ ଲକ୍ଷ ଇନଫ୍ଲୋ ରହିବ । ପରେ ଡ୍ୟାମ୍ ୬୨୧କୁ ଆସିଯାଇଥିବ, ସୁତରାଂ ତଳକୁ ଅଧିକ ପାଣି ଛଡ଼ାଯିବ ନାହିଁ । ଜଳ ନିୟନ୍ତ୍ରଣ ଦ୍ୱାରା ମହାନଦୀ ସିଷ୍ଟମରେ ବଡ଼ ସମସ୍ୟା ହେବନି । ଏବେ ଯାହା ପାଣି ଯାଉଛି, ତାଠାରୁ କମ୍ ପାଣି ଯିବା ଆକଳନ କରାଯାଉଛି ।