Advertisment

ଦୁଇ ପାଣିପାଗ ସଂସ୍ଥାର ପୂର୍ବାନୁମାନ: ପାରାଦୀପ ପାଖାପାଖି ଲ୍ୟାଣ୍ଡଫଲ୍ କରିବ ବାତ୍ୟା

୧୮ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।

author-image
Chandan Shishu
Windy Forecast

Windy Forecast

ବୈଶାଖରେ ପୁଣି ବାତ୍ୟା। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମେ ଦକ୍ଷିଣପୂର୍ବ ବଙ୍ଗୋପସାଗର ମୁହାଁ ହେଉଛି। ତେଣୁ ପାଗ ଅନୁକୂଳ ଥିବାରୁ ଧିରେ ଧିରେ ଦାନା ବାନ୍ଧୁଛି ବାତ୍ୟା। ବଳ ଗୋଟାଉଛି ସମୁଦ୍ର ଭିତରେ। ଆସନ୍ତାକାଲି ସୁଦ୍ଧା ଏହି ଲଘୁଚାପ ଅବପାତରେ ପରିଣତ ହେବା ପରେ ୮ ତାରିଖ ରବିବାର ସଂଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ।

Advertisment

ଏହି ସମୟରେ ସମୁଦ୍ର ଭିତରେ ପବନର ବେଗ ଘଣ୍ଟାକୁ 80ରୁ 90 କିଲୋମିଟର ରହିବ। ସଂଧ୍ୟା ବେଳେ ଉପକୂଳମୁହାଁ ହୋଇ ପବନର ବେଗ ଆହୁରି ବଢ଼ିବ। ଏହାପରେ ୧୦ ତାରିଖରେ ଏହି ବାତ୍ୟା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ନିକଟକୁ ଆସିବା ସମ୍ଭାବନା ରହିଛି। କିନ୍ତୁ ନିର୍ଦ୍ଧିଷ୍ଟ ଭାବେ କେଉଁଠି ଲ୍ୟାଣ୍ଡଫଲ୍ କରିବ ? ଲ୍ୟାଣ୍ଡଫଲ୍ ବେଳେ ଏହାର ପ୍ରଭାବ କେତେ ରହିବ ? ବର୍ତ୍ତମାନ ତାହା ପୂର୍ବାନୁମାନ କରାଯାଇନାହି ବୋଲି ସ୍ପଷ୍ଟ କରିଛନ୍ତି ଆଇଏମ୍‌ଜି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। 

ଏବେ ଦେଖିବା, ଏହି ବାତ୍ୟାକୁ ନେଇ କେଉଁ ମଡେଲ୍ କି ସଙ୍କେତ ଦେଉଛି। ଇଣ୍ଡିଆନ୍ ନ୍ୟାସନାଲ ସେଣ୍ଟର ଫର ଓସେନ୍ ଇନଫର୍ମେସନ୍ ସର୍ଭିସ୍ ବା ଇନକୋଇସ୍‌ ଆକଳନ ଅନୁଯାୟୀ, ଯଦି ଏହି ବାତ୍ୟା ସ୍ଥଳଭାଗ ମୁହାଁ ହୁଏ, ତେବେ ୧୦ ତାରିଖବେଳକୁ ପାରାଦୀପ ପାଖାପାଖି ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ରହିଛି। ସେହିପରି ଓ୍ବିଣ୍ଡିର ମଡେଲ୍ ମଧ୍ୟ ଆସନ୍ତା ୧୦ ତାରିଖରେ ସେହି ପାରାଦୀପ ଆଖପାଖରେ ମାଡ଼ ହୋଇପାରେ ବୋଲି ପୂର୍ବାନୁମାନ କରୁଛି। ଏଭଳି ବାତ୍ୟା ଖବର ପରେ ସମୂଦ୍ର ଉପକୂଳିଆ ପୁଣି ଛାନିଆ ହୋଇଛନ୍ତି। 

Advertisment

ସମ୍ଭାବ୍ୟ ବାତ୍ୟାକୁ ନେଇ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ଆକ୍ସନ ପ୍ଳାନ୍। ଜିଲ୍ଲା ଜରୁରୀକାଳୀନ ଅପରେସେନ୍ ସେଣ୍ଟର, କଣ୍ଟ୍ରୋଲ୍ ରୁମ୍, ବାତ୍ୟା ଆଶ୍ରୟସ୍ଥଳୀ ଆଦି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଫୋକସ୍‌ରେ ରହିଛି ଉଦ୍ଧାର ଓ ରିଲିଫ୍ ପରିଚାଳନା। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା। NDRF, ଓଡ୍ରାଫ୍, ଅଗ୍ନିଶମ ଟିମ୍‌କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।

ସେପଟେ ଶକ୍ତି ବିଭାଗ ପକ୍ଷରୁ ମଧ୍ୟ ଓ୍ୱାରରୁମ୍ ପ୍ରସ୍ତୁତ କରାଯାଇଛି। ଓପିଟିସିଲ୍ ଓ ଅନ୍ୟ ଡିଷ୍ଟ୍ରିବ୍ୟୁସନ୍ ସଂସ୍ଥା ପ୍ରସ୍ତୁତ ରହିବା ସହ ମନିଟରିଂ ମେକାନିଜମ ଆରମ୍ଭ ହୋଇଥିବା କହିଛନ୍ତି ଶକ୍ତିମନ୍ତ୍ରୀ।ସେହିପରି ୧୦ ତାରିଖ ବେଳକୁ ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

Cyclone Alert Cyclone Impact In Odisha
Advertisment
Advertisment