ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହେବ ଘୂର୍ଣ୍ଣିବଳୟ, ୨୩ରେ ନେବ ବାତ୍ୟା ରୂପ

IMD ଡିଜି କହିଛନ୍ତି ଯେ, ୨୪ ଓ ୨୫ ତାରିଖ ବେଶୀ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଯାଏଁ ରହିପାରେ ।

Cyclone

ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହେବ ଘୂର୍ଣ୍ଣିବଳୟ । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହୋଇ ଏହା ପଶ୍ଚିମ-ଉତ୍ତରପଶ୍ଚିମକୁ ଗତି କରିବ। ଏହା ପର୍ଯ୍ୟାୟକ୍ରମେ ଅବପାତ ଏବଂ ବାତ୍ୟାର ରୂପ ନେବ । ୨୩ରେ ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ତେବେ ବାତ୍ୟାର ନାଁ ରଖାଯାଇଛି 'ଦାନା' । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସଦ୍ୟତମ ସୂଚନା ଅନୁସାରେ, ୨୪ ସକାଳେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ଦାନା’ । ସେହିଦିନ ସକାଳେ ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି।

ଅଧିକ ପଢ଼ନ୍ତୁ: ବାତ୍ୟାକୁ ନେଇ ଆସିଲା ବଡ଼ ଖବର, ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ସେପଟେ IMD ଡିଜି କହିଛନ୍ତି ଯେ, ୨୪ ଓ ୨୫ ତାରିଖ ବେଶୀ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଯାଏଁ ରହିପାରେ । ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ପର୍ଯ୍ୟନ୍ତ ଯିବ ବୋଲି ଆକଳନ କରାଯାଇଛି । ଏହା ପ୍ରଭାବରେ ଖାଲି ପବନ କି ବର୍ଷା ନୁହେଁ ତା ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ଆସିବ ବୋଲି ବି ଚେତାଇ ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ତେଣୁ ସମୁଦ୍ର ଭିତରେ ଥିବା ଲୋକଙ୍କୁ ଆସନ୍ତାକାଲି ସୁଦ୍ଧା ଫେରି ଆସିବାକୁ ସେ ପରାମର୍ଶ ଦେଇଛନ୍ତି ।

ବାତ୍ୟା ପ୍ରଭାବରେ ଓଡ଼ିଶାରେ ୨୩ ତାରିଖରୁ ପବନ ଓ ବର୍ଷା ଆରମ୍ଭ ହେବ । ଝଡ଼ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୪ ତାରିଖରେ ଭୀଷଣ ବର୍ଷା ସମ୍ଭାବନା ରହିଛି । ଗଂଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ୫ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳରେ ଅଧିକ ବର୍ଷିବ । କେତେକ ସ୍ଥାନରେ ୧୨ରୁ ୨୦ ସେଣ୍ଟିମିଟର ଏବଂ ଆଉ କିଛି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହୋଇପାରେ ।

ସେପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ସରକାର କାମ କରୁଥିବା ସୂଚନା ଦେଇଛନ୍ତି ଏସଆରସି ଦେଓରଂଜନ ସିଂ । ସମ୍ଭାବ୍ୟ ବାତ୍ୟା ମୁକାବିଲା ବୈଠକ ପରେ ପ୍ରେସମିଟ୍ କରି SRC କହିଛନ୍ତି, ସରକାର ସମ୍ଭାବ୍ୟ ବାତ୍ୟା ଉପରେ ତୀକ୍ଷଣ ନଜର ରଖିଛନ୍ତି । ୨୩ ତାରିଖରୁ ୨୫ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ପୁରୀ, ଗଞ୍ଜାମ, ଜଗତସିଂହପୁରରେ ସବୁଠୁ ଅଧିକ ବର୍ଷା ହେବ । କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ଗଜପତି, କନ୍ଧମାଳ, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏନେଇ ସମସ୍ତଙ୍କୁ ଆଲର୍ଟ କରାଯାଇଛି ।

ସେହିପରି ୨୬ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ଯେଉଁମାନେ ସମୁଦ୍ରକୁ ଯାଇଛନ୍ତି ଅତିଶୀଘ୍ର ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ତଳିଆ ଅଞ୍ଚଳ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ ଆଜି ବାତ୍ୟା ଆଶ୍ରୟ ସ୍ଥଳୀକୁ ଯାଇ ଯାଞ୍ଚ କରିବେ । ବାତ୍ୟା ଆଶ୍ରୟସ୍ଥଳୀ ବ୍ୟବସ୍ଥିତ କରିବା ସହ ଗର୍ଭବତୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ, ଜିରୋ କାଜୁଆଲିଟି ଲକ୍ଷ୍ୟ ରହିଥିବା ସୂଚନା ଦେଇଛନ୍ତି ଏସଆରସି।

ଅଧିକ ପଢ଼ନ୍ତୁ: ପୁଣି ଅକ୍ଟୋବର, ପୁଣି ବାତ୍ୟା! ପ୍ରବଳ ବେଗରେ ବହିବ ପବନ, ପ୍ରବଳ ବର୍ଷା ସମ୍ଭାବନା