• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୀଷଣ ବାତ୍ୟା ଅସାନି ସମୁଦ୍ର ମଧ୍ୟରେ ସବୁଠାରୁ ତୀବ୍ର ସ୍ତର ଅତିକ୍ରମ କରିସାରିଛି । ଏହା ଏବେ ଧିରେ ଧିରେ ଦୁର୍ବଳ ହେବ । ଏହି ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ଓଟିଭିକୁ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଆଜି ସଂଧ୍ୟାରେ ବାତ୍ୟା ଆନ୍ଧ୍ର ଉପକୂଳ ନିକଟ ହୋଇ ଦିଗ ବଦଳାଇବ । ଏହା ସହ ଆସନ୍ତାକାଲି ଠାରୁ ଦିଗ ବଦଳାଇ ଓଡ଼ିଶା ଉପକୂଳ ସମାନ୍ତରାଳରେ ଯିବ । ଭୀଷଣ ବାତ୍ୟା ଅସାନୀ ଏହି ସମୟରେ ଓଡ଼ିଶା ଉପକୂଳ ସମୁଦ୍ରରେ ୪୦ରୁ ୬୦ କିମି ପବନ ବହିପାରେ ।

ଉପକୂଳ ଜିଲ୍ଲାମାନଙ୍କରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୧୨ ତାରିଖ ବେଳକୁ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ୭ ରୁ ୧୧ ସେମି ବର୍ଷା ସମ୍ଭାବନା ରହିଛି । କେତେକ ସ୍ଥାନରେ ମଧ୍ୟମ ଓ ସର୍ବାଧିକ ୭ରୁ ୧୧ ସେମି ବର୍ଷା ହୋଇପାରେ । ଅସାନି ପାଇଁ ଗୋପାଳପୁର ବନ୍ଦର ପାଇଁ ୩ନମ୍ବର ବିପଦ ସଂକେତ ଜାରି କରାଯାଇଥିବା ବେଳେ ପୁରୀ, ଚାନ୍ଦବାଲି/ଧାମରା ଏବଂ ପାରାଦ୍ୱୀପ ବନ୍ଦର ପାଇଁ ୨ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

ସେପଟରେ ବର୍ତ୍ତମାନ ବାତ୍ୟା ସ୍ଥିତିରେ ସମୁଦ୍ରକୁ ନଯିବା ପାଇଁ ସାବଧାନ କରାଯାଇଛି । ସାମୁଦ୍ରିକ ଝ଼ଡ଼ ଅସାନି ଭୀଷଣ ବାତ୍ୟାରେ ପରିଣତ ହେବା ପରଠୁ ଅଶାନ୍ତ ହୋଇପଡ଼ିଛି ସମୁଦ୍ର । ଏଥିପାଇଁ ଗଭୀର ସମୁଦ୍ରକୁ ଯାଇ କିଛି ମତ୍ସ୍ୟଜୀବୀ ବିପଦକୁ ବାରଣ କରାଯାଇଛି । ଗତକାଲି ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗଭୀର ସମୁଦ୍ରରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଫସି ରହିଥିବା ଗଞ୍ଜାମ ସୁନାପୁର ଅଞ୍ଚଳର ୧୧ ଜଣ ମତ୍ସ୍ୟଜୀବୀଙ୍କୁ ହେଲିକପ୍ଟର ଯୋଗେ ଏୟାରଲିଫ୍ଟ କରାଯାଇଥିଲା ।

ଆଜି ମଧ୍ୟ ସେହି ଗଞ୍ଜାମ ଛତ୍ରପୁର ନିକ ଆର୍ଯ୍ୟପଲ୍ଲୀରେ ସମୁଦ୍ର ଭିତରେ ଆଉ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ୬୦ ଜଣ ମତ୍ସ୍ୟଜୀବୀ । ୬ଟି ଡଙ୍ଗାରେ ଏମାନେ ଗଭୀର ସମୁଦ୍ରରୁ ମାଛମାରି ଫେରିବା ବେଳେ ସେଥିରୁ ଗୋଟିଏ ଡଙ୍ଗା ବୁଡ଼ି ଯିବା ସହ ଅନ୍ୟ ଡଙ୍ଗାଗୁଡ଼ିକ ଢେଉ ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିଲା । ବୁଡ଼ିଯାଇଥିବା ଡଙ୍ଗାର ୫ ଜଣ ମତ୍ସ୍ୟଜୀବୀ ପହଁରି ପହଁରି କୂଳକୁ ଫେରିଥିବା ବେଳେ ଅନ୍ୟମାନେ ମଧ୍ୟ ସୌଭାଗ୍ୟକୁ ଅଶାନ୍ତ ସମୁଦ୍ର ଭିତରୁ ଜୀବନ ଧରି ଫେରି ଆସିଛନ୍ତି ।

ହେଲେ ଆଗୁଆ ସତର୍କ ସୂଚନା ସତ୍ତ୍ୱେ କିଛି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯାଉଥିବାରୁ, ସେଭଳି ମତ୍ସ୍ୟଜୀବୀଙ୍କ ଲାଗି କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଏସଆରସି ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯାଆନ୍ତୁ ନାହିଁ ବୋଲି ପରାମର୍ଶ ଦେବା ସହ ନିର୍ଦ୍ଦେଶ ଅମାନ୍ୟ କଲେ ବିପର୍ଯ୍ୟୟ ଆଇନରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସଆରସି ଚେତାବନୀ ଦେଇଛନ୍ତି ।