• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆସୁଛି ବାତ୍ୟା, ହେଲେ ଏହାର ପ୍ରଭାବ ଆଉ ଗତିପଥକୁ ନେଇ ଏବେ ବି ସସପେନ୍ସ । ବଡ଼ କଥା ହେଲା, ଆଇଏମଡି ଜିଏଫଏସ୍ ମଡେଲ କହୁଛି ଓଡିଶାରେ ସ୍ଥଳ ଭାଗ ଛୁଇଁ ପାରେ ବାତ୍ୟା ସିତ୍ରାଙ୍ଗ । ତେବେ ଆଇଏମ୍‌ଡି ବାତ୍ୟାର ଗତିପଥ ଓ ଲ୍ୟାଣ୍ଡଫଲ୍ ନେଇ ଏଯାଏଁ କୌଣସି ଆକଳନ କରିନାହିଁ । ଅନ୍ୟପକ୍ଷରେ ଆସନ୍ତାକାଲି ସକାଳ ସୁଦ୍ଧା ଘୂର୍ଣ୍ଣିବଳୟଟି ଲଘୁଚାପରେ ପରିଣତ ହୋଇ ୨୨ରେ ଅବପାତ, ଆଉ ୨୪ ସକାଳେ ବାତ୍ୟାରେ ପରିଣତ ହେବ ବୋଲି ଆକଳନ କରୁଛି ପାଣିପାଗ ବିଭାଗ । ସେପଟେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରଭାବିତ ହେବାକୁ ଥିବା ୭ ଊପକୂଳ ଜିଲ୍ଲାକୁ ଚିଠି ଲେଖି ସତର୍କ କରାଇଛନ୍ତି ଏଆର୍‌ସି ।

ବଢୁଛି ବାତ୍ୟା ସିତ୍ରାଙ୍ଗ ସସ୍‌ପେନ୍ସ । କେଉଁଠି କରିବ ଲ୍ୟାଣ୍ଡଫଲ ? ଲ୍ୟାଣ୍ଡଫଲ ବେଳେ ବାତ୍ୟାର ତୀବ୍ରତା କେତେ ରହିବ? ପବନର ବେଗ କେତେ ହେବ ଆଉ କେତେ ପରିମାଣର ବର୍ଷା ହେବ? ଏହାକୁ ନେଇ ଆଇଏମ୍‌ଡିର କୌଣସି ସ୍ପଷ୍ଟ ସୂଚନା ଆସିନଥିବା ବେଳେ ବିଭିନ୍ନ ମଡେଲ୍ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।

ଆଇଏମ୍‌ଡି-ଜିଏଫଏସ୍ ମଡେଲ କହୁଛି ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ଉପକୂଳ ଛୁଇଁବ । ଅନ୍ୟପଟେ ୟୁରୋପିଆନ ମଡେଲ୍ ECMWF କହୁଛି ପଶ୍ଚିମବଙ୍ଗ ଦିଘାରୁ ବାଲାଂଦେଶ ଉପକୂଳ ମଧ୍ୟରେ ୨୫ରେ ଲ୍ୟାଣ୍ଡଫଲ କରିପାରେ । ଅନ୍ୟ ପଟେ ଧୀରେ ଧୀରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ସିତ୍ରାଙ୍ଗ । ବଳ ଗୋଟାଇ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉପକୂଳ ମୁହାଁଇଛି ।

 

ଏବେ ଉତ୍ତର ଆଣ୍ଡାମାନ ସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ସକାଳ ସୁଦ୍ଧା ଲଘୁଚାପର ରୂପ ନେବ । ପରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୨ରେ ପଣ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ହେବ । ପୁଣି ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୩ କିମ୍ଭା ୨୪ ସକାଳେ ନେବ । ବାତ୍ୟାର ରୂପ ଅବପାତରେ ପରିଣତ ହେବା ପରେ ବାତ୍ୟା ସଂପର୍କିତ ଅଧିକ ସୂଚନା ଦିଆଯିବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ ।

ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡିଶା ଉପରେ ପଡିବା ଆକଳନ କରାଯାଉଥିବାରୁ ସରକାରୀ ସ୍ତରରେ ମଧ୍ୟ ଏହାର ମୁକାବିଲା ଲାଗି ଦେଖାଦେଇଛି ତତ୍ପରତା । ଗତକାଲି ଏସ୍‌ଆରସିଙ୍କ ଅଧ୍ୟକ୍ଷତାରେ ବୈଠକ କରି ପ୍ରଭାବିତ ହେବାକୁ ଥିବା ସାମ୍ଭାବ୍ୟ ଜିଲ୍ଲାଗୁଡିକୁ ସତର୍କ କରାଯାଇଥିଲା ।

ଆଜି ଉପକୂଳ ୭ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କରିଛନ୍ତି ଏସଆରସି । ଦୀପାବଳି ଛୁଟି ବାତିଲ କରି ୨୩ ଏବଂ ୨୪ ଜିଲ୍ଲା ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଆଜି ମଧ୍ୟ ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ ବିଭାଗୀୟ ଅଧିକାରୀମାନଙ୍କୁ ସତର୍କ କରାଇଛନ୍ତି ।

ଏସ୍‌ଆରସିଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୨ରେ ଅବପାତ ସୃଷ୍ଟି ହେବା ପରେ ଉପକୂଳ ଓଡିଶାରେ ପ୍ରଭାବ ଦେଖିବାକୁ ମିଳିବ । ୨୨ରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମନା ହୋଇଥିବା ବେଳେ ୨୪ରୁ ସଂପୂର୍ଣ୍ଣ ବାରଣ କରାଯାଇଛି । ସେହିପରି ୨୩ରୁ ମଧ୍ୟ ହାଲ୍‌କା ବର୍ଷା ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି ।

(ରିପୋର୍ଟ- ବାଲେଶ୍ୱରରୁ ରଶ୍ମି ରଞ୍ଜନ ଦାସ, ଭୁବନେଶ୍ୱରରୁ ସୌମ୍ୟରଞ୍ଜନ ସାହୁ)