ରେମାଲ ଛୁଇଁଲା ସ୍ଥଳଭାଗ, ଆସାମରେ ବିତ୍ପାତ; ଜଣେ ମୃତ, ୧୭ ଆହତ

ବାତ୍ୟା ରେମାଲ ପ୍ରଭାବରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଆସାମର ଅନେକ ନଦୀର ଜଳସ୍ତର ବଢିଛି । ଡିମା-ହସାଓ ଜିଲ୍ଲାରେ ଲଗାଣ ବର୍ଷାରେ ହାଫଲଙ୍ଗ-ସିଲଚରକୁ ଯୋଡୁଥିବା ରାସ୍ତା ସଂପୂର୍ଣ୍ଣ ଧୋଇ ହୋଇଯାଇଛି ।

Cyclone

ବାତ୍ୟା ରେମାଲ ପ୍ରଭାବରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଆସାମର ଅନେକ ନଦୀର ଜଳସ୍ତର ବଢିଛି । ଡିମା-ହସାଓ ଜିଲ୍ଲାରେ ଲଗାଣ ବର୍ଷାରେ ହାଫଲଙ୍ଗ-ସିଲଚରକୁ ଯୋଡୁଥିବା ରାସ୍ତା ସଂପୂର୍ଣ୍ଣ ଧୋଇ ହୋଇଯାଇଛି । ଫଳରେ ସିଲଚେର-ହାଫଲଙ୍ଗକୁ ଯାତାୟତ ଠପ୍ ହୋଇଛି ।

ଲଗାଣ ବର୍ଷା ଓ ପବନରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଅଧିକ ଆହତ ହୋଇଥିବା ସୂଚନା ଦେଇଛନ୍ତି ଡିମା-ହସାଓର ଡେପୁଟି କମିଶନର ସିମନ୍ତ ଦାସ । ସେପଟେ ରେମାଲ ଦୋଖିଆଝୁଲି ଠାରେ ପବନ ସାଙ୍ଗକୁ ବର୍ଷାରେ ବ୍ୟାପକ କ୍ଷତି ହୋଇଛି। ଦୋଖିଆଝୁଲିରେ ସେଣ୍ଟ ଉରଚଲି ହାଇସ୍କୁଲ ଛାତ୍ରଛୀତ୍ରୀଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ ଉପରେ ଗଛ ପଡ଼ିବାରୁ ଜଣେ ଶିକ୍ଷକଙ୍କ ସମେତ ଅନେକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ପ୍ରକୃତିର କରାଳରୂପ; ଭୂସ୍ଖଳନରେ ପୋତି ହୋଇଗଲେ ୨୦୦୦ରୁ ଅଧିକ ଲୋକ

ସମସ୍ତ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ସେପଟେ ଇମ୍ଫାଲରେ ରାସ୍ତା ଧସିବାରୁ ଏକ ମାଲ୍ ବୋଝେଇ ଟ୍ରକ ଘାଇ ମଧ୍ୟକୁ ଖସି ପଡିଛି । ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ତାଙ୍କର ଜୀବନ ବର୍ତ୍ତି ଯାଇଛି । ଲଗାତାର ବର୍ଷା ଯୋଗୁଁ ଆସାମର ଅନେକ ସ୍ଥାନରେ ଲାଣ୍ଡସ୍ଲାଇଡ ହୋଇଛି ।

ସେପଟେ ଆଜିଠୁ ରାଜ୍ୟରେ ବଢିବ ତାତି । ୩ରୁ ୫ ଡିଗ୍ରୀ ଯାଏ ବଢ଼ିପାରେ ଦିନ ତାପମାତ୍ରା । ଆସନ୍ତା ୩-୪ ଦିନରେ ପାରଦ ଉପରମୁହାଁ ହେବ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏବେ ବାତ୍ୟାର ପ୍ରଭାବ ହ୍ରାସ ଯୋଗୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିଛି ।

ତାପମାତ୍ରା ବୃଦ୍ଧି ହେଲେ ବି ରାଜ୍ୟରେ ହିଟୱେଭ ସ୍ଥିତି ସମ୍ଭାବନା ନାହିଁ । ୩୧ ତାରିଖ ପର୍ଯ୍ୟନ୍ତ ପାଣିପାଗରେ ବଡ ଧରଣର ପରିବର୍ତ୍ତନ ହେବନି । କିନ୍ତୁ କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି । ବର୍ତ୍ତମାନ ଉପକୂଳବର୍ତ୍ତୀ ଅଧିକାଂଶ ସ୍ଥାନରେ ତାପମାତ୍ରା ବିଶେଷ ଅଧିକ ରହୁ ନଥିବା ବେଳେ ଆର୍ଦ୍ରତା ଅଧିକ ରହୁଥିବାରୁ ବେଶୀ ଗୁଳୁଗୁଳି ହେଉଛି ।

ଅଧିକ ପଢ଼ନ୍ତୁ: ପ୍ରକୃତିର ଭୟଙ୍କର ତାଣ୍ଡବ: ଭୂସ୍ଖଳନରେ ଚାଲିଗଲା ୧୦୦ରୁ ଅଧିକ ଜୀବନ, ମୃତ୍ୟୁ ସଂଖ୍ୟା ବୃଦ୍ଧି ଆଶଙ୍କା

ଗତକାଲି ୮ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା । ୪୨.୪ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା । ସମ୍ୱଲପୁର-୪୦.୭, ନୂଆପଡା-୪୦.୪, ବଲାଙ୍ଗୀର-୪୦.୩, ସୋନପୁର, ଭବାନୀପାଟଣା, ସୁନ୍ଦରଗଡ଼ ଓ ଟିଟିଲାଗଡ଼ରେ ତାପମାତ୍ରା ୪୦ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ଖୋର୍ଦ୍ଧାରେ ୩୬ଡିଗ୍ରୀ ଓ କଟକରେ ତାପମାତ୍ରା ୩୫.୮ଡିଗ୍ରୀ ରେକର୍ଡ କରାଯାଇଥିଲା ।

ସେପଟେ ଚାଷୀଙ୍କ ପାଇଁ ଖୁସି ଖବର ରହିଛି । ଆସନ୍ତା ୪ ଦିନ ଭିତରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚମ ମୌସୁମୀ ବାୟୁ । ଏନେଇ ସ୍ଥିତି ଅନୁକୂଳ ରହିଛି । ପାଣିପାଗ ବିଭାଗ ଆକଳନ କରିଛି, ଏଥର ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକଠାରୁ ଅଧିକ ରହିବ । ମୌସୁମୀ ପ୍ରଭାବରେ ଦେଶରେ ଲଙ୍କ ପିରିୟଡ ଆଭରେଜରେ ୧୦୬ ପ୍ରତିଶତ ବର୍ଷା ହେବ ବୋଲି କହିଥିଲା ଆଇଏମଡି । କିନ୍ତୁ ରାଜ୍ୟରେ ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍ ରହିପାରେ ବୋଲି ପୂର୍ବାନୁମାନ କରିଥିଲା ।