• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମାଡ଼ି ଆସୁଛି ବାତ୍ୟା ମିଗଜୋମ୍ । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ଏହା ଭୀଷଣ ବାତ୍ୟାର ରୂପ ନେଇ ଆନ୍ଧ୍ର ଉପକୂଳରେ ଲାଣ୍ଡଫଲ୍ କରିବ । ଆନ୍ଧ୍ରପ୍ରଦେଶର ନେଲୋର୍ ଏବଂ ମଛଲିପଟନମ୍ ମଝିରେ ସ୍ଥଳ ଭାଗକୁ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହି ସମୟରେ ପବନର ସର୍ବାଧିକ ବେଗ ରହିବ ଘଣ୍ଟାକୁ ୧୧୦କିଲୋମିଟର ।

ସମ୍ଭାବ୍ୟ ବାତ୍ୟା ଓଡ଼ିଶା ନିକଟତର ହେବା ବେଳକୁ ଦୁର୍ବଳ ହୋଇସାରିଥିବ, ଏହାର ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ୫ରୁ ୬ ତାରିଖ ଯାଏଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ୫ ତାରିଖ ଦିନ ଏହି ୫ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ବାତ୍ୟା ପୂର୍ବରୁ ତାମିଲନାଡ଼ୁରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ଚେନ୍ନାଇରେ ଗତକାଲି ରାତିଠୁ ଲଗାଣ ବର୍ଷା ହେଉଛି । ପ୍ରଭାବରେ ଅନେକ ସ୍ଥାନରେ ପାଣି ଜମିଛି । ସହରର ଅନେକ ସ୍ଥାନରେ ଅଣ୍ଟାଏ ଉଚ୍ଚର ପାଣି ଜମିଲାଣି । ପରିସ୍ଥିତି ଏମିତି ହେଲାଣି କି ଅଣ୍ଟାଏ ଉଚ୍ଚର ପାଣି ରହିବା ଯୋଗୁଁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି । କିଛି ସ୍ଥାନରେ ତ ଘର ଭିତରେ ବି ପାଣି ପଶିଲାଣି । ଧୀରେ ଧୀରେ ପବନ ବଢ଼ୁଥିବାରୁ ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଲାଣି । ସମୟ ଯେତେ ବଢ଼ୁଛି ଲୋକଙ୍କ ମନରେ ଛନକା ସେତିକି ପଶିଛି ।

ବାତ୍ୟା ମିଗଜୋମ ଆନ୍ଧ୍ରର ନୋଲୋରକ ଏବଂ ମଚ୍ଛଲିପଟ୍ଟନମ ମଧ୍ୟରେ ସ୍ଥଳଭାଗ ଛୁଇଁବା ଅନୁମାନ କରାଯାଉଛି । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ବର୍ଷା ଜାରିରହିଛି । ଏପଟେ ଆନ୍ଧ୍ର ସୀମାନ୍ତ ରାଜ୍ୟର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବର୍ଷାନେଇ ପାଣିପାଗ ବିଭାଗର ଆକଳନ ପରେ ଜିଲ୍ଲାପ୍ରଶାସନ ସଜାଗ ହୋଇଛି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ୭ଟି ବ୍ଲକକୁ ନୋଡ଼ାଲ ଅଧିକାରୀ ପଠାଯାଇଥିବା ବେଳେ ଓଡ୍ରାଫ୍ ଟିମ ପ୍ରସ୍ତୁତ ରହିଛନ୍ତି । ଚାଷୀମାନଙ୍କୁ ସେମାନଙ୍କ ଫସଲକୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପରାମର୍ଶ ଦିଆଯାଇଛି । ସେହିଭଳି ୨୪୪ ଗର୍ଭବତୀଙ୍କୁ ଆଗୁଆ ମେଡିକାଲ ପ୍ରସ୍ତୁତି କରାଯାଇଥିବା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।