• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ ଆଜି ଅବପାତର ପରିଣତ ହୋଇଛି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣ-ପୂର୍ବରେ ଏହା ଅବପାତରେ ପରିଣତ ହୋଇଛି ।ପୁଡୁଚେରୀ ଠାରୁ ଏହା ୭୯୦, ଚେନ୍ନାଇ ଠାରୁ ୮୦୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି ।

କ୍ରମଶଃ ଏହା ଆହୁରି ଅଧିକ ଘନୀଭୂତ ହୋଇ କାଲି ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ । ୩ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ।ବାତ୍ୟାରେ ପରିଣତ ହେବା ପରେ ୪ ତାରିଖ ସନ୍ଧ୍ୟାରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଚେନ୍ନାଇ ଓ ମଚ୍ଛଲିପଟ୍ଟନମ ମଝିରେ ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି ।

ଏହି ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆରମ୍ଭ ହୋଇଗଲାଣି । ଚେନ୍ନାଇ, କାଞ୍ଚିପୁରମ୍, ସୋଲିଙ୍ଗାନାଲୁର, ପଲ୍ଲିକରନାଇ, ଥିରୁବଲ୍ଲୁର ଭଳି ବିଭିନ୍ନ ଜିଲ୍ଲା ଜଳାର୍ଣ୍ଣବ ହୋଇଛି । ତାମିଲନାଡୁରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି NDRF ଟିମ୍‌କୁ ମୁତୟନ କରାଯାଇଛି ।

ପ୍ରବଳ ବର୍ଷା ଯୋଗୁ କାଞ୍ଚିପୁରମ୍ ଓ ଥିରୁବଲ୍ଲୁର ଜିଲ୍ଲାରେ ସ୍କୁଲ ଓ କଲେଜ ଛୁଟି ଘୋଷଣା ହୋଇଛି । ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିର ସମ୍ମୁଖରେ ମଧ୍ୟ ବର୍ଷା ଯୋଗୁ ଭକ୍ତମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏପର୍ଯ୍ୟନ୍ତ ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ, ତାହା ସ୍ପଷ୍ଟ ହୋଇନାହିଁ ।