/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638513885.jpg)
Cyclone Warning
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଆକଳନ ଅନୁସାରେ, ପୁରୀ ଜିଲ୍ଲାରେ ବାତ୍ୟା ‘ଜୱାଦ ସ୍ଥଳଭାଗ ଛୁଇଁପାରେ। ୪ ତାରିଖ ସନ୍ଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର(SRC) ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
ସ୍ଥଳଭାଗ ଅଳ୍ପ ଛୁଇଁବା ପରେ ପୁଣି ସମୁଦ୍ରକୁ ଚାଲି ଯାଇପାରେ ବାତ୍ୟା। ଯଦି ଦିଗ ବଦଳାଏ ତେବେ ହୁଏତ ସ୍ଥଳଭାଗ ନଛୁଇଁପାରେ। ସ୍ଥଳଭାଗ ନଛୁଇଁ ଓଡ଼ିଶା ଉପକୂଳ ଦେଇ ଚାଲି ଯାଇପାରେ ବାତ୍ୟା। ସ୍ଥଳଭାଗ ନିକଟ ହେଲେ ସର୍ବାଧିକ ୯୦ରୁ ୧୦୦ କି.ମି. ବେଗରେ ପବନ ବହିପାରେ। ଏନେଇ SRC ସୂଚନା ଦେଇଛନ୍ତି।
ପୁରୀ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ବାତ୍ୟାର ଅଧିକ ପ୍ରଭାବ ରହିବ। ଆଜି ମଧ୍ୟରାତ୍ରରୁ ବର୍ଷା ଆରମ୍ଭ ହେବାକୁ ଥିବାବେଳେ ଆସନ୍ତାକାଲି ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ତଳିଆ ଅଞ୍ଚଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଏହାସହ ଗଞ୍ଜାମ, ପୁରୀ, ଚିଲିକା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି SRC ସୂଚନା ଦେଇଛନ୍ତି।
ଜାଣନ୍ତୁ, ବାତ୍ୟାକୁ ନେଇ SRC କ’ଣ କହିଛନ୍ତି....
- ବାତ୍ୟା ସ୍ଥଳଭାଗ ନିକଟ ହେଲେ ୯୦ରୁ ୧୦୦ କି.ମି. ବେଗରେ ପବନ ବହିପାରେ
- ପୁରୀ,ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଅଧିକ ପ୍ରଭାବ ରହିବ
- ଆଜି ମଧ୍ୟରାତ୍ରରୁ ବର୍ଷା ଆରମ୍ଭ ହେବ, ଆସନ୍ତାକାଲି ଅଧିକ ବର୍ଷା ହେବ
- ତଳିଆ ଅଞ୍ଚଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ
- ଗଞ୍ଜାମ, ପୁରୀ, ଚିଲିକା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ
- ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକର ନିଆଳି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ
- ଆଜି ଅପରାହ୍ନରୁ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ ହେବ, କାଲି ମଧ୍ୟାହ୍ନରେ ସରିବ
- ୨ ଦିନ ପାଇଁ ପିଇବା ପାଣି ସାଇତି ରଖନ୍ତୁ
- ଭୟଭୀତ ହୋଇ ଅଯଥାରେ ଅଧିକ ଜିନିଷ କିଣନ୍ତୁ ନାହିଁ
- କାଲି ଅପରାହ୍ନରୁ ୫ ତାରିଖ ସକାଳ ପର୍ଯ୍ୟନ୍ତ ବାହାରେ ବୁଲନ୍ତୁ ନାହିଁ
- ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଫେରି ଆସିଛନ୍ତି
- ପଞ୍ଚାୟତ ଗୃହ, ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ରଖିବାକୁ ପରାମର୍ଶ ଦିଆଯାଇଛି। କେହି ଚାହିଁଲେ ବାତ୍ୟା ବେଳେ ଉକ୍ତ ସରକାରୀ ଘରେ ଆଶ୍ରୟ ନେଇପାରିବେ।
- ପ୍ରବଳ ବର୍ଷା ହେଲେ ବି ବନ୍ୟା ଆଶଙ୍କା ନାହିଁ, ସାମୟିକ ଜଳ ଜମିପାରେ
ବାତ୍ୟା ଓ ଏହାର ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ପୁରୀ ପ୍ରଶାସନ ପ୍ରସ୍ତୁତି ହୋଇଛି। ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛି ପ୍ରଶାସନ। ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ, ପଶୁ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖାଯାଇଛି। ନିରବିଚ୍ଛିନ୍ନ ଯୋଗାଯୋଗ ନିମନ୍ତେ ଅଗ୍ନିଶମ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ଡାକ୍ତରୀ ଟିମ୍ ପ୍ରସ୍ତୁତ ହୋଇ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ଜରୁରୀକାଳୀନ ସେବା ଯେପରି ଅବ୍ୟାହତ ରହିବ ସଜାଗ ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)