Advertisment

ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍‌’ !

ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍‌’ ! ଆସନ୍ତାକାଲି ପୁରୀ ଛୁଇଁବା ବେଳକୁ ବାତ୍ୟା ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cyclone Jawad

Cyclone Jawad

ଭୁବନେଶ୍ୱର: ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍‌’ ! ସାମୁଦ୍ରିକ ଝଡ଼ ଅବସ୍ଥାରେ ଥିବା ‘ଜୱାଦ୍‌’ ଆସନ୍ତାକାଲି ଆହୁରି ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ଉପକୂଳ ନିକଟବର୍ତ୍ତୀ ହେବା ବେଳକୁ ଏହା ଗଭୀର ଅବପାତରେ ପରିଣତ ହୋଇଯିବ ବୋଲି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏବେ ଘଣ୍ଟା ପ୍ରତି ୪ କି.ମି. ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା।

Advertisment

ଆଗାମୀ ୧୨ ଘଣ୍ଟାରେ ଆହୁରି ଦୁର୍ବଳ ହୋଇ ଉତ୍ତର ଦିଗରେ ଗତି କରିବ। ଏହାପରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ଗତ କରି ୫ ତାରିଖ ମଧ୍ୟାହ୍ନରେ ଗଭୀର ଅବପାତରେ ପରିଣତ ହୋଇ ପୁରୀ ଉପକୂଳ ନିକଟବର୍ତ୍ତୀ ହେବ। ଏହାପରେ ଆହୁରି ଦୁର୍ବଳ ହୋଇ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ମୁହାଁ ହେବ।

ବର୍ତ୍ତମାନର ସୂଚନା ଅନୁସାରେ, ‘ଜଓ୍ୱାଦ୍‌’ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବକୁ ୨୩୦ କିଲୋମିଟର ଦୂରରେ ରହିଛି। ସେହିପରି ଗୋପାଳପୁରଠାରୁ ଦକ୍ଷିଣରେ ୩୪୦ କିଲୋମିଟର ଓ ପୁରୀଠାରୁ ଏହା ୪୧୦ କିଲୋମିଟର ଦୂର ଦକ୍ଷିଣ,ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି। ପାରାଦୀପଠାରୁ ଏହା ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ ୪୯୦ କିମି ଦୂରରେ ଅବସ୍ଥିତ ରହିଛି। 

Advertisment

ବାତ୍ୟା ପ୍ରଭାବରେ କାଲିଠାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗି ରହିଛି। ସକାଳ ୭ଟା ୩୦ ସୁଦ୍ଧା ପାରାଦୀପରେ ସର୍ବାଧିକ ୬୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଗୋପାଳପୁରରେ ୪୩.୩ ମି.ମି., ପୁରୀରେ ୪୦ ମି.ମି. ଓ ଭୁବନେଶ୍ୱରରେ ୧୦.୪ ମି.ମି. ବର୍ଷା ରେକର୍ଡ ହୋଇଛି। ସେପଟେ ବାତ୍ୟା ପ୍ରଭାବରେ ପୁରୀ, ପାରାଦୀପ ଓ ଗୋପାଳପୁରରେ ପବନର ବେଗ ବୃଦ୍ଧି ପାଇଛି। ପୁରୀରେ ଏବେ ଘଣ୍ଟା ପ୍ରତି ୨୬ କିଲୋମିଟର ବେଗରେ ପବନ ବହୁଛି। ସେହିପରି ପାରାଦୀପରେ ୧୦ କି.ମି. ଓ ଗୋପାଳପୁରରେ ୧୫ କି.ମି. ବେଗରେ ପବନ ବହୁଛି। 

ବାତ୍ୟାର ଗତିପଥ ପରବର୍ତ୍ତନ ହେବା ପରେ ପବନର ବେଗ ବଢ଼ିବା ସହ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇପାରେ। ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ଏହି ୪ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ପବନର ବେଗ ଗଞ୍ଜାମ, ପୁରୀ ଓ ଜଗତସିଂହପୁର ସର୍ବାଧିକ ୭୫ରୁ ୮୫ କିଲୋମିଟର ହେବ ସ୍ଥଳ ବିଶେଷରେ ପବନର ବେଗ ୯୫ କିଲୋମିଟର ଯାଏ ବୃଦ୍ଧି ପାଇପାରେ। କଟକ ଓ ଭୁବନେଶ୍ୱରରେ ଝିପି ଝିପି ବର୍ଷା ଲାଗି ରହିଥିବାବେଳେ ଆଜି ପ୍ରବଳ ବର୍ଷା ହୋଇପାରେ। 

ଅନ୍ୟପକ୍ଷେ, ପୁରୀ ବେଳାଭୂମିରେ ପ୍ରଶାସନ ପକ୍ଷରୁ ରେଡ୍ ଫ୍ଲାଗ୍ ଲାଗିଛି। ବେଳାଭୂମିକୁ ଜନସାଧାରଣ ବାରଣ ଲାଗି ଏହି ରେଡ୍ ଫ୍ଲାଗ୍ ଲାଗିଛି। ଦିଗବାରେଣୀ ଖୁଣ୍ଟ ଠାରୁ ଲାଇଟ୍ ହାଉସ୍ ବେଳାଭୂମି ଯାଏ ରେଡ୍ ଫ୍ଲାଗ ଲାଗିଛି। ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ସେପଟେ ବାତ୍ୟାକୁ ଦୃଷ୍ଟିରେ ରଖି ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି ହୋଇଛି। ପୁରୀ ଓ ଗୋପାଳପୁର ବନ୍ଦର ପାଇଁ ୭ ନଂ ବିପଦ ସଙ୍କେତ ଜାରି ହୋଇଥିବା ବେଳେ ପାରାଦୀପ ଓ ଧାମରା ବନ୍ଦର ପାଇଁ ୪ ନଂ ବିପଦ ସଙ୍କେତ ଜାରି କରାଯାଇଛି।

Cyclone Warning Cyclone Jawad Cyclone Jawad Alert
Advertisment
Advertisment