• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ବାତ୍ୟା ଜୱାଦ୍ ଗୁଲାବ ଠାରୁ ଅଧିକ ଶକ୍ତିଶାଳୀ ହେବ ବୋଲି କୁହାଯାଉଛି । ବିଶାଖାପାଟଣାରୁ ଠାରୁ ବର୍ତ୍ତମାନ ୪୨୦ କିମି ଦୂରରେ ରହିଛି ବାତ୍ୟା । ଆସନ୍ତା ୪ ତାରିଖ ସଂଧ୍ୟା ପରେ ବାତ୍ୟାର ଦିଗ ପରିବର୍ତ୍ତନ ହେବ । ୪ ସଂଧ୍ୟାରୁ ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ମୁହାଁଇବ । ଏହାପରେ ୫ ତାରିଖ ପୂର୍ବାହ୍ନରେ ପୁରୀ ଜିଲ୍ଲାରେ ଉପକୂଳ ନିକଟବର୍ତ୍ତୀ ହେବ । ଉପକୂଳ ନିକଟ ହୋଇ ସମାନ ଦିଗରେ ପଶ୍ଚିମବଙ୍ଗକୁ ଅଗ୍ରସର ହେବ।

ଉପକୂଳ ଛୁଇଁଲା ପରେ ଏହା କ୍ରମେ ଦୁର୍ବଳ ହେବ ବାତ୍ୟା । ଏହାର ପ୍ରଭାବରେ ଆଜି ସଂଧ୍ୟାରୁ ଓଡ଼ିଶା ଉପକୂଳ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯିବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି । ଏହା ଗୁଲାବ ବାତ୍ୟାଠୁ ଅଧିକ ତିତିଲିଠୁ କମ୍ ହେବ ବୋଲି କହିଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବରରେ ହୋଇଥିବା ଗୁଲାବ ବାତ୍ୟାରେ ସର୍ବାଧିକ ପବନର ବେଗ ଥିଲା ଘଣ୍ଟାପ୍ରତି ୮୫ କିଲୋମିଟର । ୨୦୧୮ ଅକ୍ଟୋବରରେ ହୋଇଥିବା ତିତିଲି ବାତ୍ୟାରେ ଲ୍ୟାଣ୍ଡଫଲ ସ୍ଥଳରେ ସର୍ବାଧିକ ପବନର ବେଗ ଘଣ୍ଟାପ୍ରତି ଥିଲା ୧୫୦କିଲୋମିଟର । ଜୱାଦରେ ସ୍ଥଳଭାଗ ନିକଟ ହେଲେ ସର୍ବାଧିକ ୯୦ରୁ ୧୦୦ କିମି ପବନ ବହିପାରେ ବୋଲି ଆକଳନ କରାଯାଉଛି ।

ତେବେ ବାତ୍ୟା ପ୍ରଭାବରେ ସମୁଦ୍ରରେ ୫ ମିଟର ଉଠିବ ଜୁଆର । ବାତ୍ୟା, ପବନ ଓ ଜୁଆର ନେଇ IMD ଡିଜି ଏଭଳି ସୂଚନା ଦେଇଛନ୍ତି । ଅମାବାସ୍ୟା ଥିବାରୁ ବାତ୍ୟା ବେଳେ ସମୁଦ୍ରରେ ଜୁଆର ଆସିବ । ନିୟମିତ ପ୍ରାୟ ୪ ମିଟର ଯାଏଁ ଜୁଆର ଆସିଥାଏ, ହେଲେ ବାତ୍ୟା ପାଇଁ ଆଉ ୧ ମିଟର ବଢ଼ିବ । ତେଣୁ ପ୍ରାୟ ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ସମ୍ଭାବନା ରହିଛି । ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ସେପଟେ ସମ୍ଭାବ୍ୟ ବାତ୍ୟା ଜୱାଦର ପ୍ରଭାବ ଖୋର୍ଦ୍ଧା ଜିଲ୍ଲାରେ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗର ଆକଳନ ପରେ ଜିଲ୍ଲାରେ ପ୍ରସ୍ତୁତି ଜୋରଦାର କରାଯାଇଛି । ବିଶେଷ କରି ଜିଲ୍ଲାର ଟାଙ୍ଗୀ, ଚିଲିକା ଓ ବାଣପୁର ବ୍ଲକ ପ୍ରଭାବିତ ହେବାର ଆଶଙ୍କା ରହିଛି । ପ୍ରଶାସନର ନିର୍ଦ୍ଦେଶରେ ୨ଟି ଏନଡିଆରଏଫ ଟିମ ଟାଙ୍ଗୀ ଓ ଚିଲିକା ବ୍ଲକକୁ ଯାଇଛନ୍ତି । ପ୍ରତି ଟିମରେ ୨୦ରୁ ୨୨ଜଣ ଯବାନ ସାମିଲ ହୋଇଛନ୍ତି । ବାତ୍ୟ ଓ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ମୁକାବିଲା ପାଇଁ ଏନଡିଆରଏଫ ଟିମ ପ୍ରସ୍ତୁତ ରହିଛି ।