• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପାରାଦୀପରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ସମୁଦ୍ର ସାମାନ୍ୟ ଅଶାନ୍ତ ରହିଥିବା ବେଳେ ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ସମ୍ଭାବ୍ୟ ବାତ୍ୟାର ବିଶେଷ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ ବୋଲି ପୂର୍ବାନୁମାନ କରାଯାଇଥିଲେ ବି ସମୁଦ୍ର କୂଳିଆ ଲୋକଙ୍କ ମନରେ ଛନକା ରହିଛି । କାରଣ ଆଜି ଭୋର ସମୟରୁ ପାଗରେ ପରିବର୍ତ୍ତନ ଦେଖାଯାଇଛି । ତା’ ସାଙ୍ଗକୁ ଏବେ ଅକ୍ଟୋବର ମାସ ଚାଲିଥିବା ବେଳେ ସପ୍ତାହକ ପରେ ମହାବାତ୍ୟାର ବର୍ଷକିଆ ପଡିବ ।

ତେଣୁ ପାରାଦୀପର ଷଣ୍ଢକୁଦ, ନୂଆବଜାର ବସ୍ତି ହେଉ କିମ୍ବା ଏରସମାର ସମୁଦ୍ରକୂଳିଆ ଅଞ୍ଚଳ ହେଉ ବାତ୍ୟାକୁ ନେଇ ଲୋକେ ଚିନ୍ତିତ ହୋଇଛନ୍ତି । ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଉପରେ ପ୍ରଶାସନ ନଜର ରଖଥିବା ବେଳେ ଦରକାର ସମୟରେ ଆବଶ୍ୟକ ପଦକ୍ଷେପ ନେବ ବୋଲି ପାରାଦୀପ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ବନ୍ଦର ମଧ୍ୟରେ ଜାହାଜ ଏବଂ ପଣ୍ୟ ଗୁଡ଼ିକର ନିରାପତ୍ତା ଦୃଷ୍ଟିରୁ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନେବାକୁ ବିଭିନ୍ନ ବିଭାଗକୁ ଆଲର୍ଟ କରାଯାଇଛି ।

ସେପଟେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ଆଉ କିଛି ସମୟ ପରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ଅବପାତ ସମୁଦ୍ରରେ ବଳ ଗୋଟାଇ ବାତ୍ୟାର ରୂପ ନେବ । ତେବେ ଏହି ବାତ୍ୟାର ପ୍ରଭାବ ଓଡ଼ିଶାରେ ସେପରି କିଛି ପଡ଼ିବ ନାହିଁ । ତେବେ ଉତ୍ତର ଓଡ଼ିଶା ଉପକୂଳରେ କେବଳ ହାଲୁକା ବର୍ଷା ହେବ। ଜଗତସିଂହପୁର ଓ ବାଲେଶ୍ୱରର କିଛି ସ୍ଥାନରେ ବର୍ଷା ଅଧିକ ହୋଇପାରେ । ଉପକୂଳ ଓଡ଼ିଶାର ସମୁଦ୍ରକୂଳରେ ଝଙ୍କାଳିଆ ପବନ ବହିପାରେ ।

ପାର୍ବଣ ଋତୁ ଚାଲିଥିବାରୁ ବର୍ଷା ପାଇଁ ଅସୁବିଧା ହୋଇପାରେ । ପୂଜା ମଣ୍ଡପ ଭଲ ତିଆରି ହୋଇ ନଥିଲେ କ୍ଷତିଗ୍ରସ୍ତ ହୋଇପାରେ । ସେପଟେ ସମୁଦ୍ରରେ ପବନର ବେଗ ବଢ଼ିଛି । ସମୁଦ୍ର ଭିତରେ ୬୦ରୁ ୭୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । କାଲି ପର୍ଯ୍ୟନ୍ତ ପବନର ତୀବ୍ରତା ବଢ଼ି ୮୦ରୁ ୯୦ କିମି ଯାଏଁ ଯାଇପାରେ । ୨୫ ତାରିଖ ସଂଧ୍ୟାରେ ଏହି ବାତ୍ୟା ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ।

  • Reported by:
  • RAMAKANTA NAYAK