• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟକୁ ପୁଣି ଏକ ବାତ୍ୟା ଭୟ । ସମ୍ଭାବ୍ୟ ବାତ୍ୟାକୁ ନେଇ ବଢୁଛି ଆଶଙ୍କା । ଦକ୍ଷିଣ ଅଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି କିମ୍ବା କାଲି ସକାଳ ସୁଦ୍ଧା ଲଘୁଚାପରେ ପରିଣତ ହେବ । ଘୁର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି । ୨୨ ତାରିଖ ବେଳକୁ ଏହା ଅବପାତରେ ପରିଣତ ହେବ । ୨୩ କିମ୍ବା ୨୪ ତାରିଖରେ ଏହା ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ତେବେ ଅବପାତରେ ପରିଣତ ହେବା ପରେ ହିଁ ଆକଳନ କରିହେବ, କଣ ହେବ ବାତ୍ୟାର ଗତିପଥ ।

ଆଇଏମଡି ର ଆକଳନ କହୁଛି ଆଣ୍ଡାମାନ ସାଗରରେ କେନ୍ଦ୍ରୀଭୂତ ଘୂର୍ଣ୍ଣିବଳୟର ତୀବ୍ରତା ବଢୁଛି । ତେଣୁ ଏହା କାଲି ସୁଦ୍ଧା ଘନୀଭୂତ ହୋଇ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ପରେ ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୨ରେ ପଣ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବ । ପରେ ୨୩ କିମ୍ବା ୨୪ ସକାଳେ ଏହା ବାତ୍ୟାରେ ପରିଣତ ହୋଇପାରେ । ପ୍ରଭାବରେ ୨୩ ତାରିଖରୁ ରାଜ୍ୟର ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ହେବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ୨୨ ତାରିଖରୁ ସମୁଦ୍ରକୁ ଯିବା ବାରଣ କରାଯାଇଛି ।

ଅଧିକ ପଢ଼ନ୍ତୁ: ଏଥର ବାତ୍ୟା ନେଇପାରେ ମହାବାତ୍ୟାର ରୂପ ! ହେଲେ କେଉଁଠି କରିବ ଲ୍ୟାଣ୍ଡଫଲ୍ ?

ସେପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଏନେଇ ଗତକାଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ସମ୍ଭାବ୍ୟ ବାତ୍ୟା ଦ୍ୱାରା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏସଆରସି ଉପକୂଳବର୍ତ୍ତିୀ ଜିଲ୍ଲା ଗୁଡ଼ିକର ଜିଲ୍ଲା ପ୍ରଶାସନ ସହିତ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ଆଲୋଚନା ମଧ୍ୟ କରିଛନ୍ତି । ତାସହ ଅଧିକାରୀ ମାନଙ୍କୁ ହେଡକ୍ୱାର୍ଟର ନଛାଡ଼ିବାକୁ ପରାମର୍ଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଓସଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜ୍ଞାନ ଦାସ ।