• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଅକ୍ଟୋବରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଉପକୂଳରେ ପଶିଛି ଛନକା । ବାରମ୍ବାର ବାତ୍ୟାର ସାମ୍ନା କରିଥିବା ଉପକୂଳ ବାସିନ୍ଦାଙ୍କ ମଧ୍ୟରେ ପୁଣି ବାତ୍ୟା ଭୟ । ତେବେ ମୁକାବିଲା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ବାଲେଶ୍ୱର, ଭଦ୍ରକ, ପୁରୀ ଓ ଗୋପାଳପୁରରେ ସମୁଦ୍ରକୂଳିଆଙ୍କୁ ସଜାଗ ରହିବାକୁ ପରାମର୍ଶ ଦେବା ସହ ବାତ୍ୟା ଆଶ୍ରୟସ୍ଥଳୀ ଓ ଉଦ୍ଧାରକାରୀ ଟିମକୁ ଆଲର୍ଟରେ ରଖାଯାଇଛି । ସେପଟେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

ଉପକୂଳକୁ ଘାରିଛି ସମ୍ଭାବ୍ୟ ବାତ୍ୟା ଭୟ । ଓଡ଼ିଶା ଓ ପଶ୍ଚିମବଙ୍ଗ ନିକଟ ସମୁଦ୍ରକୁ ଆସନ୍ତା ୨୪ରେ ବାତ୍ୟା ପହଞ୍ଚିବା ନେଇ ଆକଳନ ପରେ ବାଲେଶ୍ୱର ଜିଲ୍ଲାରେ ପଶିଛି ଛନକା । ତେବେ ଜିଲ୍ଲା ପ୍ରଶାସନ ଆରମ୍ଭ କରିଦେଇଛି ପ୍ରସ୍ତୁତି । ସମସ୍ତ ବ୍ଲକର ବିଡିଓ, ତହସିଲଦାର ଓ ସରପଂଚଙ୍କୁ ଆଲର୍ଟ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ ।

ଜିଲ୍ଲାର ୧୪୦ଟି ଯାକ ବାତ୍ୟା ଆଶ୍ରୟସ୍ଥଳୀକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି । ବାତ୍ୟାର ମୁକାବିଲା ପାଇଁ ଦୁଇଟି ଓଡ୍ରାଫ, ଗୋଟିଏ ଏନଡିଆରଏଫ୍ ଓ ଅଗ୍ନିଶମ ବାହୀନି ସଜାଗ ରହିଛି । ଜୁଆର ପାଣି ଗାଁ ଓ ଫସଲକୁ ମାଡ଼ି ଆସିବା ଆଶଙ୍କା କରି ଆଗୁଆ ପ୍ରସ୍ତୁତି କରିଛନ୍ତି ସମୁଦ୍ରକୂଳ ବାସିନ୍ଦା । ଅମଳ ସମୟ ହୋଇନଥିଲେ ବି ବାତ୍ୟା ଭୟରେ ଧାନକୁ କାଟି ସୁରକ୍ଷିତ ରଖିବାକୁ ଚାଷୀ ତରତର ।

ସେପଟେ ମତ୍ସ୍ୟଜୀବୀ ମାନେ ନିଜ ନିଜ ଡଙ୍ଗାକୁ ଉଚ୍ଚା ସ୍ଥାନରେ ବାନ୍ଧି ରଖିଲେଣି । ସେପଟେ ଭଦ୍ରକ ବାସିନ୍ଦାଙ୍କ ମଧ୍ୟରେ ବି ବଢିଲାଣି ଭୟ । ସମ୍ଭାବ୍ୟ ବାତ୍ୟାର ଗତିପଥ କଣ ହେବ, ଲ୍ୟାଣ୍ଡଫଲ କେଉଁଠି କରିବ, ପବନ କେତେ ଜୋରରେ ବହିବ, କେଉଁ ପରିମାଣରେ ବର୍ଷା ହେବ, ସେହି ଆଶଙ୍କାରେ ଭୟଭୀତ ହୋଇପଡିଛନ୍ତି ଉପକୂଳବର୍ତ୍ତୀ ଅଂଚଳରେ ରହୁଥିବା ଲୋକେ ।

ଚାଳ ଘର ଓ ବିଲରେ ଫସଲକୁ ନେଇ ବଢିଛି ଚିନ୍ତା । ପୁରୀରେ ବାତ୍ୟାର ପ୍ରଭାବ ଉପକୂଳ ବାସିନ୍ଦାଙ୍କ ସହ ପର୍ଯ୍ୟଟନ ଶିଳ୍ପ ଉପରେ ପଡିଥାଏ । ତେଣୁ ସମ୍ଭାବ୍ୟ ବାତ୍ୟା ଖବର ଶୁଣି ଆତଙ୍କିତ ହୋଟେଲ ମାଲିକ । ବାତ୍ୟା ଦ୍ୱାରା କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, କୋଣାର୍କ, ଚନ୍ଦ୍ରଭାଗା ଓ ଅସ୍ତରଙ୍ଗ ଉପକୂଳ ଲୋକେ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ବାରମ୍ବାର ବାତ୍ୟାର ସାମ୍ନା କରିଥିବା ଗଞ୍ଜାମରେ ଆରମ୍ଭ ହୋଇଯାଇଛି ମୁକାବିଲା ପ୍ରସ୍ତୁତି । ବ୍ରହ୍ମପୁରରେ ମେୟରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପଟେ ସମସ୍ତ ପ୍ରକାର ପରିସ୍ଥିତିର ସାମ୍ନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ଏଥିସହ ବିଚଳିତ ଓ ଆତଙ୍କିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ସେପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କଳାବଜାରୀଙ୍କୁ ତାଗିଦ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଖାଦ୍ୟ ସାମଗ୍ରୀର ଯେପରି କଳାବଜାରୀ ନହେବ ସେ ନେଇ କଡା ନଜର ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଅସାଧୁ ବ୍ୟବସାୟୀ କଳାବଜାରୀ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ପରେ ପଶ୍ଚିମବଙ୍ଗରେ ବି ଜାରି ହୋଇଛି ଆଲର୍ଟ । ପ୍ରବଳ ବର୍ଷା ଏବଂ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ, ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାରେ ଲୋକଙ୍କୁ ସତର୍କ କରାଇଛି ପୋଲିସ । ଫେଜାରଗଞ୍ଜ ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଓ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now