/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729694617.jpg)
Cyclone Dana
ବାତ୍ୟା ପୂର୍ବରୁ ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ବିପଦସଙ୍କୁଳ ଅବସ୍ଥାରେ ଥିବା ଲୋକଙ୍କୁ ଉଦ୍ଧାର କରି ବାତ୍ୟା ଆଶ୍ରୟସ୍ଥଳୀକୁ ନେଉଛି ଜିଲ୍ଲା ପ୍ରଶାସନ । ଘରକୁ ଘର ଯାଇ ଲୋକଙ୍କୁ ଖୋଜି ଖୋଜି ବିପଦପୂର୍ଣ୍ଣ ସ୍ଥାନ ଛାଡିବାକୁ କୁହାଯାଉଛି । ବାଲେଶ୍ୱର ଭୋଗରାଇ ବ୍ଲକ୍ ତାଳସାରୀ ପାଖ ବଙ୍ଗୋପସାଗର କୂଳରେ ଥିବା ସୁବର୍ଣ୍ଣପୁର ଦ୍ୱୀପ । ପ୍ରଶାସନର ବାରମ୍ବାର ଅନୁରୋଧ ସତ୍ତ୍ୱେ ବାସ ଛାଡି ଆସୁନଥିଲେ ୧୫ରୁ ଅଧିକ ପରିବାର । ଆଜି ସେମାନଙ୍କୁ ଉଦ୍ଧାର କରିଛି ଜିଲ୍ଲା ପ୍ରଶାସନ । ଘରେ ତାଟି କବାଟ ଦେଇ, ସାଙ୍ଗରେ ଜରୁରୀ ଜିନିଷପତ୍ର ନେଇ ଲୋକେ ବାହାରିଥିଲେ ବାତ୍ୟା ଆଶ୍ରୟସ୍ଥଳୀ। ପୋଲିସ ଓ ମତ୍ସ୍ୟବିଭାଗ ସହାୟତାରେ ସମସ୍ତଙ୍କୁ ଡଙ୍ଗାରେ ଉଦ୍ଧାର କରାଯାଇଛି ।
ବାତ୍ୟା ପ୍ରଭାବରେ ସମୁଦ୍ରରେ ଉଚ୍ଚ ଜୁଆର ଆରମ୍ଭ ହୋଇଯାଇଥିବା ବେଳେ ଚାନ୍ଦିପୁର ବେଳାଭୂମିରୁ କିଛି ଦୋକାନୀ ଓ ସ୍ଥାନୀୟ ବାସିନ୍ଦାଙ୍କୁ ସ୍ଥାନାନ୍ତର କରଯାଇଛି। ପର୍ଯ୍ୟଟକଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ ପ୍ରଶାସନପକ୍ଷରୁ ଅନୁରୋଧ କରାଯାଇଛି । ଉଦ୍ଧାରକାର୍ଯ୍ୟ ବେଳେ ପ୍ରଶାସନର ଫୋକସରେ ରହିଛନ୍ତି ଗର୍ଭବତୀ । ବାଲେଶ୍ୱର ତଳିଆ ଅଂଚଳରେ ଥିବା ଗାଁ ଗୁଡିକରୁ ଗର୍ଭବତୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି ତିକରାଯାଇଛି ।
ସେପଟେ କେନ୍ଦ୍ରାପଡ଼ା ରାଜନଗରରେ ଏଯାଏଁ ୩୨ ଜଣ ଗର୍ଭବତୀଙ୍କୁ ଉଦ୍ଧାର କରାଗଲାଣି l ଆଳିରେ ଆଜି ୧୧ଜଣ ଗର୍ଭବତୀଙ୍କୁ ଆମ୍ବୁଲାନ୍ସରେ ଆଣି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।
ସମୁଦ୍ର କୂଳ ଓ ତଳିଆ ଅଂଚଳରୁ ଲୋକଙ୍କୁ ଉଦ୍ଧାର କରି ବାତ୍ୟା ଆଶ୍ରୟସ୍ଥଳୀ ଓ ରିଲିଫ୍ ସେଣ୍ଟରରେ ରଖାଯାଇଛି । ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ସେମାନଙ୍କ ପାଇଁ ପିଇବା ପାଣି, ରନ୍ଧାଖାଦ୍ୟ ଓ ରହିବାର ବ୍ୟବସ୍ଥା କରାଯାଇଛି। ଲୋକେ ଭୟଭୀତ ନହୋଇ ନିଜେ ବାତ୍ୟା ଆଶ୍ରୟସ୍ଥଳୀକୁ ଆସିବାକୁ ନିବେଦନ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । କହିଛନ୍ତି, ଯେଉଁ ଗାଁର ଲୋକ ରିଲିଫ୍ ସେଣ୍ଟରକୁ ଆସିବେ, ପୋଲିସ ସେହି ଗାଁରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବେ। ଲୋକଙ୍କ ଘର ଓ ସମ୍ପତ୍ତିକୁ ଜଗିବ ପୋଲିସ। ତେଣୁ ପ୍ରଥମେ ନିଜ ଜୀବନକୁ ସୁରକ୍ଷିତ ରଖିବାକୁ ନିବେଦନ କରିଛନ୍ତି ମନ୍ତ୍ରୀ।
ଏବେ ନଜର ପକାନ୍ତୁ ବାତ୍ୟା ସମୟରେ କଣ କରିବେ, କଣ କରିବେ ନାହିଁ । କଚ୍ଚା ଘର ଥିଲେ ତାକୁ ସୁରକ୍ଷିତ କରନ୍ତୁ, ଜରି ପାଲ ଘୋଡ଼ାଇ ରଖନ୍ତୁ। ଘର ବିପଦ ସଙ୍କୁଳ ଥିଲେ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଆନ୍ତୁ। କାଚ ଝରକା ଥିଲେ ତାକୁ ଭଲ ଭାବରେ ଘୋଡ଼ାନ୍ତୁ। ବଡ଼ ଗଛର ଡାଳ ବିପଦ ସଙ୍କୁଳ ଅବସ୍ଥାରେ ଥିଲେ ବାତ୍ୟା ପୂର୍ବରୁ କାଟି ନିଅନ୍ତୁ। ବିଦ୍ୟୁତ ଖୁଣ୍ଟ କିମ୍ବା ଘରକୁ ଲାଗି ଅନ୍ୟ କୌଣସି ବିପଦପୂର୍ଣ୍ଣ ସାମଗ୍ରୀ ଥିଲେ ହଟାଇ ନିଅନ୍ତୁ। ପାଖରେ ମହମବତୀ, ଚୁଡ଼ା ସମେତ ଶୁଖିଲା ଖାଦ୍ୟ ମହଜୁଦ ରଖନ୍ତୁ। ବାତ୍ୟା ଲ୍ୟାଣ୍ଡଫଲ ପୂର୍ବରୁ ସୁରକ୍ଷିତ ସ୍ଥାନ ବାଛନ୍ତୁ।
ସେହିପରି ଛୋଟ ଛୁଆ, ବୟସ୍କ ଓ ରୋଗୀଙ୍କୁ ଅଧିକ ଗୁରୁତ୍ବ ଦିଅନ୍ତୁ। ଆବଶ୍ୟକ ମେଡିସିନ୍ ପାଖରେ ରଖନ୍ତୁ। ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ରଖିବା ବ୍ୟବସ୍ଥା ସମୟ ପୂର୍ବରୁ କରି ନିଅନ୍ତୁ। ନିଜ ଫୋନକୁ ଆବଶ୍ୟକ ମୁତାବକ ଚାର୍ଜ କରି ରଖନ୍ତୁ । ଫୁଟା ଓ ବିଶୁଦ୍ଧ ପାଣି ପିଅନ୍ତୁ । ବାତ୍ୟା ଲ୍ୟାଣ୍ଡଫଲ୍ ବେଳେ ଘରୁ ବାହାରକୁ ବାହାରନ୍ତୁ ନାହିଁ । ଅସୁରକ୍ଷିତ ଘର କିମ୍ବା କୋଠାକୁ ଯାଆନ୍ତୁ ନାହିଁ । ସମୁଦ୍ରକୁ ଯାଆନ୍ତୁ ନାହିଁ। ଅଯଥାରେ ବଜାରରୁ ଅଧିକ ଖାଦ୍ୟ ସାମଗ୍ରୀ କିଣନ୍ତୁନି। ଗୁଜବକୁ ବିଶ୍ବାସ ନକରି ସରକାରଙ୍କ ନିର୍ଦ୍ଦେଶନାମା ପାଳନ କରନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)