• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସମୁଦ୍ରରେ ଦାନା ବାନ୍ଧୁଛି ‘ଦାନା’ । ଅର୍ଥାତ କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଯଦି ବାତ୍ୟାର ରୂପ ନିଏ, ତେବେ ଏହାର ନାମ ରହିବ ଦାନା । ଉତ୍ତର ଭାରତ ମହାସାଗରରେ ସୃଷ୍ଟି ଘୂର୍ଣ୍ଣିଝଡ଼ ନାମ ତାଲିକା ଅନୁସାରେ, ଏହାର ନାମ ‘ଦାନା’ ରହିବ ବୋଲି କୁହାଯାଉଛି । କାତାର୍ ପକ୍ଷରୁ ଏହି ନାମକରଣ କରାଯାଇଛି ।

ଆରବୀ ଭାଷାରେ ‘ଦାନା’ର ଅର୍ଥ ନିଖୁଣ ଓ ମୂଲ୍ୟବାନ ମୋତି ବା ମୁକ୍ତା ବୋଲି କୁହାଯାଉଛି । ପୁଣି ସେହି ଅକଟୋବର, ଓଡ଼ିଶାରେ ପୁଣି ସେହି ବାତ୍ୟା ଭୟ । ଗତ ୧୯୯୯ ମସିହାରୁ ଅଦ୍ୟାବଧି ଓଡ଼ିଶା ଦେଖିଲାଣି ଏକାଧିକ ବାତ୍ୟା, ତା ପୁଣି ସେହି ଅକଟୋବର ମାସରେ । ୧୯୯୯ ଅକଟୋବର ୨୯ରେ ମହାବାତ୍ୟାରେ ଛିନଛିତ୍ର ହୋଇଥିଲା ଓଡ଼ିଶାର ପୂର୍ବ ଉପକୂଳର ବହୁ ଇଲାକା ।

ସେହିପରି ୨୦୧୩ ଅକ୍ଟୋବରରେ ଆସିଥିଲା ‘ଫାଇଲିନ୍’ । ସେ ବି ଉଜାଡ଼ି ଦେଇଗଲା । ତାପଛକୁ ପଛ ୨୦୧୪ ଅକ୍ଟୋବର ୧୨ ରେ ‘ହୁ଼ଡହୁଡ୍’ ବି ରଚିଥିଲା ତାଣ୍ଡବ । ଏହାପରେ ୨୦୧୮ ଅକଟୋବର ୧୦ରେ ‘ତିତଲି’ ବାତ୍ୟା ନିଦ ହଜାଇ ଦେଇଥିଲା ଓଡ଼ିଶା ଉପକୂଳରେ । ଆଉ ଏବେ ପୁଣି ସେହି ଅକଟୋବରରେ ଆଉ ଏକ ବାତ୍ୟା ‘ଦାନା’ ମୁଣ୍ଡ ଟେକୁଥିବା ବେଳେ ଓଡ଼ିଶା ଉପରେ କି ପ୍ରଭାବ ପକାଇବ, ତାକୁ ଅପେକ୍ଷା ।

ତେବେ ବାତ୍ୟା ପ୍ରବଣ ଅକଟୋବର ମାସରେ ବଦଳୁଥିବା ଓଡ଼ିଶାର ପାଣି ପବନର ସ୍ଥିତି ଏବଂ କିଛି ବିଦେଶୀ ମଡେଲ୍ ଗୁଡ଼ିକର ପୂର୍ବାନୁମାନ, ଶଙ୍କା ବଢ଼ାଉଛି । ଅଧିକାଂଶ ମଡେଲ୍ ବାତ୍ୟା ଓଡ଼ିଶା ଛୁଇଁବ ବୋଲି ଆକଳନ କରିଛନ୍ତି । ୟୁରୋପିଆନ୍ ସେଣ୍ଟର ଫର୍ ମିଡ଼ିୟମ୍ ରେଞ୍ଜ ୱେଦର୍ ଫୋରକାଷ୍ଟ ତଥା ECMWFର ଆକଳନ କହୁଛି, ଏହି ବାତ୍ୟା କ୍ରମେ ୨୫ ତାରିଖ ବେଳକୁ ପୁରୀ ନିକଟରେ ସ୍ଥଳଭାଗ ଛୁଇଁପାରେ ।

ସେହିପରି ଜର୍ମାନୀର ପାଣିପାଗ ଆକଳନ ସଂସ୍ଥା ICON ବି ପୂର୍ବାନୁମାନ କରିଛି ୨୪-୨୫ ତାରିଖ ବେଳକୁ ଏହା ଓଡ଼ିଶା ଉପକୂଳ ବିଶେଷ କରି ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁପାରେ । ତେବେ ଗ୍ଲୋବାଲ୍ ଫୋରକାଷ୍ଟର ଆକଳନ ସମ୍ପୂର୍ଣ୍ଣ ଓଲଟା । ଲଘୁଚାପ କ୍ରମେ ଅବପାତର ରୂପ ନେବା ପରେ ବଙ୍ଗୋପସାଗରରେ ବଳ ଗୋଟାଇ ୨୪ ବେଳକୁ ପଶ୍ଚିମବଙ୍ଗ ମୁହାଁ ହେବ ଏବଂ ସୁନ୍ଦରବନ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ ।

OTV is now on Whatsapp

Join and get latest news update delivered to you via whatsapp

Join Now