• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆରବ ସାଗରରେ ଅତି ଭୀଷଣ ବାତ୍ୟା ରୂପ ନେଲା 'ବିପର୍ଯ୍ୟୟ' । ବର୍ତ୍ତମାନ ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ୫ କିଲୋମିଟର ବେଗରେ ଉତ୍ତର ଆଡ଼କୁ ଗତି କରୁଛି ବାତ୍ୟା । ଅର୍ଥାତ୍‌ ପୋରବନ୍ଦର ଠାରୁ ଦକ୍ଷିଣ-ପଶ୍ଚିମରେ ୪୮୦ କିମି ଦୂରରେ ରହିଛି ବାତ୍ୟା । ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଆହୁରି ତୀବ୍ରତର ହୋଇ ଅତ୍ୟନ୍ତ ଉଗ୍ର ରୂପ ଧାରଣ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୁହାଯାଇଛି ।

ପାଣିପାଗ ବିଭାଗ ସୂଚନା ଅନୁସାରେ, ସାମୁଦ୍ରିକ ବାତ୍ୟା ଉତ୍ତର ଆଡ଼କୁ ଗତିଶୀଳ ହୋଇ ଜୁନ୍‌ ୧୫ ତାରିଖ ମଧ୍ୟାହ୍ନ ସୁଦ୍ଧା ପାକିସ୍ତାନର କରାଚୀରେ ଲ୍ୟାଣ୍ଡଫଲ୍‌ ସମ୍ଭାବନା କରିବାର ସମ୍ଭାବନା ରହିଛି । ହେଲେ ଗୁଜରାଟ ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ କରିବାର ସମ୍ଭାବନା ନାହିଁ । ତେବେ ଗୁଜରାଟର ସୌରାଷ୍ଟ୍ର ଓ କଚ୍‌ ଉପରେ ପ୍ରଭାବ ପକାଇବା ଆଶଙ୍କା ରହିଛି । ଫଳରେ ଏଠାରେ ପ୍ରବଳ ବର୍ଷା ହେବା ସହ ଜୋରରେ ପବନ ବହିବ ।

ପୂର୍ବ-ମଧ୍ୟ ଆରବ ସାଗରରେ ଘୂର୍ଣ୍ଣିବଳୟ ଜାରି ରଖିଥିବାରୁ କରାଚି ପୋର୍ଟ ଟ୍ରଷ୍ଟ (କେପିଟି) ପକ୍ଷରୁ 'ରେଡ୍ ଆଲର୍ଟ' ଜାରି କରିଛି । ଅନ୍ୟପଟେ ବାତ୍ୟା ପ୍ରଭାବରେ ଆରବ ସାଗରରେ ସମୁଦ୍ର ଅଶାନ୍ତ ରହିଛି । ଏଥିସହ ସମୁଦ୍ର ଉପକୂଳରେ ଜୋରରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।  ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କେରଳର ୮ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଙ୍ଗ ଏବଂ ମୁମ୍ବାଇ, ରାଇଗଡ଼, ରତ୍ନଗିରି ସମେତ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି ।