ଯଦିଓ ବିଳମ୍ବ ହେଲାଣି ତଥାପି ଧୀରେଧୀରେ ବଢୁଛି ଶୀତ । ରାଜ୍ୟରେ ଶୁଖିଲା ପାଗ ସହ ତାମପାତ୍ରା କମିଛି । ଗତକାଲିଠୁ ପୂର୍ବାପେକ୍ଷା ଶୀତ ବଢିଛି । ଆଗାମୀ ଦିନରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରଭାବ ଅଧିକ ରହିବ । କିଛି ଜିଲ୍ଲାରେ ହାଲୁକା କୁହୁଡ଼ି ପଡ଼ିବା ନେଇ ବି ଆଲର୍ଟ ଜାରି କରିଯାଇଛି । ଏଥିପାଇଁ ଜଗତସିଂହପୁର ,କଟକ, ଝାରସୁଗୁଡା, କନ୍ଧମାଳ, କଳାହାଣ୍ଡି,ଖୋର୍ଦ୍ଧା ,କଟକ ଓ ସୁନ୍ଦରଗଡକୁ ସତର୍କ କରିଛି ପାଣିପାଗ ବିଭାଗ ।
ସେପଟେ ଗତ କେତେଦିନ ତଳେ ଟ୍ୱିନ୍ ସିଟିରେ କୋହଲା ପାଗ ଦେଖିବାକୁ ମିଳିଥିଲା । ଖୋର୍ଦ୍ଧା, କଟକ, ଢେଙ୍କାନାଳ, ପୁରୀ, ଯାଜପୁରରେ କୋହଲା ପାଗ ଦେଖିବାକୁ ମିଳିଥିଲା । ରାଜଧାନୀ ଭୁବନେଶ୍ୱର ସହ କଟକର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିଲା । ଏପଟେ ଠିକ୍ ଅମଳ ବେଳକୁ ଧୋକା ଦେଇଛି ଅଦିନିଆ ବର୍ଷା । ଜମିରେ ଧାନ କଟା ହୋଇ ପଡ଼ିଥିବା ବେଳେ ହଠାତ ଅଦିନିଆ ଲଗାଣ ବର୍ଷାରେ ଭିଜି ଯାଇଛି ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଏକର ଏକର ଧାନ ଫସଲ ।
Also Read
ଅଧିକ ପଢ଼ନ୍ତୁ: ଲୁଟ୍ କରିବା ପରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା!
ଫଳରେ ବର୍ଷାରେ ବତୁରି ଯାଇଛି ଶହ ଶହ ଚାଷୀଙ୍କ ସ୍ୱପ୍ନ ଓ ବୃଥା ଯାଇଛି ପରିଶ୍ରମ । ଶହ ଶହ ହେକ୍ଟର ଜମିରେ ଧାନ ଏବେ ଓଦା ପଡ଼ିଥିବା ବେଳେ ଆଗକୁ ଭଲ ମାନର ଧାନ କେମିତି ଅମଳ ହେବ, ଏବଂ କିଭଳି ଉଚିତ ମୂଲ୍ୟ ମିଳିବ ତାକୁ ନେଇ ଚିନ୍ତାରେ ଚାଷୀ । ଦରକାର ବେଳେ ଦେଖାନଥିଲା, ଏବେ ଠିକ୍ ଅମଳ ସମୟରେ ଧୋକ୍କା ଦେଲା ।
ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଏକର ଏକର ଉଜୁଡ଼ା ଖେତକୁ ଦେଖିବା ପରେ ଅଦିନିଆ ବର୍ଷା ଉପରେ ଚାଷୀଙ୍କ କୋହଭରା ଅଭିଯୋଗ । କିଏ ପାଚିଲା ଧାନ କାଟି କ୍ଷେତରେ ଶୁଖାଇଛି, ତ ଆଉ କିଏ ପାକଳ ଧାନକୁ କାଟିବା ଅପେକ୍ଷାରେ । କିନ୍ତୁ ଠିକ୍ ଏହି ସମୟରେ ଚାଷୀଙ୍କୁ ଧୋକ୍କା ଦେଇଛି ଅଦିନିଆ ବର୍ଷା । ଗଲା ୨ରୁ ୩ ଦିନ ଧରି ଝିପି ଝିପି ଲଗାଣ ବର୍ଷା ପରେ ଗଜା ହୋଇଛି ଅଧିକାଂଶ ଚାଷୀଙ୍କ ଅମଳ ଧାନ ।
କାହାର କ୍ଷେତରେ ତ ଆଉ କାହାର ଖଳାରେ । ତେଣୁ ଏଭଳି ଅବସ୍ଥାରେ ଓଦା ଧାନକୁ ଶୁଖାଇ ଅମଳ ପରେ ଧାନର FAQ ମାନ କେମିତି ବଜାୟ ରହିବ ଓ ମୂଲ୍ୟ ମିଳିବ କି ନାହିଁ, ତାକୁ ନେଇ ଆଶା ଆଶଙ୍କାରେ ଚାଷୀ । ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ୧.୭୯ ହେକ୍ଟର ଜମିରେ ହୋଇଥିଲା ଧାନ ଚାଷ ।
ସେ ଭିତରୁ ଅଦିନିଆ ବର୍ଷା ପାଇଁ ମୁଖ୍ୟତଃ ଜିଲ୍ଲାର ଚିକିଟି, ଦିଗପହଣ୍ଡି, ପାତ୍ରପୁର ଓ ଖଲ୍ଲିକୋଟ ଆଦି ଅଞ୍ଚଳରେ ଧାନ ଚାଷ ଅଧିକ ପ୍ରଭାବିତ ହୋଇଛି । ବିଶେଷକରି ଯେଉଁ ଚାଷୀ ଜମିରୁ ଧାନ କାଟି ସାରି କ୍ଷେତରେ ଶୁଖାଇ ଥିଲେ, ସେମାନେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା କୃଷି ଅଧିକାରୀ କହିଛନ୍ତି । ତେବେ ଧାନକୁ ଠିକ୍ ଭାବେ ଖରାରେ ଶୁଖାଇ ଅମଳ କଲେ, ଏହା ବିକ୍ରି ଯୋଗ୍ୟ ହୋଇପାରିବ ବୋଲି ଆଶ୍ୱାସନା ଦେଇଛନ୍ତି କୃଷି ଅଧିକାରୀ ।