• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ବନ୍ୟା ସ୍ଥିତି ନେଇ ଦୋଷ ଲଦାଲଦି । ମହାନଦୀରେ ଆସିଥିବା ବଡ଼ ବନ୍ୟା ପାଇଁ ଛତିଶଗଡ଼ ଓ ସୁବର୍ଣ୍ଣରେଖା ବନ୍ୟା ପାଇଁ ଏବେ ପୁଣି ଝାଡ଼ଖଣ୍ଡକୁ ଦାୟୀ କରିଛନ୍ତି ରାଜ୍ୟ ସରକାର । ପାଣି ଛାଡ଼ିବା ନେଇ ଠିକ୍ ତଥ୍ୟ ନଦେବା, ବନ୍ୟା ପରିଚାଳନା ନେଇ ସମନ୍ୱୟ ବୈଠକ ନକରିବା ଭଳି ଅଭିଯୋଗ କରିଛି ରାଜ୍ୟ । ତେବେ ଦୋଷ ଲଦାଲଦି ଭିତରେ ମହାନଦୀ ଓ ସୁବର୍ଣ୍ଣରେଖା ସିଷ୍ଟମ୍‌ରେ ବନ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର କଣ କରିଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ ।

ରାଜ୍ୟରେ ଦୁଇ ଦୁଇଟି ବନ୍ୟା ପାଇଁ ଦାୟୀ କିଏ ? ମହାନଦୀ ବନ୍ୟା ପାଇଁ ଛତିଶଗଡ଼, ସୁବର୍ଣ୍ଣରେଖା ବନ୍ୟା ପାଇଁ ଝାଡ଼ଖଣ୍ଡ ଦାୟୀ କି ? ନା ନିଜ ଦୋଷ ଲୁଚାଇବାକୁ ଅନ୍ୟ ରାଜ୍ୟ ମୁଣ୍ଡରେ ଅଠା ବୋଳୁଛି ଓଡ଼ିଶା ? ଏଭଳି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ବନ୍ୟା ନିୟନ୍ତ୍ରଣ ପାଇଁ ଅନ୍ୟ କିଛି ବାଟ ଥିଲା ନା ନାହିଁ । ତାକୁ ନେଇ ଆରମ୍ଭ ହୋଇଛି ବିତର୍କ । ମହାନଦୀରେ ଆସିଥିବା ମହାବନ୍ୟାରେ ସମ୍ବଲପୁର ଜିଲ୍ଲାଠୁ ଆରମ୍ଭ କରି ଜଗତସିଂହପୁର ଜିଲ୍ଲାର ଶହ ଶହ ଗାଁ ବିପନ୍ନ ହୋଇଛି । ଏଥିପାଇଁ ଛତିଶଗଡ଼କୁ ଦାୟୀ କଲେ ରାଜ୍ୟ ସରକାର । ଛତିଶଗଡ଼ ମହାନଦୀ ଉପର ମୁଣ୍ଡରେ ଏକାଧିକ ବ୍ୟାରେଜ୍ ନିର୍ମାଣ କରିଥିବାରୁ ଖରା ଦିନେ ପାଣି ଅଟକାଉଛି, ଆଉ ବର୍ଷା ଦିନେ ହଠାତ୍ ପାଣି ଛାଡ଼ି ଦେଉଥିବା ଅଭିଯୋଗ କରିଛି ରାଜ୍ୟ ।

ହେଲେ ହୀରାକୁଦ ତଳମୁଣ୍ଡରେ ପାଣି ଅଟକାଇବା ଲାଗି ଆଉ କିଛି ବ୍ୟବସ୍ଥା ନାହିଁ । ହୀରାକୁଦ ଗେଟ୍ ଖୋଲିବା ପରେ ମହାନଦୀ ପାଣି ବିଭିନ୍ନ ଜିଲ୍ଲା ଦେଇ ସିଧା ପହଞ୍ଚୁଛି କଟକ ମୁଣ୍ଡଳୀରେ । ମଝିରେ ଅଟକାଇବା ଲାଗି ଆଉ କୌଣସି ବ୍ୟବସ୍ଥା ନାହିଁ । ତଳମୁଣ୍ଡରେ ନା କୌଣସି ଡ୍ୟାମ୍ ନା ବ୍ୟାରେଜ୍ ଏପର୍ଯ୍ୟନ୍ତ ନିର୍ମାଣ ହୋଇପାରିଛି ।

ଅନ୍ୟପଟେ ସୁବର୍ଣ୍ଣରେଖାରେ ଆସିଥିବା ବନ୍ୟାରେ ଜଳାର୍ଣ୍ଣବ ହୋଇଛି ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ବସ୍ତା ବ୍ଳକ୍ । ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜ୍‌ରୁ ପାଣି ଜାମଶୋଳା, ରାସଗୋବିନ୍ଦପୁର, ରାଇବଣିଆ, ଲକ୍ଷ୍ମଣନାଥ ଗଡ଼, ଜଲେଶ୍ୱର, ଭୋଗରାଇ ଦେଇ କୀର୍ତ୍ତନିଆଠାରେ ସମୁଦ୍ରରେ ମିଶୁଛି । ହେଲେ ସୁବର୍ଣ୍ଣରେଖା ସିଷ୍ଟମରେ ମଧ୍ୟ କୌଣସି ଡ୍ୟାମ୍ କିମ୍ବା ବ୍ୟାରେଜ ବ୍ୟବସ୍ଥା ନାହିଁ । ୨୨ ବର୍ଷ ଶାସନରେ ରହିବା ପରେ ବି କୌଣସି ବ୍ୟବସ୍ଥା କରିନଥିବାରୁ ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଜଳସଂପଦ ମନ୍ତ୍ରୀ କହିଛନ୍ତି ଏନେଇ ପଦକ୍ଷେପ ନିଆଯାଉଛି ।

ସେପଟେ ଜଳ ସଂରକ୍ଷଣ ନେଇ ବାରମ୍ବାର ଦାବି ହେବା ପରେ ଏବେ ଚେତିଛନ୍ତି ରାଜ୍ୟ ସରକାର । ମହାନଦୀ, ରଷିକୂଲ୍ୟା, ବ୍ରାହ୍ମଣୀ, ବୈତରଣୀ ନଦୀରେ ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍ କରିବାକୁ ଯୋଜନା ରହିଛି । ଦୁଇଟି ପର୍ଯ୍ୟାୟରେ ୪୬ଟି ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍ କମ୍ ବ୍ୟାରେଜ୍ ନିର୍ମାଣ ହେବ । ସେଥିମଧ୍ୟରୁ ମହାନଦୀରେ ୫ଟି ନିର୍ମାଣ କରିବାକୁ ଯୋଜାନା ରହିଛି । ଯାହା ଦ୍ୱାରା ବନ୍ୟା ଜଳ ପରିଚାଳନା ସହ ପାଣିକୁ କୃଷି, ପାନୀୟଜଳ, ଶିଳ୍ପ କ୍ଷେତ୍ରରେ ବିନିଯୋଗ କରାଯାଇପାରିବ ।

ନବୀନ ସରକାର ୨ ହଜାର ମସିହାରେ କ୍ଷମତାକୁ ଆସିବାପରେ ମହାନଦୀ ଓ ସୁବଣ୍ଣରେଖା ସିଷ୍ଟମରେ ଅନେକ ବଡ ବନ୍ୟା ଆସିଛି । ହେଲେ ସରକାର ବନ୍ୟା ନିୟନ୍ତ୍ରଣ ପାଇଁ ଆଜି ଯାଏଁ କୌଣସି ଠୋସ୍ ପଦକ୍ଷେପ ନେଇନାହାନ୍ତି । ଏବେ ଯୋଜନା କରୁଥିବା ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍ ଦ୍ୱାରା ବନ୍ୟା ରୋକିବାରେ କେତେ ସଫଳତା ମିଳିବ ତା ଉପରେ ନଜର ।