• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମହାନଦୀରେ ଆସିପାରେ ବନ୍ୟା । ଛତିଶଗଡ଼ରେ ପ୍ରବଳ ବର୍ଷା ପରେ ଏବେ ଏଭଳି କିଛି ଆଶଙ୍କା ଦେଖାଦେଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏବେ ହୀରାକୁଦ ଡ୍ୟାମ୍‌ର ବଢ଼ୁଛି ପାଣି । ଫଳରେ ଗୋଟେ ପରେ ଗୋଟେ ଗେଟ୍ ଖୋଲିବାରେ ଲାଗିଛି । ଏବେ ହୀରାକୁଦର ୨୮ଟି ଗେଟ୍ ଦେଇ ପାଣି ନିଷ୍କାସନ ହେଉଛି । ତେଣୁ ତଳ ମୁଣ୍ଡରେ ଏକ ଛୋଟ ଧରଣର ବନ୍ୟା ଆସିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଜଳ ସମ୍ପଦ ବିଭାଗ ସବୋର୍ଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।

ମହାନଦୀ ସମେତ ବୈତରଣୀ, ଜଳକା ନଦୀ ଉପରେ ବି ନଜର ରଖାଯାଇଛି । ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ ରହିଛି । ନଦୀର ସ୍ଥିତି ଉପରେ ତିକ୍ଷ୍ନ ନଜର ରଖିଛି ଜଳ ସମ୍ପଦ ବିଭାଗ । ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇ ଆଲର୍ଟ ମୋଡରେ ରଖାଯାଇଛି । ଦୁର୍ବଳ ନଦୀ ବନ୍ଧ ଉପରେ କଡାକଡି ଭାବେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ହୀରାକୁଦରୁ ଛଡ଼ା ଯାଉଥିବା ପାଣି ଆସନ୍ତାକାଲି ସକାଳ ୮ଟା ବେଳେ ମୁଣ୍ଡଳୀ ଦେଇ ଅତିକ୍ରମ କରିବ ।

ଅନ୍ୟପଟେ ବନ୍ୟା ନିୟନ୍ତ୍ରଣ ପାଇଁ ଓଡ଼ିଶାକୁ ସହଯୋଗ କରୁନି ଛତିଶଗଡ଼ । ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ସାହୁ । ସେ କହିଛନ୍ତି, ବାରମ୍ବାର ଜଣାଇବା ସତ୍ତ୍ୱେ ଆମକୁ କୌଣସି ତଥ୍ୟ ଦେଉ ନାହିଁ ଛତିଶଗଡ଼ । ଫଳରେ ଆମକୁ ବନ୍ୟା ନିୟନ୍ତ୍ରଣ ପାଇଁ କାର୍ଯ୍ୟ କରିବାରେ ଅସୁବିଧା ହେଉଛି । ଦୁଇ ରାଜ୍ୟ ମଧ୍ୟରେ ଶେଷ ସମନ୍ୱୟ ବୈଠକ ୨୦୧୯ରେ ହୋଇଥିଲା । ୨୦୨୦ରେ VCରେ ହେଲା ବେଳେ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ଅଧାରୁ ଉଠିଗଲେ । ୨୦୨୧ରେ ଆମେ ଦେଇଥିବା ପ୍ରସ୍ତାବକୁ ଆଦୌ ରେସପଣ୍ଡ କଲା ନାହିଁ ଛତିଶଗଡ଼ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଆନନ୍ଦ ସାହୁ । 

ଖାଲି ସେତିକି ନୁହେଁ, ସେ ଆହୁରି କହିଛନ୍ତି ଯେ, ଚଳିତ ବର୍ଷ ବହୁତ ଚେଷ୍ଟା କରିବା ସତ୍ତ୍ୱେ ସମନ୍ୱୟ ବୈଠକକୁ ଏଡ଼ାଇ ଯାଇଛି ଛତିଶଗଡ଼ । ଗତ ଜୁଲାଇ ୧୩ରେ ବୈଠକ କରିବାକୁ କହି ପୁଣି ଓହରି ଯାଇଛି । ସିଡବ୍ଲୁସିର ମଧ୍ୟସ୍ଥତା ପରେ ଆସନ୍ତା ୨୩ରେ ବୈଠକ ପାଇଁ ସ୍ଥିର ହୋଇଛି । ଦୁଇ ରାଜ୍ୟ ମଧ୍ୟରେ ପ୍ରସ୍ତାବିତ ବୈଠକ ହେବ ନା ନାହିଁ ପରେ ଜଣାପଡ଼ିବ ।

ସେପଟେ ହୀରାକୁଦ ଡ୍ୟାମ୍‌ର ଏବେ ମୋଟ ୨୮ ଗେଟ୍ ଖୋଲାଯାଇଛି । ଏହି ୨୮ଟି ଗେଟ୍ ଦେଇ ଡ୍ୟାମ୍‌ରୁ ଜଳ ନିଷ୍କାସିତ ହେଉଛି । ୨୮ଟି ଗେଟ୍ ଖୋଲିବା ପରେ ବଢିଛି ବନ୍ୟାପାଣି । ସମ୍ବଲପୁର-ସୋନପୁର ରାସ୍ତାର ମାଳତୀଯୋର ପୋଲ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ଗମନାଗମନ ପ୍ରଭାବିତ ହୋଇଛି । ଉଭୟପାର୍ଶ୍ୱରେ ଅଟକି ରହିଛି ଅନେକ ଗାଡ଼ମୋଟର ।

ସେହିଭଳି ରାଜ୍ୟରେ ଲାଗି ରହିଛି ଲଘୁଚାପ । ଏହାର ପ୍ରଭାବରେ ଟ୍ୱିନ୍ ସିଟିରେ ଦିନ ତମାମ ବର୍ଷା ଲାଗି ରହିବ ବୋଲି ପାଣିପାଗ କହିଛି । ପ୍ରବଳ ବର୍ଷା ଯୋଗୁଁ ଟ୍ୱିନ୍ ସିଟିରେ ସହରୀ ବନ୍ୟାର ଆଶଙ୍କା ବି ରହିଛି । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ଘଣ୍ଟାକୁ ୨ରୁ ୩ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଆଗାମୀ ୧୨ ଘଣ୍ଟାରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୪ ଜିଲ୍ଲାରେ ପ୍ରବଳ ବର୍ଷିବ ବୋଲି କୁହାଯାଇଛି । ଅବଶିଷ୍ଟ ୧୬ ଜିଲ୍ଲାରେ ମଧ୍ୟ ଲଘୁଚାପଜନିତ ବର୍ଷା ଲାଗି ରହିବ ।

OTV is now on Whatsapp

Join and get latest news update delivered to you via whatsapp

Join Now