• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦ୍ରାପଡ଼ା, ଯାଜପୁର, ପୁରୀ, ଜଗତସିଂହପୁର ଉପକୂଳବର୍ତ୍ତୀ ଏହି ୪ ଜିଲ୍ଲାରେ ଦାଉ ସାଧୁଛି ବନ୍ୟା । ଗଲା ଦୁଇ ଦିନ ଧରି କ୍ରମାଗତ ଭାବେ ମହାନଦୀ ଓ ଏହାର ବିଭିନ୍ନ ଶାଖା ନଦୀଗୁଡ଼ିକ ଫୁଲୁଥିବାରୁ ଏସବୁ ଜିଲ୍ଲାକୁ ଘାଇଲା କରିଛି ବନ୍ୟା ସ୍ଥିତି । କେନ୍ଦ୍ରାପଡ଼ା ମାର୍ଶାଘାଇରେ କରାଣ୍ଡିଆ ନଦୀରେ ସୃଷ୍ଟି ହୋଇଛି ଦୁଇଟି ଘାଇ । ଗୋଟିଏ ଡିହ ବଳରାମପୁର ଓ ଅନ୍ୟଟି ଆୟତ୍ତପୁର । ଏହି ଦୁଇଟି ଘାଇ ଫଳରେ ମାର୍ଶାଘାଇ ବ୍ଲକର ବହୁ ଅଞ୍ଚଳକୁ ମାଡ଼ି ଯାଇଛି ବନ୍ୟାଜଳ । ପାଣିରେ ବୁଡ଼ି ରହିଛି ହଜାର ହଜାର ହେକ୍ଟର ଚାଷଜମି । ସେପଟେ ଚିତ୍ରୋତ୍ପଳା ନଦୀର ପାଣି ଯୋଗୁଁ ଡେରାବିଶ ଓ ମହାକାଳପଡ଼ା ବ୍ଲକର ବହୁ ପଞ୍ଚାୟତବାସୀ ଜଳବନ୍ଦୀ ହୋଇଛନ୍ତି ।

ବୈତରଣୀର ଶାଖା କାଣୀ ନଦୀରେ ୫୦ ଫୁଟର ଘାଇ ଫଳରେ ଯାଜପୁର ଦଶରଥପୁର ବ୍ଲକର ୬ଟି ପଞ୍ଚାୟତର ସ୍ଥିତି ସଙ୍ଗୀନ । କସପା ପଞ୍ଚାୟତର ବ୍ରହ୍ମଚାରୀପାଟଣା ନକିଟରେ ଗତକାଲି ମାଟି ଅତଡ଼ା ଧସି ସୃଷ୍ଟି ହୋଇଥିବା ଘାଇ ଆଜି ବିଶାଳ ରୂପ ଧାରଣ କରିବାରୁ ଏହି ବ୍ଲକର ୧୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସ୍ଥିତ ଜୟଶଙ୍ଖପୁରଠାରେ ମହାନଦୀରେ ୭୦ ଫୁଟର ଘାଇ ଫଳରେ ସ୍ଥାନୀୟ ଜୟଶଙ୍ଗପୁର, ଜିଲାନାସୀ, ମାଧପୁର ଓ ସାହାରାଡିହା ଭଳି ବହୁ ଗାଁକୁ ବୁଡ଼ାଇ ଦେଇଛି ମହାନଦୀର ବନ୍ୟାଜଳ । ସେହିଭଳି ବଡ଼ବାଲିକଣି ନିକଟରେ ପାଇକା ନଦୀବନ୍ଧରେ ବି ଘାଇ ଯୋଗୁଁ ବାଲିକଣି, ହଂସୁରା, କାଠକୋଟ ଭଳି ୫ଟି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ସାଙ୍ଗକୁ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ହଜାର ହଜାର ଲୋକ ।

ପୁରୀ ଜିଲ୍ଲା କଣାସରେ ମକରା ନଈରେ ଆଜି ସକାଳୁ ଘଳିଆରୁ ସୃଷ୍ଟି ହୋଇଥିଲା ବିଶାଳ ଘାଇ । ପ୍ରାୟ ୨୦ ଫୁଟ ଚଉଡ଼ାର ଘାଇ ଫଳରେ କଣାସ ବ୍ଲକର ୫ଟି ପଞ୍ଚାୟତର ପ୍ରାୟ ୨୫ଟି ଗାଁକୁ ପ୍ରଭାବିତ କରିଛି ବନ୍ୟା । ଫଳରେ ଚାଷ, ବାସ ସବୁ ନଷ୍ଟ ହୋଇଛି । ତେବେ ବ୍ଲକ ପ୍ରଶାସନର ତ୍ୱରିତ ଉଦ୍ୟମ ଯୋଗୁଁ ଘାଇ ମରାମିତ ହୋଇଯାଇଥିବାରୁ ଲୋକେ ଆଶ୍ୱସ୍ତ ହୋଇଛନ୍ତି । ସେପଟେ ଦୟା ଓ ରାଜୁଆ ନଦୀର ପାଣି ପଶି କଣାସ ବ୍ଲକର ଆଉ କିଛି ଅଞ୍ଚଳକୁ ପ୍ରଭାବିତ କରିଛି ।

ଏପଟେ ମହାନଦୀରେ ଉଛୁଳା ପାଣି ପଶି ବାଙ୍କୀ ଡମପଡ଼ା ଅଞ୍ଚଳର ବ୍ୟାପକ ଅଞ୍ଚଳକୁ ଜଳମଗ୍ନ କରିଛି । ଏହି ବ୍ଲକର ୭ଟି ପଞ୍ଚାୟତବାସୀଙ୍କୁ ଏବେ ଜଳବନ୍ଦୀ ଅବସ୍ଥାରେ ବିଲିପଡ଼ା ପଞ୍ଚାୟତ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ଏପଟେ ଆଜି ସକାଳ ୧୦ଟା ପରଠୁ କଟକ-ବାଙ୍କୀ ମୁଖ୍ୟ ରାସ୍ତା ବନ୍ୟାଜଳରେ ବୁଡିଯିବା ପରେ ଯାତାୟତରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି ।

ସେପଟେ କଟକ ତିଗିରିଆରେ ବି ସ୍ଥିତି ଉଚ୍ଛନ୍ନ । ମହାନଦୀ ବନ୍ୟାଜଳରେ ବୁଡ଼ି ରହିଛି ଅଞ୍ଚଳର ଶହ ଶହ ଏକର ଏକର ଚାଷ ଜମି । ଜଳବନ୍ଦୀ ଅବସ୍ଥାରେ ଅନେକ ଗାଁ । ଏଣେ ତିନି ଦିନ ଧରି ଜଳବନ୍ଦୀ ଅବସ୍ଥାରେ ଥିବା ବଡ଼ମ୍ବାର ଭଟ୍ଟାରିକା ମନ୍ଦିର ଆଜି ସମ୍ପୂର୍ଣ୍ଣ ବୁଡ଼ି ଯାଇଛି । ସେହିଭଳି ବଡମ୍ବାର ସଙ୍ଖାମେରୀ, ଗମେଇ, ବଙ୍ଗରିସିଙ୍ଗା, ଗୋପୀନାଥପୁର, କଣ୍ଢା ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି । ମହାନଦୀ ଅବବାହିକାରେ ଥିବା ଧବଳେଶ୍ୱର ପୀଠକୁ ଘେରିିଛି ବନ୍ୟାଜଳ । ସେହିଭଳି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଅଂଶୁପାକୁ ବି ବୁଡାଇ ରଖିଛି ମହାନଦୀର ଗୋଳିଆ ପାଣି ।

ରାଜ୍ୟର ଉପକୂଳ ଜିଲ୍ଲାରେ ବନ୍ୟା ବିଭିଷୀକା ଭିତରେ ସାମ୍ନାକୁ ଆସିଛି କିଛି ଛାତିଥରା ଦୃଶ୍ୟ । ଗତକାଲି ରାତିରେ ଆଠଗଡ଼ ନିକଟ ପୁରୁଣାକଟକ-ସମ୍ବଲପୁର ରାସ୍ତାର ଘଣ୍ଟିଖାଲ ନିଧିପୁର ଗଡ଼ାରେ ଏକ ଚଳନ୍ତା କାରକୁ ଭସାଇ ନେଇଥିଲା ବନ୍ୟା ସୁଅ । ଏଥିରେ ଥିବା ୪ ଜଣ ଯାତ୍ରୀ ଜୀବନ ବିକଳରେ ସେହି କାର ଛାତ ଉପରେ ହିଁ ୩ ଘଣ୍ଟା ଧରି ଅପେକ୍ଷା କରିବା ପରେ ସେମାନଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ । ପରେ କାରଟିକୁ ମଧ୍ୟ ଉଦ୍ଧାର କରାଯାଇଥିଲା ।