• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ନିଶ୍ଚିତ ହେବ । ଏଠାରେ ବନ୍ୟାର ପ୍ରକୋପ ଟିକେ ଅଧିକ ରହିବ । ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ନେଇ ଏହି ସତର୍କ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ଏସଆରସିଙ୍କ ସୂଚନା ଅନୁସାରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷିଛି । ବର୍ତ୍ତମାନ ଗାଲୁଡିହି ବ୍ୟାରେଜର ୧୬ଟି ଗେଟ୍ ଖୋଲା ରହିଛି ।

ଏହି କାରଣରୁ ସେଠାରୁ ପ୍ରାୟ ୫ ଲକ୍ଷ କ୍ୟୁସେକ୍ ପାଣି ଆସୁଛି । ତେଣୁ ସୁବର୍ଣ୍ଣରେଖା ଅବବାହିକାରେ ନିଶ୍ଚିତ ବନ୍ୟା ହେବ । ଏହାର ମୁକାବିଲା ପାଇଁ ୫୮ଟି ଅତିରିକ୍ତ ରେସ୍କ୍ୟୁ ଟିମ୍ ୨ ଜିଲ୍ଲାକୁ ଯାଇଛନ୍ତି । ବନ୍ୟା ହେବାକୁ ଥିବାରୁ ଜୀବନହାନି କେମିତି ନ ହେବ ସେଥିପ୍ରତି ପ୍ରଶାସନ ପ୍ରାଥମିକତା ଦେଇଛନ୍ତି ବୋଲି କହିଛନ୍ତି ଏସଆରସି ।

ସେହିପରି ମହାନଦୀ ସିଷ୍ଟମରେ ଆଉ ବନ୍ୟା ସ୍ଥିତି ଅଧିକ ହେବନି କହିଛନ୍ତି SRC । ମୁଣ୍ଡଳିରେ ଜଳ ପ୍ରବାହ ୮ ଲକ୍ଷ ୩୦ ହଜାର କ୍ୟୁସେକୁ ଆସିଲାଣି । କନ୍ଧମାଳ, କଳାହାଣ୍ଡି, ବୌଦ୍ଧରେ ଅଧିକ ବର୍ଷା ସତ୍ତ୍ୱେ ପ୍ରଭାବ ପଡ଼ିବନି । କାରଣ ହୀରାକୁଦର କେବଳ ୪ଟି ଗେଟ୍ ଖୋଲା ଅଛି, ଆଉ ସବୁ ବନ୍ଦ ରହିଛି । ତେଣୁ ମହାନଦୀକୁ ନେଇ ଆଉ ବିପଦ ଆଶଙ୍କା ନାହିଁ ।

ଅନ୍ୟପଟେ ଲଗାଣ ବର୍ଷା ପରେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି । ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନୀରେ ବିପଦ ସଂକେତ ୫.୫୦ ମି. ଥିବା ବେଳେ ଜଳସ୍ତର ୬.୯୦ ମି. ରହିଛି । ବୁଢ଼ାବଳଙ୍ଗର ବିପଦ ସଂକେତ ୮.୧୩ ମି ଥିବା ବେଳେ ଜଳସ୍ତର ଏବେ ୭.୪୨ ମି. ରହିଛି । ସୁବର୍ଣ୍ଣରେଖାର ବିପଦ ସଂକେତ ୧୦.୩୬ ମି.ଥିବା ବେଳେ ଜଳସ୍ତର ୭.୯୮ ମି.ରହିଛି । ବୁଢାବଳଙ୍ଗ ନଦୀର ପାଣି ଯୋଗୁଁ ବାଲେଶ୍ୱର ସହର ତଳି ଅଞ୍ଚଳ ଜଳମଗ୍ନ ହୋଇପଡିଛି । ଫୁଲାଡ଼ି, ଚାନ୍ଦମାରିପଡ଼ଇା, କଣ୍ଟାବଣିଆ, ପସିମିଳାରେ ବନ୍ୟାଜଳ ପଶିଛି । ବ୍ୟାପକ ଅଞ୍ଚଳ ଜଳମଗ୍ନ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି ।