/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686667273.jpg)
Cyclone Biparjoy
ବଡ଼ ବିପର୍ଯ୍ୟୟ ଆଣିବ କି ବିପର୍ଯ୍ୟୟ? ଅଶାନ୍ତ ସମୁଦ୍ର, ଉଚ୍ଚ ଜୁଆର, ଉଦ୍ଧତ ଲହଡ଼ି... ସ୍ଥଳ ଭାଗ ଛୁଇଁବାକୁ ପ୍ରାୟ ୪୮ ଘଣ୍ଟା ବାକିଥିଲେ ବି, ଆରବ ସାଗରରେ ବଳ ଦେଖାଉଛି ବାତ୍ୟା 'ବିପର୍ଯ୍ୟୟ' । ମୁମ୍ବାଇରୁ ଗୁଜରାଟ ଯାଏଁ, ୱର୍ଲି ଓ ଜୁହୁ ବିଚରୁ ନଭସାରୀ ଓ ଦ୍ୱାରକା ଗୋମତି ଘାଟ ଯାଏଁ । ଛାତିରେ ଛନକା ଆଣୁଛି ଘୋଘୋ ସମୁଦ୍ର, ସୁଁ ସୁଁ ପବନ।
ଲୋକଙ୍କୁ ସମୁଦ୍ରକୁ ଯିବାରୁ ରୋକିବା ପାଇଁ ବେଳାଭୂମିରେ ପୋଲିସ ଓ ଲାଇଫଗାର୍ଡ ମୁତୟନ ହୋଇଛନ୍ତି । ବାତ୍ୟା 'ବିପର୍ଯ୍ୟୟ' ୧୫ ତାରିଖ ସନ୍ଧ୍ୟା ସୁଦ୍ଧା ଗୁଜରାଟର ସୌରାଷ୍ଟ୍ର ଓ କଚ୍ଛ ନିକଟ ଜଖୌ ପୋର୍ଟ ନିକଟରେ ସ୍ଥଳଭାଗକୁ ଛୁଇଁବ। ଏହା ସମୁଦ୍ରରେ ଦୁର୍ବଳ ହୋଇ ଅତି ପ୍ରବଳ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଥିଲେ ବି, ଲ୍ୟାଣ୍ଡଫଲ ବେଳକୁ ଏହା ବ୍ୟାପକ କ୍ଷୟକ୍ଷତି ଘଟାଇବାର ଆଶଙ୍କା ରହିଛି ବୋଲି ସତର୍କ କରିଛି ଭାରତୀୟ ପାଣିପାଗ ବିଭାଗ । ସେତେବେଳେ ପବନର ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ଏବଂ ବେଳେବେଳେ ୧୫୦ କିଲୋମିଟର ବେଗରେ ବହିବ ବୋଲି ପୂର୍ବାନୁମାନ କରାଯାଇଛି ।...
ବିପର୍ଯ୍ୟୟ ପାଇଁ ଆକ୍ସନ ମୋଡରେ ଭାରତୀୟ ତଟରକ୍ଷୀ ବାହିନୀ । ଦ୍ୱାରକା ତଟରୁ ୪୦ କିଲୋମିଟର ଦୂରରେ ସମୁଦ୍ର ଭିତରେ ଥିବା 'କି ସିଙ୍ଗାପୁର' ଅଏଲ ରିଗ୍ ରୁ ଧ୍ରୁବ ହେଲିକପ୍ଟର ସହାୟତାରେ ସମସ୍ତ ୫୦ କର୍ମଚାରୀଙ୍କୁ ରାତାରାତି ଉଦ୍ଧାର କରିଛି କୋଷ୍ଟଗାର୍ଡ। ତେଣେ ସମୁଦ୍ରକୂଳିଆ ଜନବସତିକୁ ବି ଖାଲି କରାଯାଉଛି ।
ବାତ୍ୟା ବିପର୍ଯ୍ୟୟ ଗୁଜରାଟର ମାଣ୍ଡଭି ଓ ପାକିସ୍ତାନର କରାଚୀ ସନ୍ନିକଟ ଉପକୂଳ ଅଧିକ ପ୍ରଭାବିତ ହେବାକୁ ଥିବା ବେଳେ ସତର୍କତା ଦୃଷ୍ଟିରୁ କଚ୍ଛ, ପୋରବନ୍ଦର, ଦେବଭୂମି ଦ୍ବାରକା, ଗିର-ସୋମନାଥ ଜାମନଗର, ଜୁନାଗଡ଼ ଓ ମୋର୍ବି ଆଦିରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ପ୍ରାୟ ୨୧ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି ଗୁଜରାଟ ସରକାର।
ବିପର୍ଯ୍ୟୟ ମୁକାବିଲାର ଆଗୁଆ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର, ବାୟୁସେନା, ନୌସେନା, କୋଷ୍ଟଗାର୍ଡ, ଏନ୍ଡିଆରଏଫ୍ ଓ ଏସଡିଆରଏଫ୍ । ବର୍ତ୍ତମାନ ଏନଡିଆରଏଫର ୧୨ଟି ଟିମ୍ ନିୟୋଜିତ ହୋଇଥିବାବେଳେ ଆଉ ୧୫ଟି ଟିମ୍ ପ୍ରସ୍ତୁତ ଅଛନ୍ତି ।.
ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାତ୍ୟା ମୁକାବିଲା ପ୍ରସ୍ତୁତି ସଂପର୍କରେ ପଚାରିବୁଝିବା ସହିତ କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଆଶ୍ୱସ୍ତ କରିଛନ୍ତି ମୋଦି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦିଲ୍ଲୀ ବିଜ୍ଞାନ ଭବନରେ ବରିଷ୍ଠ ଅଧିକାରୀଙ୍କ ସହିତ ଏସଂପର୍କିତ ସମୀକ୍ଷା କରିଛନ୍ତି ।
ତେଣେ ଭୁଜ ମିଲିଟାରୀ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିବା ସହିତ ଯବାନଙ୍କୁ ଉତ୍ସାହିତ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ। ଏଥିସହ କାଣ୍ଡଲା ପୋର୍ଟ ଗସ୍ତ କରି ପୂରା ପ୍ରକ୍ରିୟାକୁ ତଦାରଖ କରିଛନ୍ତି ।...
ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବିପର୍ଯ୍ୟୟ କେତେ ବିପର୍ଯ୍ୟୟ ଆଣିବ, ତାହା ତ ସମୟ କହିବ, କିନ୍ତୁ ପାଣିପାଗ ବିଭାଗ ସୂଚନା ଅନୁସାରେ ବିଗତ ୫ ବର୍ଷ ଭିତରେ ଏହା ଗୁଜରାଟ ପାଇଁ ଚତୁର୍ଥ ବଡ଼ ବାତ୍ୟା ହେବାକୁ ଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)