Advertisment

୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ: ୨୫ରୁ ପୁଣି ଏକ ଘୂର୍ଣ୍ଣିବଳୟ !

ଲଘୁଚାପ ସବଳ, ସକ୍ରିୟ। ତୁହାକୁ ତୁହା କାଚୁଛି। ୨୪ ଘଣ୍ଟାରେ ୫ ସ୍ଥାନରେ ଅତିପ୍ରବଳ ତ ୩୦ରୁ ଅଧିକ ସ୍ଥାନରେ ନିର୍ଦ୍ଧୁମ୍ ବର୍ଷିଛି।

author-image
Chandan Shishu
undefined

low pressure

୧୦ ଦିନ ହେଲା ଟାଇଁ ଟାଇଁ ଖରା ଥିଲା, ହେଲେ ଲଘୁଚାପ ଫଳରେ ଦୁଇ ଦିନ ହେଲା ରାଜ୍ୟବ୍ୟାପୀ ବର୍ଷା। କେଉଁଠି ଝିପିଝିପି ତ କେଉଁଠି ଢାଳୁଛି। ତେଲକୋଇରେ ସର୍ବାଧିକ ୧୮୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଫୁଲବାଣୀରେ ସାଲୁଙ୍କି ନଦୀ ଫୁଲୁଥିବା ଖବର ଆସିଛି। ଏପଟେ ଆସନ୍ତାକାଲି ସକାଳ ଯାଏଁ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ବି ଜାରି ହୋଇଛି। ତେଣେ ମରୁଡ଼ି ଆଶଙ୍କାରେ ଥିବା ଚାଷୀଙ୍କ ପାଇଁ ଏ ବର୍ଷା ସଂଜିବନୀ ସଦୃଶ ହୋଇଛି। ଆଗକୁ ୨୩ ତାରିଖରୁ ଘୂର୍ଣ୍ଣିବଳୟ ଫଳରେ ପୁଣି ବର୍ଷା ହେବ ବୋଲି ଆଶ୍ବାସନା ଦେଇଛି ପାଣିପାଗ ବିଭାଗ।

Advertisment

ଲଘୁଚାପ ସବଳ, ସକ୍ରିୟ। ତୁହାକୁ ତୁହା କାଚୁଛି। ୨୪ ଘଣ୍ଟାରେ ୫ ସ୍ଥାନରେ ଅତିପ୍ରବଳ ତ ୩୦ରୁ ଅଧିକ ସ୍ଥାନରେ ନିର୍ଦ୍ଧୁମ୍ ବର୍ଷିଛି। କେନ୍ଦୁଝର ତେଲକୋଇରେ ସର୍ବାଧିକ ୧୮୨.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ବାଙ୍କୀରେ ୧୮୨, ଗୁଡ଼ଭେଲାରେ ୧୩୯.୮ ମିଲିମିଟର ବର୍ଷା ହୋଇଛି। ଏଣେ ୬୩.୮ ମିଲିମିଟର ବର୍ଷାରେ ରାଜଧାନୀ ଭୁବନେଶ୍ବର ଓ  ୮୮ ମିମି ବର୍ଷାରେ ବେହାଲ ହୋଇଛି ଜଟଣୀ ସହର। 

ବୌଦ୍ଦ ସହରରେ ମାଠିଆରୁ ଓଜାଡିଲା ଭଳି ବର୍ଷା। ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ସବୁଠି ଜୀବନଯାତ୍ରା ବେହାଲ୍। ଏଣେ କନ୍ଧମାଳରେ ସାରା ରାତି ବର୍ଷା ପରେ ଜିଲ୍ଲାର ସବୁ ଛୋଟ ବଡ଼ ନଦୀ ଫୁଲିବାରେ ଲାଗିଛି। ସାଲୁଙ୍କି ନଦୀ ବଢୁଥିବାରୁ ଫୁଲବାଣୀ ସହରର ନଦୀଖଣ୍ଡି ସାହିରୁ ଡାକପାଲାକୁ ସଂଯୋଗ କରୁଥିବା ପୋଲ ଉପରେ ପାଣି ଚାଲୁଛି। 

Advertisment

ତେଣୁ ଡାକପାଲା ସମେତ ଆଖପାଖ ଗାଁକୁ ଯାତାୟାତ ବାଧାପ୍ରାପ୍ତ ହେଇଛି। ସେପଟେ ଆଗାମୀ ୨ଦିନ ପାଇଁ ବି ବର୍ଷା ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତାକାଲି ପାଇଁ ୧୩ ଜିଲ୍ଲାକୁ ଅରେଞ୍ଜ ଓ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରିଛି। ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଦ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର , ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା ଓ ବରଗଡ଼। 

ଏସବୁ ଜିଲ୍ଲାରେ ୭ରୁ ୨୦ ସେଣ୍ଟିମିଟର ଯାଏଁ ବର୍ଷା ନେଇ ଅନୁମାନ କରାଯାଇଛି। ସେପଟେ ଆସନ୍ତା ୨୫ ତାରିଖ ବେଳକୁ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଓ ଏହା ପ୍ରଭାବରେ ୨୩ ତାରିଖ ପରଠୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି।

ଏପଟେ ଦୁଇ ଦିନର ଭଲ ବର୍ଷା ପରେ ପୁଣି ତରତର ଚାଷୀ। ଖୋର୍ଦ୍ଧାରେ କେଉଁଠି ତଳି ରୁଆରେ ଚାଷୀ ବ୍ୟସ୍ତ ତ ପୁଣି କେଉଁଠି ମଇ ଧରି ବେଉଷଣରେ ଲାଗିଛି ଚଷା ପୁଅ। ୧୦ରୁ ୧୨ ଦିନ ହେଲା ମୌସୁମୀ ଦୁର୍ବଳ ଥିବାରୁ ମରୁଡ଼ି ଆଶଙ୍କା ବି ଉପୁଜିଥିଲା। ହେଲେ ଲଘୁଚାପ ବର୍ଷା ପରେ ଜମିରେ ପାଣି ଲାଗିବା ପରେ ଚାଷୀଙ୍କୁ ଆଶ୍ବସ୍ତି ମିଳିଛି।

ସମାନ ଚିତ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ। ତଳି ଉପାଡ଼ି ବାନ୍ଧିବାରେ ଲାଗିଛନ୍ତି ଚାଷୀ। ଆଉ ଦିନ କେଇଟା ଯଦି ଟାଣ ଖରା ହୋଇଥାନ୍ତା, ତାହାଲେ ତଳି ବି ଠିଆ ଜଳି ଯାଇଥାନ୍ତା। ତଥ୍ୟ କହୁଛି ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟର ୧୧ ଜିଲ୍ଲାରେ ୧୦ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଥିଲା।  କିନ୍ତୁ ବର୍ତ୍ତମାନର ବର୍ଷା ଓ ଆଗକୁ ୨୫ ତାରିଖରୁ ହେବାକୁ ଥିବା ଲଘୁଚାପ ଏହା ଭରଣା କରିଦେବ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି।

Orange Warning Heavy Rainfall Alert
Advertisment
Advertisment