ଆସନ୍ତା ୧୭/୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମକୁ ଗତି କରି ଘନୀଭୂତ ହୋଇପାରେ।ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୨୦ରେ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ସମ୍ଭାବନା ଥିବାବେଳେ କ୍ରମଶଃ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା ଆକଳନ କରାଯାଇଛି।
#୧୮ତାରିଖ ବେଳକୁ ଉତ୍ତର-ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ #ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି
— Meteorological Centre, Bhubaneswar (@mcbbsr) October 14, 2022
ଆଗାମୀ ୭ ଦିନ ମଧ୍ୟରେ ବାତ୍ୟା ସମ୍ଭାବନା ନାହିଁ। ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଅକ୍ଟୋବର ୧୨ ତାରିଖରେ IMD ଡିଜି ସୂଚନା ଦେଇଥିଲେ ଯେ, ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସୃଷ୍ଟ ଘୂର୍ଣ୍ଣିବଳୟଟି କ୍ରମଶଃ ଦୁର୍ବଳ ହେଉଛି। ୧୭ କିମ୍ବା ୧୮ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।
‘୧୮ ତାରିଖ ପରେ ରୂପରେଖ କ’ଣ ରହିବ ତାହା ଏବେ କହିବା ଠିକ୍ ହେବନି। ତେବେ ଆଗାମୀ ୭ ଦିନ ମଧ୍ୟରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ନାହିଁ। ଓଡ଼ିଶା ପାଇଁ କିଛି ବିପଦ ସମ୍ଭାବନା ନାହିଁ’ ବୋଲି IMD ଡିଜି କହିଛନ୍ତି। ସେ ଆହୁରି କହିଥିଲେ ଯେ, ‘ଆମେ ସମସ୍ତ ମଡେଲକୁ ଦେଖି ଏକ ନିର୍ଣ୍ଣୟ ନେଇଥାଉ। ଅନ୍ୟ ବିକଶିତ ରାଷ୍ଟ୍ର ଅପେକ୍ଷା IMD ଅଧିକ ସଠିକ୍ ଆକଳନ କରିଥାଏ। ତେଣୁ IMD ଉପରେ ବିଶ୍ୱାସ ରଖନ୍ତୁ’।