• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଉତ୍ତର ଓଡ଼ିଶାରେ କମ୍ ପବନ ସହ ବର୍ଷା ହେବା ଆଶଙ୍କା

ଭୁବନେଶ୍ୱର : ସମୁଦ୍ର ଭିତରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଜଓ୍ୱାଦ । ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ପାଖାପାଖି ପହଞ୍ଚିଲା ବେଳକୁ ଆହୁରି ଶକ୍ତିହୀନ ହୋଇପଡ଼ିଥିବ ଓ ମୋଡ଼ ବଦଳାଇ ପଶ୍ଚିମବଙ୍ଗ ଆଡକୁ ଚାଲିଯିବ ବୋଲି କହିଛି ଆଇଏଡି । ତେବେ ବାତ୍ୟା ପ୍ରଭାବରେ ପବନ କମ୍, ବର୍ଷା ଅଧିକ ହେବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେଣେ ବାତ୍ୟା କୋପ କମ୍ ଥିବା ଜାଣି ମାତ୍ର ଦେଢ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇ ଥିବାବେଳେ ୩ଶହ ଗର୍ଭବତୀଙ୍କୁ ଆଗୁଆ ହସ୍ପିଟାଲ ନିଆଯାଇଛି ।

ଆସନ୍ତାକାଲି ପୁରୀ ଉପକୂଳ ପାଖାପାଖି ହେବା ବେଳକୁ ଶକ୍ତିହୀନ ହୋଇଯିବା ଅନୁମାନ କରୁଛି ଭାରତୀୟ ପାଣିପାଗ ବିଭାଗ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି ଜଓ୍ୱାଦ । ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ଆହୁରି ଦୁର୍ବଳ ହୋଇ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ମୁହାଁ ହେବ । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଗତକାଲି ସାପରଠୁ ଝିପି ଝିପି ବର୍ଷା ଆରମ୍ଭ ହୋଇଥିଲା, ଯାହା ଆଜି ମଧ୍ୟାହ୍ନ ଯାଏଁ ଲାଗି ରହିଥିଲା । ହେଲେ ତାପରଠୁ ହଠାତ୍ ଥମି ଯାଇଥିଲା । କିନ୍ତୁ କୌଣସି ସ୍ଥାନରେ ପବନର କୋପ ଦେଖିବାକୁ ମିଳିନଥିଲା ।

ସେପଟେ ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତିଅ ଆସନ୍ତାକାଲି ବାତ୍ୟା ପୁରୀ ଛୁଇଁଲା ବେଳକୁ ପବନ ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିମି ରହିପାରେ । ପବନ ବେଗ କମିବା ଆକଳନ ଥିବାରୁ ଭିତ୍ତିଭୂମି କ୍ଷତି ହେବାର ବି ଆଶଙ୍କା କମ୍ ରହିଛି । କାଲି ସଂଧ୍ୟା ବେଳକୁ ଓଡ଼ିଶାରୁ ବାତ୍ୟା ପ୍ରଭାବ ସଂପୂର୍ଣ୍ଣ ହଟିଯିବ । ତେଣୁ ଆଉ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବାର ଆବଶ୍ୟକତା ପଡିବନି ।

ତେବେ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବର୍ଷା ସହ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର ଓ ଭକ୍ରକ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ଅନୁମାନ ରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ପାରାଦୀପରେ ୬୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଗୋପାଳପୁରରେ ୪୫.୩ ଓ ପୁରୀରେ ୪୫ ମିମି ବର୍ଷା ରେକର୍ଡ କରାଯାଇଛି ।

 

ତେବେ ବାତ୍ୟା କୋପରୁ ଲୋକଙ୍କୁ ସୁରକ୍ଷା ଦେବାକୁ ସବୁଠି ଆଗୁଆ ସଜାଗ ହୋଇଥିଲା ପ୍ରଶାସନ । ଖୋର୍ଦ୍ଧା ଜିଲ୍ଲାରେ ଚିଲିକା କୂଳ ଅଞ୍ଚଳର କଚ୍ଚା ଘରେ ରହୁଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ବାଲୁଗାଁ ଏନଏସି ପକ୍ଷରୁ ୧୭ଜଣ ଶିଶୁ ଓ ମହିଳାଙ୍କୁ ସ୍ଥାନୀୟ ହାଇସ୍କୁଲରେ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଥିଲା ।

ଖୋର୍ଦ୍ଧା ଭଳି ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲାରେ ବି କେତେକ ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଏସଆରସିଙ୍କ ସୂଚନା ଅନୁସାରେ, ଏଥର ମାତ୍ର ଦେଢ଼ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇ ଥିବାବେଳେ ୩ଶହ ଗର୍ଭବତୀ ମହିଳାଙ୍କୁ ଆଗୁଆ ହସ୍ପିଟାଲ ନିଆଯାଇଛି ।