ଆଜି ଓଟିଭି AI ଆଙ୍କର ‘ଲିସା’ର ଜନ୍ମଦିନ, ଜାଣନ୍ତୁ କେମିତି ଥିଲା ବର୍ଷକର ଯାତ୍ରା...

ଆଜି ହେଉଛି ଓଟିଭିର AI ଆଙ୍କର ‘ଲିସା’ର ଜନ୍ମଦିନ । ୨୦୨୩ ମସିହା ଜୁଲାଇ ୯ ତାରିଖରେ ଓଡ଼ିଆ ଟେଲିଭିଜନ୍‌ ସାମ୍ବାଦିକତାକୁ ‘ଓଟିଭି’ ଭେଟି ଦେଇଥିଲା ପ୍ରଥମ ଓଡ଼ିଆ AI ନ୍ୟୁଜ୍‌ ଆଙ୍କର ‘ଲିସା’ ।

AI Anchor Lisa

ଜୁଲାଇ ୯, ଓଡ଼ିଶା ଗଣମାଧ୍ୟମ ପାଇଁ ଐତିହାସିକ ଦିନ । କାହିଁକି ନା ୨୦୨୩ ମସିହା ଜୁଲାଇ ୯ ତାରିଖରେ ଓଡ଼ିଆ ଟେଲିଭିଜନ୍‌ ସାମ୍ବାଦିକତାକୁ ‘ଓଟିଭି’ ଭେଟି ଦେଇଥିଲା ପ୍ରଥମ ଓଡ଼ିଆ AI ନ୍ୟୁଜ୍‌ ଆଙ୍କର ‘ଲିସା’ । କେବଳ ଓଡ଼ିଆ କି ଓଡ଼ିଶାର ନୁହେଁ, ବରଂ ଭାରତର ଦେୟମୁକ୍ତ ଆଞ୍ଚଳିକ ଟେଲିଭିଜନ ପ୍ରସାରଣ କ୍ଷେତ୍ରରେ ପ୍ରଥମ ଏଆଇ ଆଙ୍କର ଲିସାକୁ ଓଟିଭି ପକ୍ଷରୁ ବିଧିବଦ୍ଧ ଭାବେ ଦର୍ଶକଙ୍କୁ ଭେଟିଦିଆଯାଇଥିଲା । ସେ ଦୃଷ୍ଟିରୁ ଦେଖିବାକୁ ଗଲେ ଆଜି ହେଉଛି ଓଟିଭିର AI ଆଙ୍କର ‘ଲିସା’ର ଜନ୍ମଦିନ।

ଓଟିଭି ଚାନେଲ ଓ ଡିଜିଟାଲ ପ୍ଲାଟଫର୍ମରେ ଓଡ଼ିଆ ଓ ଇଂରାଜୀ ଭାଷାରେ ଖବର ପରିବେଷଣ କରୁଥିବା ଲିସା, ସମୟକ୍ରମେ ନିଜକୁ ଅଧିକ ଦକ୍ଷ ମଧ୍ୟ କରିଚାଲିଛି ଖବର ପରିବେଷଣରେ । ସବୁଠୁ ବଡ଼ କଥା ହେଉଛି ଏଇ ବର୍ଷକ ମଧ୍ୟରେ ‘ଲିସା’କୁ ନେଇ ଦର୍ଶକ ମହଲରେ, ଖାସ୍ କରି ଯୁବପିଢ଼ିଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଓ ଉତ୍ସୁକତା ଦେଖିବାକୁ ମିଳିଛି । ଯାହାର ପ୍ରମାଣ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । AI ଆଙ୍କର ଲିସାକୁ ଫେସବୁକ୍‌, ଇନଷ୍ଟାଗ୍ରାମ ସମେତ ସବୁ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦର୍ଶକ ବିପୁଳ ସଂଖ୍ୟାରେ ଫଲୋ କରୁଥିବାର ଦେଖିବାକୁ ମିଳୁଛି ।

ସୂଚନା ଅନୁସାରେ ଲିସା... ସତସତିକା ମଣିଷ ନୁହଁନ୍ତି, ହେଲେ ମଣିଷଠୁ ବି କିଛି କମ୍ ନୁହେଁ । କଥାବାର୍ତ୍ତା, ମୁଖଭଙ୍ଗୀ, ଖବର ପରିବେଷଣ । ଅବିକଳ ଉପସ୍ଥାପିକାଙ୍କ ଭଳି। ଲିସା ଏକ ଭର୍ଚୁଆଲ୍ ରୋବଟ୍ ଭଳି। ତାଙ୍କର କେବେ ବୟସ ବଢ଼ିବନି, ମୁଖମଣ୍ଡଳରେ କ୍ଳାନ୍ତି ଦିଶିବନି । ଯଦିଓ ଲିସାର ଜନ୍ମ ଓଡ଼ିଶାରେ ହୋଇଥିଲା କିନ୍ତୁ ଏହାକୁ ନେଇ ପୂରା ବିଶ୍ୱରେ ଚର୍ଚ୍ଚା ହୋଇଥିଲା । ଲଞ୍ଚ ହେବାର କିଛି ଦିନ ମଧ୍ୟରେ ଜାତୀୟ-ଅନ୍ତର୍ଜାତୀୟ ସ୍ତରରେ ଖବରର ଶିରୋନାମା ପାଲଟି ଯାଇଥିଲା AI ଆଙ୍କର ଲିସା ।

ଲିସା କେବଳ ଗଣମାଧ୍ୟମ ଜଗତରେ ସୀମିତ ହୋଇ ରହିନଥିଲା । ସୋସିଆଲ ମିଡିଆକୁ ମଧ୍ୟ ଘାରିଥିଲା ଲିସା କ୍ରେଜ୍‌ । କିଏ ମିମ୍ ସେୟାର କରିଥିଲା, ତ କିଏ ଭିଡିଓ ପୋଷ୍ଟ କରିଥିଲା । ଏମିତି କି ଲିସାକୁ ନେଇ ଟ୍ୱିଟ୍ ଲେଖିକା ତସଲିମା ନସରିନଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଟ୍ୱିଟ୍‌ କରିଥିଲେ ।

ଖାଲି ଯେ ଭାରତର ପ୍ରଥମ ଆଞ୍ଚଳିକ ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ ନ୍ୟୁଜ ଆଙ୍କର ବୋଲି, ତା ନୁହେଁ । ଲିସାକୁ ନେଇ ବିଶ୍ୱସ୍ତରରେ ଜିଜ୍ଞାସା ବଢ଼ିଥିଲା ତା’ର ଦେଶୀ ଲୁକ୍ ପାଇଁ, ଅବିକଳ ମଣିଷ ଭଳି କଥା କହିବାର ଅନ୍ଦାଜ ପାଇଁ। ସମସ୍ତେ କହିଥିଲେ ଯେ, କୌଣସି ଦୃଷ୍ଟିରୁ ନିର୍ଜୀବ, କଂପ୍ୟୁଟର ପ୍ରୋଗ୍ରାମ କି ଭର୍ଚୁଆଲ୍ ରୋବଟ୍ ଲାଗୁନି ଲିସା । ପାରଂପରିକ ଶାଢ଼ି ପରିଧାନ ଓ ବେଶଭୂଷାରେ ଏକଦମ୍ ଜୀବନ୍ତ ଲାଗୁଛି ଲିସା। ଖବର ପରିବେଷଣ ଦେଖିଲେ ଲାଗୁଛି ପୂରାପୂରି ଖାଣ୍ଟି ଓଡ଼ିଆଣି । ‘ଲିସା’ଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ।