ଏଥର ନୂଆ ରୂପରେ ନୂଆ ଢ଼ଙ୍ଗରେ, ବଜାରକୁ ଆସିବ ଇ-ଭେହିକିଲ ଟାଟା ନାନୋ

ଇଏ ହେଉଛି ସେହି ଟାଟା ନାନୋ କାର, ଯାହାର ଦାମ ଏକ ବାଇକ୍‌ ଭଳି ଥିଲା । ଦେଶରେ ସବୁଠଉ ଶସ୍ତା କାର ଭାବେ ବେଶ୍‌ ଚର୍ଚ୍ଚିତ ଥିଲା ନାନୋ ।

Tata Nano

ପୁଣି ଥରେ ବଜାରକୁ ଆସିବ ଟାଟା ନାନୋ । ଏଥର ନୂଆ ରୂପରେ । ଆଉ ନୂଆ ଢ଼ଙ୍ଗରେ । ପୁଣି ଖୁବ୍ ଶସ୍ତାରେ । ସବୁଠାରୁ ବଡ଼ କଥା ହେଲା ଏଥର ନାନୋ ଚାଲିବ ଇଲେକ୍ଟ୍ରିରେ । ଆଉ ପକାଇବାକୁ ପଡ଼ିବନି ମହଙ୍ଗା ତେଲ । ମିଳିଥିବା ସୂଚନା ଅନୁଯାୟୀ ଟାଟା ନାନୋ ଉପରେ ପୁଣି ଥରେ କାମ ଆରମ୍ଭ କରିସାରିଛି ଟାଟା ମୋଟର୍ସ । ଏନେଇ ସୋସିଆଲ ମିଡିଆରେ ଏକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଫଟୋରେ ଖୋଦ୍‌ ରତନ ଟାଟା ନଜର ଆସିଛନ୍ତି । ଇଲେକ୍ଟ୍ରା ଇଭି ପକ୍ଷରୁ ଏହି ଫଟୋ ପୋଷ୍ଟ କରାଯାଇଛି । ରତନ ଟାଟାଙ୍କ ସହ ଏଥିରେ ନାନୋ କାର ମଧ୍ୟ ଦେଖାଯାଇଛି ।

ତେବେ ସବୁଠାରୁ ବଡ଼ କଥା ହେଲା, ଟାଟା ମୋଟର୍ସର ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ଯେ, ନାନୋ ଉପରେ କାମ ଚାଲିଛି । ଏଥିରେ ନୂଆ ଧରଣର ଟାୟାର ଓ ନୂଆ ସସ୍‌ପେନ୍‌ସନ ଲାଗିବ । ଆଉ ଅଧିକ ଆରାମଦାୟକ ହୋଇ ପୁଣି ଥରେ ବଜାରକୁ ଆସିପାରେ ନାନୋ । 

ଇଏ ହେଉଛି ସେହି ଟାଟା ନାନୋ କାର, ଯାହାର ଦାମ ଏକ ବାଇକ୍‌ ଭଳି ଥିଲା । ଦେଶରେ ସବୁଠାରୁ ଶସ୍ତା କାର ଭାବେ ବେଶ୍‌ ଚର୍ଚ୍ଚିତ ଥିଲା ନାନୋ । ୨୦୦୮ ମସିହାରେ ଯେତେବେଳେ ଟାଟା କମ୍ପାନୀ ପକ୍ଷରୁ ସବୁଠାରୁ ଶସ୍ତା କାର ବଜାର ପ୍ରବେଶ କରାଗଲା, ସେତେବେଳେ ପୁରା ଦେଶରେ ଚହଳ ସୃଷ୍ଟି ହୋଇଥିଲା । ଖାଲି ସେତିକି ନୁହେଁ ଟାଟା ନାନୋ କିଣିବା ପାଇଁ ଲୋକଙ୍କ ମନରେ ଏକ ଉତ୍ସାହ ଦେଖିବାକୁ ମିଳିଥିଲା । ଲୋକେ ଗାଡ଼ି କିଣିବା ପାଇଁ ଆଡ୍‌ଭାନ୍ସ ଟଙ୍କା ଦେଇ ମାସ ମାସ ଧରି ଅପେକ୍ଷା କରି ରହୁଥିଲେ । ହେଲେ ସମୟାନୁକ୍ରମେ ନାନୋର ଚାହିଦା କାମିଗଲା ଏବଂ ନାନୋ କାର ବଜାରକୁ ଆସିବା ବନ୍ଦ ହୋଇଗଲା ।

ଅଧିକ ପଢ଼ନ୍ତୁ: OLAର ଇଲେକ୍ଟ୍ରିକ୍ କାର୍ : ୪ ସେକେଣ୍ଡରେ ୧୦୦ କିମି

ଏବେ ଦେଶରେ ସବୁଠୁ ଶସ୍ତା ଏବଂ ଭଲ ଇଲେକ୍ଟ୍ରିକ ଗାଡ଼ି ଦେଉଛି ଟାଟା କମ୍ପାନୀ । ଇ-ଭେହିକିଲ ଉପରେ ଟାଟା ଅଧିକ ଫୋକସ୍‌ ଦେଉଥିବା ଦେଖାଯାଇଛି । ଟାଟା ନେକ୍ସନ, ଟାଟା ଟିଗୋର, ଟାଟା ଟିଆଗୋ ଏବଂ ଏକ୍ସପ୍ରେସ୍‌-ଟି କୁ ଇ-ଭେହିକିଲ ଭାବେ ବଜାର ପ୍ରବେଶ କରାଇସାରିଛି ଟାଟା । ଏହି ଗାଡ଼ି ଗୁଡ଼ିକ ଖୁବ୍‌ ପ୍ରଶଂସା ମଧ୍ୟ ସାଉଁଟୁଛି ।

ଆର୍ଥିକ ବର୍ଷ ୨୦୨୧ରେ ଟାଟା ମୋଟର୍ସ ପକ୍ଷରୁ ୫ ହଜାର ଇ-ଭେହିକିଲ ବିକ୍ରି ହୋଇଛି । ଏହାପରେ ୨୦୨୨ରେ ୧୯ ହଜାର ୫୦୦ ଇ-ଭେହିକିଲ ବିକ୍ରି ହୋଇଛି । ଆଉ ୨୦୨୩ରେ ୫୦ ହଜାର ଇ-ଭେହିକିଲ ବିକ୍ରି କରିବାର ଟାର୍ଗେଟ୍‌ ରଖାଯାଇଛି । ଆଉ ୨୦୨୪ ବେଳକୁ ଏକ ଲକ୍ଷ ବିକ୍ରିର ଟାର୍ଗେଟ ରଖାଯାଇଛି । ଆଗାମୀ ୫ ବର୍ଷ ମଧ୍ୟରେ ଟାଟା ମୋଟର୍ସ ପକ୍ଷରୁ ୧୦ଟି ମଡେଲ ଇ-ଭେହିକିଲ ବଜାରକୁ ଛଡ଼ାଯିବ ବୋଲି ଯୋଜନା ରହିଛି ।