• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ ସାରା ଦେଶରେ ଡିପ୍‌ ଫେକ୍‌ ଚର୍ଚ୍ଚା । ଜଣକ ପରେ ଜଣେ ସେଲିବ୍ରିଟିଙ୍କ ଡିପ୍‌ ଫେକ୍‌ ଭିଡିଓ ଭାଇରାଲ ହେବାରେ ଲାଗିଛି । ଆଉ ଏହାରି ଭିତରେ ଆମ ପାଖରେ ଏମିତି ଏକ ଖବର ଆସି ପହଞ୍ଚିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆଉ ତାହା ହେଲା ଜଣେ ରିଟାର୍ଡ IPS ଅଫିସରଙ୍କ ଚେହେରା ବ୍ୟବହାର କରି ଜଣେ ବ୍ୟକ୍ତିଙ୍କୁ କରାଯାଇଛି ବ୍ଲାକ୍‌ ମେଲ୍‌ । ଖାଲି ସେତିକି ନୁହେଁ, ପୁରା ଘଟଣା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ ।

ତେବେ କାହାଣୀଟି ହେଲା ଜଣେ ୭୫ ବର୍ଷିୟ ବୃଦ୍ଧଙ୍କୁ ହଠାତ୍‌ ହ୍ୱାଟ୍‌ସଆପ୍‌ରେ ଭିଡିଓ କଲ୍‌ ଆସିଲା । ଭିଡିଓ କଲ୍‌ ରିସିଭ୍‌ କରିବା କ୍ଷଣି, ଅନ୍ୟପଟେ ଜଣେ ମହିଳା ଉଲଗ୍ନ ଅବସ୍ଥାରେ ଥିଲେ । ଏହାକୁ ଦେଖି ବୃଦ୍ଧ ଜଣକ ମାତ୍ର କେଇ ସେକେଣ୍ଡ ମଧ୍ୟରେ ଭିଡିଓ କଲ କାଟି ଦେଇଥିଲେ । ହେଲେ ଏହି କେଇ ସେକେଣ୍ଡର ଭିଡିଓ କଲ ତାଙ୍କ ପାଇଁ କାଳ ସାଜିଲା । ଆଉ ତାଙ୍କ ଜୀବନ ଦୁର୍ବିସହ ପାଲଟିଗଲା । ତାଙ୍କୁ ବ୍ଲାକ୍‌ ମେଲ୍‌ କରାଗଲା । ତାଙ୍କୁ ଠାରୁ ଲକ୍ଷ ଲକ୍ଷ ଟଙ୍କା ଦାବି କରାଗଲା । ଟଙ୍କା ନଦେଲେ ଏହି ଭିଡିଓ ଭାଇରାଲ ହେବ ବୋଲି ଧମକ ଦିଆଗଲା ।

ଆପଣ ପୂର୍ବରୂ ମଧ୍ୟ ଏଭଳି କାହାଣୀ ଶୁଣିଥିବେ । ଏଥିରେ ଆପଣଙ୍କୁ କିଛି ନୂଆ ଲାଗୁନଥିବ । କିନ୍ତୁ ଏହି କାହାଣୀରେ ରହିଛି ଏକ ବଡ଼ ଟ୍ୱିଷ୍ଟ । ଆଉ ତାହା ହେଲା ବ୍ଲାକ୍‌ମେଲ୍‌ କରିଥିବା ବ୍ୟକ୍ତି ଜଣକ ଜଣେ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ !

ପ୍ରଥମ ନ୍ୟୁଡ୍‌ କଲ ଡିସକନେକ୍ଟ ହେବା ପରେ ବୃଦ୍ଧଙ୍କୁ ପୁଣି ଥରେ ଏକ ଭିଡିଓ କଲ ଆସିଥିଲା । ସେଥିରେ ଜଣେ ବ୍ୟକ୍ତି ସାମ୍ନାକୁ ଆସିଥିଲେ । ଆଉ ସେ ନିଜକୁ ରିଟାର୍ଡ ଆଇପିଏସ୍‌ ଅଧିକାରୀ ବୋଲି ପରିଚୟ ଦେଇଥିଲେ । ବାସ୍ତବରେ ଦେଖିବାକୁ ଗଲେ ଭିଡିଓ କଲରେ ଯେଉଁ ଚେହେରା ଥିଲା ତାହା ସତରେ ଜଣେ ଆଇପିଏସ୍‌ ଅଧିକାରୀଙ୍କର କିନ୍ତୁ ବ୍ୟକ୍ତି ଜଣକ ଅନ୍ୟ କେହି ଥିଲେ । ଆଉ ଏହା ଥିଲା ଡିପ୍‌ଫେକ୍‌ର କମାଲ । ଡିପ୍‌ଫେକ୍‌ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରି ଜଣେ ରିଟାର୍ଡ ଆଇପିଏସ୍‌ ଅଫିସରଙ୍କ ଚେହେରା ଲଗାଇ ସାଇବର ଠକ ଏଭଳି କରିଥିବା ଜଣାପଡ଼ିଛି ।

ପ୍ରଥମ କଲ କଟିବା ପରେ ଦ୍ୱିତୀୟ ଥର ଯେଉଁ କଲ ଆସିଥିଲା ସେଥିରେ ବ୍ୟକ୍ତି ଜଣକ ବା ଫେକ୍‌ ଆଇପିଏସ୍‌ ଅଧିକାରୀ, ବୃଦ୍ଧଙ୍କୁ କହିଥିଲେ ତୁମ ନାଁରେ ଥାନାରେ ମାମଲା ରୁଜୁ କରାଯାଇଛି । ତୁମେ ଟଙ୍କା ଦିଅ ନଚେତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଉ ସେହି ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ହାଣ୍ଡେଲରେ ପୋଷ୍ଟ କରାଯିବ । ଏମିତିକି ତୁମ ପରିବାର ଲୋକଙ୍କୁ ଏହି ଭିଡିଓ ପଠାଇ ତୁମକୁ ବେଜିତ କରାଯିବ ।

ରିଟାର୍ଡ ଆଇପିଏସ୍‌ ଅଧିକାରୀ ବୋଲି ଜାଣିବା ପରେ ବୃଦ୍ଧଙ୍କ ଭୟ ଦ୍ୱିଗୁଣିତ ହୋଇଥିଲା । ଯାହାଫଳରେ ଠକଙ୍କ ଦାବି ମୁତାବାକ ବାରମ୍ବାର ଟଙ୍କା ଦେଉଥିଲେ ବୃଦ୍ଧ ।

ତେବେ ଏଠି କଥା ଉଠୁଛି ଡିପ୍‌ଫେକ୍ କେତେ ଭୟଙ୍କର ହୋଇପାରେ । ଏହା ଉପରେ କିଭଳି ଲାଗିପାରିବ ରୋକ ? ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ଆଉ ଭୟ । ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯେତିକି ଲାଭ ଦାୟକ ତାଠାରୁ କାହିଁ କେତେ ଗୁଣରେ କ୍ଷତିକାରକ । ପୂର୍ବରୁ ଅନେକ ବିଶେଷଜ୍ଞ ମଧ୍ୟ ଏନେଇ ମତ ରଖିସାରିଛନ୍ତି । ଭୁଲ ହାତରେ ଯଦି ଏଭଳି ଟେକ୍ନୋଲୋଜି ପଡ଼େ ତେବେ ପରିସ୍ଥିତି କେତେ ଯେ ଭୟଙ୍କର ହେବ, ତାହା ଆକଳନ କରିବା ବି ମୁସ୍କିଲ ।