• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦେଶରେ ଚାଲିଛି ଭୟଙ୍କର ଗ୍ରୀଷ୍ମ ପ୍ରବାହ । ନିକଟରେ ଦିଲ୍ଲୀରେ ତାପମାତ୍ରା ୫୩ ଡିଗ୍ରୀ ଛୁଇଁଥିବା ବେଳେ ଓଡ଼ିଶାରେ ମଧ୍ୟ ବର୍ଷୁଛି ନିଆଁ । ଏହି ସମୟରେ ଅନେକ ଇଲେକ୍ଟ୍ରୋନିକ୍ସ ଫାଟିବାର ମଧ୍ୟ ଖବର ଆସୁଛି । ଅତ୍ୟଧିକ ତାପମାତ୍ରାକୁ ସହି ନପାରି ଇଲେକ୍ଟ୍ରୋନିକ୍ସ ଡିଭାଇସ୍‌ଗୁଡ଼ିକ ଫାଟୁଥିବା ଜଣାପଡ଼ିଛି ।

ନିକଟ ଅତୀତରେ ମୋବାଇଲ ଫୋନ୍ ଫାଟିବା ଦ୍ୱାରା ପୂରା ଫ୍ଲାଟ୍‌ରେ ନିଆଁ ଲାଗିଯାଇଥିବା କଥା ଆପଣମାନଙ୍କର ମନେଥିବ । ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୫୦ ଡିଗ୍ରୀରୁ ଅଧିକ ହେବା ସହିତ ପାରଦ ଉଚ୍ଚାରେ ରହିଛି । ଗ୍ରୀଷ୍ମ ଋତୁରେ ତାପମାତ୍ରା ବଢ଼ିବା କେବଳ ମଣିଷ ନୁହେଁ, ଇଲେକ୍ଟ୍ରୋନିକ୍ସ ଉପକରଣଗୁଡ଼ିକୁ ମଧ୍ୟ ବିପଦ ରହୁଛି ।

ଅତ୍ୟଧିକ ଉତ୍ତାପରେ ସ୍ମାର୍ଟଫୋନ୍, ଲାପଟପ୍, ଟିଭି, ଏପରିକି ଏୟାର କଣ୍ଡିସନର ଗରମ ହୋଇପାରେ । ଏହା ସହ ନିଆଁ ମଧ୍ୟ ଲାଗିପାରେ ବୋଲି ଜଣାପଡ଼ିଛି । ବିଭିନ୍ନ ପ୍ରକାର ବୈଦ୍ୟୁତିକ ଉପକରଣଗୁଡ଼ିକରେ ଥିବା ବିଭିନ୍ନ ପ୍ରକାର ଉପାଦାନ ମୁଖ୍ୟତଃ ଉତ୍ତାପ ସୃଷ୍ଟି କରେ । ଯେତେବେଳେ ଆଖପାଖର ତାପମାତ୍ରା ଅଧିକ ଥାଏ, ଏହି ଉପକରଣଗୁଡ଼ିକରେ ତାପମାତ୍ରା କମ୍‌ କରିବାକୁ ଥିବା ଯନ୍ତ୍ର ଠିକ୍‌ ସେ କାମ କରେନାହିଁ ।

ଫଳରେ ଡିଭାଇସ୍‌ଗୁଡ଼ିକ ଗରମ ହୁଏ ଓ ଅଗ୍ନିକାଣ୍ଡ ଘଟାଇପାରେ । ଏହି କାରଣ ପାଇଁ ହିଁ ଏୟାର୍‌ଲାଇନ୍ସଗୁଡ଼ିକରେ ଇଲେକ୍ଟ୍ରୋନିକ୍ସ ଏବଂ ପାୱାର ବ୍ୟାଙ୍କଗୁଡ଼ିକ ବ୍ୟାଗେଜରେ ନେବାକୁ ବାରଣ କରାଯାଏ । ସେହିଭଳି, ଯଦି ଆପଣ ଆପଣଙ୍କର ସ୍ମାର୍ଟଫୋନ୍ କିମ୍ବା ଲାପଟପ୍ ମଧ୍ୟାହ୍ନରେ ଘର ଭିତରେ ବ୍ୟବହାର କରୁଛନ୍ତି, ତେବେ ଆପଣ ଦେଖିବେ ଯେ, ବିନା ନଚାଲି ମଧ୍ୟ ସେଗୁଡ଼ିକ ଗରମ ହୋଇଯାଏ । ଏହା ମୁଖ୍ୟତଃ ସେଗୁଡ଼ିକ ମଧ୍ୟରେ ଥିବା ବ୍ୟାଟେରୀ ପାଇଁ ହୋଇଥାଏ ।

ଅନ୍ୟ ଏକ କାରଣ ହେଉଛି ନିରନ୍ତର ବ୍ୟବହାର । ବିନା ବିରତିରେ ଅଧିକ ସମୟ ପାଇଁ ବୈଦ୍ୟୁତିକ ଉପକରଣଗୁଡ଼ିକୁ ବ୍ୟବହାର କରିବା ଦ୍ୱାରା ସେଗୁଡ଼ିକର ତାପମାତ୍ରା ବଢ଼ିଥାଏ । ସେହିପରି ସ୍ମାର୍ଟଫୋନ୍‌ ଓ ଲାପ୍‌ଟପ୍ ବା କମ୍ପୁଟରରେ ଅଧିକ ସମୟ ଗେମ୍‌ କିମ୍ବା ଭିଡିଓ ଏଡିଟିଂ କରିବା ଦ୍ୱାରା ମଧ୍ୟ ତାପମାତ୍ରା ବଢ଼ିଥାଏ ।

ଏଣୁ ଡିଭାଇସ୍ ଅତ୍ୟଧିକ ଗରମ ହେଉଥିବା ବେଳେ, ଏହାର ବ୍ୟବହାର ବନ୍ଦ କରିବା ସହ ଏହାକୁ ବିଶ୍ରାମ ଦେବା ନିତାନ୍ତ ଅବଶ୍ୟକ । ଅନାବଶ୍ୟକ ଭାବେ ବିଭିନ୍ନ ପ୍ରକାର ଟ୍ୟାବ୍‌ ନଖୋଲିବା ଦରକାର । ଏହା ସହ ସ୍କ୍ରିନ୍‌ର ବ୍ରାଇଟନେସ୍ ମଧ୍ୟ ହ୍ରାସ କରିବା ଦରକାର । ବୈଦୁତିକ ଉପକରଣଗୁଡ଼ିକୁ ସିଧାସଳଖ ଭାବେ ସୂର୍ଯ୍ୟକିରଣଠାରୁ ଦୂରରେ ରଖିବା ଆବଶ୍ୟକ ।

OTV is now on Whatsapp

Join and get latest news update delivered to you via whatsapp

Join Now