/odishatv-khabar/media/post_attachments/uploadimage/library/16_9/16_9_0/AI_1756469612.jpg)
AI
କୃତ୍ରିମ ବୁଦ୍ଧିମତ୍ତା (AI) ବର୍ତ୍ତମାନ ସମୟରେ ମଣିଷ ସମାଜ ପାଇଁ ଏକ ପରିବର୍ତ୍ତନକାରୀ ଶକ୍ତି ଭାବରେ ଉଭା ହୋଇଛି । ବିଭିନ୍ନ ଶିଳ୍ପରେ ବିପ୍ଳବ ଆଣିବା ସହ ଆମ ଜୀବନଯାପନ ଶୈଳୀ ଏବଂ କାମ କରିବାର ପଦ୍ଧତିକୁ ନୂତନ ଆକୃତି ଦେଇଛି । ମେସିନ ଲର୍ଣ୍ଣିଂ, ଡିପ ଲର୍ଣ୍ଣିଂ ଏବଂ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣରେ ପ୍ରଗତି ସହିତ ଅଧିକ ବୁଦ୍ଧିମାନ ଏବଂ ସକ୍ଷମ ହେଉଛି ଏଆଇ । ଫଳରେ ଏହାର ପ୍ରଭାବ ଏବଂ ପ୍ରୟୋଗ ବିଷୟରେ ଉଭୟ ଉତ୍ସାହ ଏବଂ ଚିନ୍ତା ସୃଷ୍ଟି ହୋଇଛି । AI ହେଉଛି କମ୍ପ୍ୟୁଟର ବିଜ୍ଞାନର ଏକ ଉନ୍ନତ ଶାଖା, ଯାହା ଡାଟା ବିଶ୍ଳେଷଣ କରେ ଏବଂ ଆଲଗୋରିଦମ ବ୍ୟବହାର କରି ମେସିନ ଗୁଡ଼ିକୁ ମଣିଷ ପରି ଚିନ୍ତା କରିବା ଏବଂ କାମ କରିବା ପାଇଁ ସକ୍ଷମ କରିଥାଏ। ଆଜି ଏହା ଡାଟା ପ୍ରକ୍ରିୟାକରଣ ଠାରୁ ଆରମ୍ଭ କରି ଚାଟବଟ୍ ଏବଂ ସମୟ ନିର୍ଦ୍ଧାରଣ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।
ଉନ୍ନତ ରୋଗୀ ସେବା, ତୁରନ୍ତ ରୋଗ ନିରୂପଣ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିପ୍ଳବ ଆଣିଛି କୃତ୍ରିମ ବୁଦ୍ଧିମତ୍ତା। ଏଆଇ ଆଲଗୋରିଦମ ରୋଗୀର ରେକର୍ଡ, ଲ୍ୟାବ ଫଳାଫଳ ଭଳି ଚିକିତ୍ସା ତଥ୍ୟ ବିଶ୍ଳେଷଣ କରି ଡାକ୍ତରମାନଙ୍କୁ ସଠିକ୍ ନିର୍ଣ୍ଣୟ ଏବଂ ସଠିକ ଚିକିତ୍ସା କରିବାରେ ସହାୟତା ପ୍ରଦାନ କରୁଛି । ଅନ୍ୟପକ୍ଷରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟସେବା ପରାମର୍ଶ ଏବଂ ସହାୟତା ପ୍ରଦାନ ପାଇଁ ଏଆଇ-ଚାଳିତ ଚାଟବଟ୍ ଏବଂ ଭର୍ଚୁଆଲ୍ ଆସିଷ୍ଟାଣ୍ଟ ମଧ୍ୟ ବ୍ୟବହାର କରାଯାଉଛି। ଏହା ସହିତ ଔଷଧ ଅନ୍ୱେଷଣ ଏବଂ ଜିନୋମିକ୍ସ ଗବେଷଣାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏଆଇ ।
ହେଲେ ନିକଟରେ ହୋଇଥିବା ଏକ ଗବେଷଣା ପାଇଁ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସଦ୍ୟ ପ୍ରକାଶିତ ଏମଆଇଟି ରିପୋର୍ଟ ଅନୁସାରେ, ଏଆଇକୁ ଭରସାଯୋଗ୍ୟ ବୋଲି ବିବେଚନା କରାଯାଉ ନାହିଁ । ବିଶ୍ୱର ଶ୍ରେଷ୍ଠ ପ୍ରତିଷ୍ଠାନର ରିପୋର୍ଟ ସତ୍ୟ ବୋଲି ପ୍ରମାଣିତ ହେଲେ, ଅନେକ ବଡ଼ ବଡ଼ କମ୍ପାନୀ ଦେବାଳିଆ ହୋଇପାରନ୍ତି । କିମ୍ବା ସିଧାସଳଖ କହିବାକୁ ଗଲେ ବଡ଼ ବଡ଼ ଟେକ କମ୍ପାନୀ ଗୁଡ଼ିକ ବୁଡ଼ିଯାଇ ପାରନ୍ତି । ବଡ଼ ବଡ଼ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ଏଆଇ ଉପରେ ଲଗାଇଥିବା ବଡ଼ ବାଜି ବିଫଳ ହୋଇଥିବା ରିପୋର୍ଟରେ ଦାବି କରାଯାଉଛି । ୯୫% ପାଇଲଟ୍ ପ୍ରୋଜେକ୍ଟ ବିଫଳ ହୋଇଛି। କେବଳ ୫ ପ୍ରତିଶତ ପ୍ରୋଜେକ୍ଟ ସଫଳ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି ।
ଏଆଇ ଉପରେ ବଡ଼ ନିବେଶ କରିଛନ୍ତି ଟେକ କମ୍ପାନୀ
୨୦୨୨ ମସିହାରେ ChatGPTଲଞ୍ଚ ହେବା ପରଠାରୁ ବିଶ୍ୱର ଟେକ୍ କମ୍ପାନୀଗୁଡ଼ିକ ଜେନେରେଟିଭ୍ ଏଆଇ ଦୌଡ଼ରେ ସାମିଲ ହେବା ଆରମ୍ଭ କରିଛନ୍ତି । ଗୁଗୁଲ୍ ଠାରୁ ମେଟା ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କର ଜେନେରେଟିଭ୍ ଇଓ ମଡେଲ୍ ଲଞ୍ଚ କରିଛନ୍ତି। ଏହି ମଡେଲ୍ ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯିବା ସହ ସେଗୁଡ଼ିକୁ ଉନ୍ନତ କରିବା ଅହରହ ଉଦ୍ୟମ ଚାଲିଛି । କିନ୍ତୁ ଏଆଇ ମଡେଲ୍ଗୁଡ଼ିକର ବିଶ୍ୱସନୀୟତା ଏବେ ବି ସନେ୍ଦହ ଘେରରେ ରହିଛି ।
The GenAI Divide: State of AI in Business 2025 ରିପୋର୍ଟ ପ୍ରକାଶ କରିଛି MIT। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏଆଇ ଉପରେ ପୁଣି ଥରେ ପ୍ରଶ୍ନ ଉଠିଛି। ରିପୋର୍ଟ ଅନୁଯାୟୀ, ଯେଉଁ କମ୍ପାନୀ ଗୁଡ଼ିକ ଏଆଇ ଉପରେ ବଡ଼ ନିବେଶ କରିଛନ୍ତି, ସେମାନଙ୍କର ରାଜସ୍ୱ ବୃଦ୍ଧି କରିବାର ଯୋଜନା ସଫଳ ହେବା ପରି ମନେ ହେଉନାହିଁ। ଅନେକ ବଡ଼ ବଡ଼ କମ୍ପାନୀ ଶକ୍ତିଶାଳୀ ନୂତନ ମଡେଲକୁ ଏକୀକୃତ କରିବା ପରେ ମଧ୍ୟ କେବଳ ୫% ପାଇଲଟ୍ ପ୍ରୋଜେକ୍ଟ ସଫଳ ହୋଇଛି । ଟେକ୍ କମ୍ପାନୀଗୁଡ଼ିକ ଯେଉଁ ଗତିରେ ଏଆଇକୁ ଆପଣାଇଥିଲେ, ସେହିମାତ୍ରାରେ ସେମାନେ ଲାଭ ପାଇନାହାଁନ୍ତି। ୯୫% ପାଇଲଟ୍ ପ୍ରୋଜେକ୍ଟ ବିଫଳ ହୋଇଛି।
କାହିଁକି ସଫଳ ହେଲାନାହିଁ ଏଆଇ ଇଣ୍ଟିଗ୍ରେସନ ? ଟେକ୍ କମ୍ପାନୀଗୁଡ଼ିକର ଅବାସ୍ତବ ଆଶା, ଦୁର୍ବଳ ସମନ୍ୱୟ ଏବଂ ଦୂରଦୃଷ୍ଟିର ଅଭାବ ଏଆଇ ଶିଳ୍ପ ପାଇଁ ଆତ୍ମଘାତୀ ସାବ୍ୟସ୍ତ ହୋଇଛି । ରିପୋର୍ଟ ଆସିବା ପରେ ପ୍ରଶ୍ନ ଉଠୁଛି ଏଆଇ ଶିଳ୍ପର ଅବସ୍ଥା ପାଣିଫୋଟକା ପରି ହୋଇଯିବ ନି ତ? ଜେନେରେଟିଭ୍ ଏଆଇର ଆଗମନ ପରେ hatGPT, Google Gemini, Claude, Perplexcity ଭଳି ଟୁଲ୍ସ କାର୍ଯ୍ୟକ୍ଷେତ୍ରରେ କାମ କରିବାର ଶୈଳୀକୁ ପରିବର୍ତ୍ତନ କରିବ ବୋଲି ଚିନ୍ତା କରିଥିଲେ ବଡ଼ ବଡ଼ ଟେକ କମ୍ପାନୀ। ହେଲେ ବର୍ତ୍ତମାନ ଏହା ସଫଳ ହେବା ପରି ମନେ ହେଉନାହିଁ।
ଏଆଇ ଇଣ୍ଟିଗ୍ରେସନ ପରେ ବଡ଼ ବଡ଼ ଟେକ କମ୍ପାନୀ ଅନେକ କର୍ମଚାରୀକୁ ଛଟେଇ କରିଛନ୍ତି । ବିଶେଷ କରି କଣ୍ଟେଣ୍ଟ କ୍ରିଏସନ ଠାରୁ ଆରମ୍ଭ କରି କଷ୍ଟମର ସର୍ଭିସ ଟାଟବଟ ଆସିବା ପରେ ଇଣ୍ଡଷ୍ଟ୍ରିର ଉତ୍ପାଦକତା ବୃଦ୍ଧି ପାଇବ ବୋଲି ସମସ୍ତେ ଆଶା କରିଥିଲେ । ହେଲେ ଏମଆଇଟିର ରିପୋର୍ଟ ଏବେ ଲୋକଙ୍କୁ ଏସମ୍ପର୍କରେ ଦ୍ୱୀତିୟ ଥର ଚିନ୍ତା କରିବାପାଇଁ ବାଧ୍ୟ କରିଛି । ଗବେଷଣା ଅନୁଯାୟୀ, ଏଆଇର ଆକଳନ ଏବଂ ଫଳାଫଳ ମଧ୍ୟରେ ଏକ ବିରାଟ ପାର୍ଥକ୍ୟ ରହିଛି।
ଏହି ରିପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ଛୋଟ ଷ୍ଟାର୍ଟଅପ୍ ଗୁଡ଼ିକ ଏଆଇର ଉତ୍ତମ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ତେଣୁ ସେମାନେ ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି । ଛୋଟ ଷ୍ଟାର୍ଟଅପ୍ଗୁଡ଼ିକ ବିଜ୍ଞାପନ ଲେଖିବା କିମ୍ବା କୋଡିଂ ଭଳି କାମ କରନ୍ତି । ଏଆଇ ସହଯୋଗରେ କିଛି ଷ୍ଟାର୍ଟଅପ୍ ବଡ଼ କମ୍ପାନୀଗୁଡ଼ିକ ସହିତ ମିଶି ବର୍ଷକୁ ୨୦ ନିୟୁତ ଡଲାର ପର୍ଯ୍ୟନ୍ତ ସେମାନଙ୍କର ଆୟ ବୃଦ୍ଧି କରିବାରେ ସଫଳ ହୋଇଛନ୍ତି । ଅନ୍ୟପକ୍ଷରେ ବଡ଼ କମ୍ପାନୀଗୁଡ଼ିକ ସେମାନଙ୍କର ଏଆଇ ନିବେଶକୁ ଅନେକ ଭାଗରେ ବିଭକ୍ତ କରନ୍ତି, ଯାହା ଫଳରେ ସେମାନେ ଗୋଟିଏ ପ୍ରକଳ୍ପ ଉପରେ ବିଶେଷ ଧ୍ୟାନ ଦେଇ ପାରନ୍ତି ନାହିଁ ଏବଂ ଭଲ ଫଳାଫଳ ପାଇପାରନ୍ତି ନାହିଁ।
ଭରସାଯୋଗ୍ୟ ନୁହେଁ ଏଆଇ ମଡେଲ
ଏଆଇର ଉତ୍ପାଦକତା ପରୀକ୍ଷା କରିବା ପାଇଁ ଗବେଷଣା କରିଥିଲା ଏମଆଇଟି । ଯେଉଁଥିରେ କେବଳ ୩୦ ପ୍ରତିଶତ ଏଆଇମଡେଲ ଆତ୍ମବିଶ୍ୱାସର ସହିତ ଅଫିସ କାର୍ଯ୍ୟ ପରିଚାଳନା କରିପାରିବେ ବୋଲି ଜଣାପଡ଼ିଛି । ତଥାପି ଏଆଇ ବ୍ୟକ୍ତିଗତ ସ୍ତରରେ ଲାଭଦାୟକ ପ୍ରମାଣିତ ହୋଇପାରେ। ଏହି ଅଧ୍ୟୟନରୁ ଜଣାପଡିଛି, ସମନ୍ୱୟ ଉଦ୍ୟୋଗ ସ୍ତରରେ ସଫଳ ହୋଇପାରିନାହିଁ ଏଆଇ ଇଣ୍ଟିଗ୍ରେସନ । ଏହାର ମୁଖ୍ୟ କାରଣ ହେଉଛି ଶିକ୍ଷଣ ବ୍ୟବଧାନ।
ବଡ଼ ବଡ଼ କମ୍ପାନୀ ଗୁଡ଼ିକ ଏଆଇକୁ ଏକୀକୃତ କରିବାରେ ଲାଗିଛନ୍ତି, କିନ୍ତୁ ଏଥିପାଇଁ ବ୍ୟବହୃତ ହେଉଥିବା ଟୁଲ୍ସକୁ ନିଜ ହିସାବରେ ତିଆରି କରିବା ପାଇଁ ନିବେଶ କରିନାହାନ୍ତି । ଏହି ଟୁଲ୍ସ ଉପକରଣଗୁଡ଼ିକ ବଡ଼ LLM (ବଡ଼ ଭାଷା ମଡେଲ୍) ଉପରେ ନିର୍ମିତ, ଯାହା ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ କରିପାରେ ନାହିଁ । ଫଳରେ କମ୍ପାନୀଗୁଡ଼ିକ ଏଆଇ ପାଇଁ କରିଥିବା ନିବେଶରୁ ଲାଭ ଉଠାଇ ପାରୁନାହାନ୍ତି ।
ମଣିଷ ପାଇଁ ଏକ ବଡ଼ ବିପଦ ଏଆଇ
ଏଆରର ଗଡଫାଦର କୁହାଯାଉଥିବା ଜେଫ୍ରି ହିଣ୍ଟନ ମଧ୍ୟ ଟେକ୍ କମ୍ପାନୀଗୁଡ଼ିକ ଦ୍ୱାରା କରାଯାଉଥିବା ଏଆଇ ଇଣ୍ଟିଗ୍ରେସନ ପଦ୍ଧତି ଉପରେ ପ୍ରଶ୍ନ ଉଠାଇଥିଲେ। ଆମେରିକାର ଲସ ଭେଗାସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ, ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ମଣିଷ ଉପରେ ଏଆଇର ଦବଦବା ବଜାୟ ରଖିବାକୁ ଚାହାନ୍ତି । ଏଥିପାଇଁ ତୁରନ୍ତ କମ୍ପାନୀରୁ ମ୍ୟାନପାୱାର ହ୍ରାସ କରି ଏଆଇକୁ ନିୟୋଜିତ କରୁଛନ୍ତି । ଏପରି ହେଲେ ଆଗାମୀ କିଛି ବର୍ଷ ମଧ୍ୟରେ ଏଆର ଆମ ପାଇଁ ଏକ ବଡ଼ ବିପଦ ସାବ୍ୟସ୍ତ ହେବ। ମଣିଷ ସମାଜକୁ ନିଜ ଆୟତରେ ରଖିବା ସହ କ୍ରୀତଦାସ କରିପାରେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)