ଏଣିକି ଆଣ୍ଡ୍ରଏଡ୍‌ ନୁହେଁ BharOSରେ ଚାଲିବ ମୋବାଇଲ..!

ପରୀକ୍ଷଣ କଲେ କେନ୍ଦ୍ର IT ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାର୍ ଓଏସ୍ ମାଧ୍ୟମରେ ୟୁଜର୍ସଙ୍କ ଗୋପନୀୟତା ଓ ସୁରକ୍ଷାକୁ ଗୁରୁତ୍ୱ ।

BharOS

ଏଣିକି ସ୍ୱଦେଶୀ ଅପରେଟିଂ ସିଷ୍ଟମ୍ OSରେ ଚାଲିବ ଆପଣଙ୍କ ମୋବାଇଲ୍ । ଗୁଗୁଲ୍‌ର ଆଣ୍ଡ୍ରଏଡ୍ ଓ ଆପଲ୍‌ର iOS ଭଳି ଆସୁଛି ନୂଆ ଅପରେଟିଂ ସିଷ୍ଟମ୍, ଯାହା ସମ୍ପୂର୍ଣ୍ଣ ସ୍ୱଦେଶୀ । ଏହାର ନାଁ ରଖାଯାଇଛି BharOS । ଅର୍ଥାତ Bharat Operating system । ଏହାକୁ ବିକଶିତ କରିଛି ଆଇଆଇଟି ମାଡ୍ରାସ୍ । ଯାହା କେବଳ ମୋବାଇଲ୍ ନୁହେଁ କମ୍ପୁଟରରେ ବି କାମ କରିପାରିବ । ଆଜି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିଳିତ ଭାବେ ଏହି ଅପରେଟିଂ ସିଷ୍ଟମ୍‌ର ପରୀକ୍ଷଣ କରିଛନ୍ତି। ଏହାସହ ଆଇଆଇଟି ମାଡ୍ରାସ୍‌ର ଅଧିକାରୀଙ୍କ ମଧ୍ୟରେ ଏହି ଅପରେଟିଂ ସିଷ୍ଟମ ଜରିଆରେ ସିଧାସଳଖ ଆଲୋଚନା କରିଛନ୍ତି । ତାସହ ଛାତ୍ରଛାତ୍ରୀଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ଉଭୟ ମନ୍ତ୍ରୀ ।

ତେବେ ବିଶ୍ୱରେ ଥିବା କୋଟି କୋଟି ଲୋକଙ୍କ ପାଖରେ ଏହାକୁ ପହଞ୍ଚାଇବାକୁ ଆହୁରି ଉନ୍ନତମାନର କରିବାକୁ ହେବ ବୋଲି କହିଛନ୍ତି ବୈଷ୍ଣବ । ଏହାସହ BharOS ସହ ଆଉ ଏକ A ଯୋଡ଼ିବାକୁ ପରାମର୍ଶ ଦେଇଛନ୍ତି । ଫଳରେ ଲୋକଙ୍କ ପାଖରେ BHAROSA ଭାବେ ପରିଚିତ ହେବ ବୋଲି କହିଛନ୍ତି ବୈଷ୍ଣବ ।

ମିଳିଥିବା ସୂଚନା ଅନୁଯାୟୀ, BharOS ମୋବାଇଲ୍ ଓ କମ୍ପ୍ୟୁଟର ବ୍ୟବହାରକାରୀଙ୍କ ଗୋପନୀୟତା ସହ ନିରାପତ୍ତା କ୍ଷେତ୍ରରେ ବେଶ୍ ସହାୟକ ହେବ । କୌଣସି ଥାର୍ଡ ପାର୍ଟି ଆପ୍‌କୁ ଯଦି ଡାଉନଲୋଡ୍ କରିବାକୁ ଚାହିଁବେ, ଅନୁମତି ମିଳିବ ନାହିଁ । ଅର୍ଥାତ ଗୁଗୁଲ୍‌ର ପ୍ଲେ ଷ୍ଟୋର୍ରୁ ଏହି ଅପରେଟିଂ ସିଷ୍ଟମ୍ ଭାରୋସ୍‌କୁ ଆପଣ ଡାଉନଲୋଡ୍ କରିପାରିବେ ନାହିଁ । ତାବଦଳରେ BharOSର ସ୍ୱତନ୍ତ୍ର ତଥା Private App Store Services (PASS)PASS ରହିବ । ଡିଫଲ୍ଟ ଆପ୍ ବା NDA ସହିତ ସ୍ୱଦେଶୀ ଅପରେଟିଂ ସିଷ୍ଟମ୍ ଭାରୋସ୍ ବଜାରକୁ ଆସିବ । ଫଳରେ ମୋବାଇଲ୍ ବ୍ୟବହାରକାରୀ PASSରୁ ନିଜ ପସନ୍ଦ ମୂତାବକ ଆପ୍ଲିକେସନ୍ ଡାଉନଲୋଡ୍ କରିବାର ସୁବିଧା ପାଇବେ ।

ସେହିପରି BharOS ଥିବା ସ୍ମାର୍ଟଫୋନ୍‌ରେ ନେଟିଭ୍ ଓଭର ଦ ଏୟାର ତଥା NOTA ଉପଲବ୍ଧ ରହିବ । ଏହାଦ୍ୱାରା ଆପଣଙ୍କ ମୋବାଇଲ୍ ମନକୁ ମନ ଅପଡେଟ୍ ହୋଇପାରିବ । ଅପଡେଟ୍ ମାନୁଆଲ୍ ଇନଷ୍ଟଲ୍ କରିବାକୁ ପଡ଼ିବ ନାହିଁ । ବଜାରରେ ଉପଲବ୍ଧ ଅପରେଟିଂ ସିଷ୍ଟମରେ ଥିବା ଅନେକ ସମସ୍ୟାକୁ BharOS ଦୂର କରିବ ବୋଲି କୁହାଯାଉଛି ।

ପ୍ରାରମ୍ଭିକ ପର୍ଯ୍ୟାୟରେ BharOSକୁ ମୋବାଇଲ୍‌ରେ ପ୍ରୟୋଗ କରାଯିବ । ଏହାଦ୍ୱାରା ଦେଶର ପ୍ରାୟ ଶହେ କୋଟି ମୋବାଇଲ୍ ୟୁଜର୍ସ ଲାଭ ଉଠାଇପାରିବେ ବୋଲି ଦାବି କରିଛିି ଆଇଆଇଟି ମାଡ୍ରାସ୍ । ତେବେ ଆଗକୁ କେଉଁସବୁ ମୋବାଇଲ୍‌ରେ ଏହା ଉପଲବ୍ଧ ହେବ ? କେଉଁ ମୋବାଇଲ ନିର୍ମାତା କମ୍ପାନୀ ସହ ସହବନ୍ଧନ ହେବ ? ତାହା ବଜାରକୁ ଆସିଲା ପରେ ସ୍ପଷ୍ଟ ହେବ ।