• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜି ମା’ର ମନ କୁଣ୍ଢେମୋଟ । ଖୁସିରେ ଗଦ୍ ଗଦ୍ ବାପାର ଛାତି । କାହିଁକି ନା ଗଗନକୁ ଭେଦି ଜହ୍ନ ରାଇଜରେ ପହଞ୍ଚିଥିବା ଚନ୍ଦ୍ର ଅଭିଯାନ ପଛରେ ପୁଅର ଅଛି ହାତ । ତେଣୁ ଆଜି ଭାବବିହ୍ୱଳ ସେହି ସୁନା ପୁଅକୁ ଜନ୍ମଦେଇଥିବା ବାପା, ମା’ । ଏ ହେଲେ ଇସ୍ରୋରେ ବୈଜ୍ଞାନିକ ଥିବା ବାଲେଶ୍ୱର ମାନସିଂ ବଜାରର ମାନସ ଭଦ୍ରଙ୍କ ବାପା ରାମଚନ୍ଦ୍ର ଭଦ୍ର ଏବଂ ମା’ କନକଲତା ଭଦ୍ର । ସେମାନଙ୍କ କହିବା କଥା, ଗତ ୧୨ ବର୍ଷ ଧରି ତ୍ରିଭେନ୍ଦ୍ରମରେ ବୈଜ୍ଞାନିକ ଭାବେ କରୁଥିବା ମାନସଙ୍କ ଭୂମିକା ଥିଲା ଚନ୍ଦ୍ରୟାନ ଡିଜାଇନ୍ ନିର୍ମାଣରେ ।

ପୂର୍ବରୁ ବି ମାନସ ମିଶନ ମଙ୍ଗଳାୟନରେ କାମ କରିଥିଲେ । ସେହି ସ୍ମୃତିରେ ନିଜ ଘରେ ୪୬ ଫୁଟ୍ ଉଚ୍ଚର ଏକ ରେପ୍ଲିକା ତିଆରି କରିଛନ୍ତି ମାନସଙ୍କ ବାପା । ଆଉ ଏବେ ଚନ୍ଦ୍ରୟାନ ସଫଳ ହେବା ପରେ ଖୁସିରେ ଭାବବିହ୍ୱଳବାପା, ମା’ ଚନ୍ଦ୍ରୟାନର ଏକ ରେପ୍ଲିକା ପାଇଁ ବି ମନସ୍ଥ କରିଛନ୍ତି ।

ଭିଡିଓ କଲ୍ ଜରିଆରେ ନିଜର ସୁନା ପୁଅକୁ ଦେଖି ଖୁସି ହେଉଛନ୍ତି ଆଉ ଜଣେ ମା’ । ଇଏ ସେହି ପୁଅ, ଚନ୍ଦ୍ରୟାନ-୩କୁ ନେଇ ଲେଖାଯାଇଥିବା ସ୍ୱର୍ଣ୍ଣିମ ଇତିହାସରେ ଯାହାଙ୍କ ରହିଛି ସ୍ୱାକ୍ଷର । ଯାହାଙ୍କ ନାଁ ଡକ୍ଟର ଶରତ କୁମାର ଦାଶ । ତାଳଚେର ଅଧିବାସୀ ଶରତ ବେଙ୍ଗାଳୁରୁରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ । ତାଙ୍କ କହିବା କଥା, ଇସ୍ରୋର କମ୍ପୋନେଣ୍ଟ କ୍ୱାଲିଟି ଆସୁରେନ୍ସର ଡିରେକ୍ଟର ଅଛନ୍ତି ଶରତ । ଚନ୍ଦ୍ରୟାନରେ ଲାଗିଥିବା ସମସ୍ତ ବୈଦ୍ୟୁତିକ ସରଞ୍ଜାମର ସାର୍ଟିଫିକେସନ୍ କରିଛନ୍ତି ସେ ଏବଂ ତାଙ୍କ ବିଭାଗ । ଆଉ ଆଜି ସେହି ମୁନ ମିଶନର ସଫଳ ହେବା ପରେ ଖୁସିରେ ବିଭୋର ସେ ଏବଂ ତାଙ୍କ ପରିବାର ।

ଆଉ ଏ ହେଲେ ବ୍ରହ୍ମପୁରର ଯୁବ ବୈଜ୍ଞାନିକ ଦେବାଶିଷ ମହାପାତ୍ର । ଜୁଲାଇ ୧୪ରେ ଶ୍ରୀହରିକୋଟାରୁ ଉତକ୍ଷେପଣଠାରୁ ପୃଥିବୀର ନିର୍ଦ୍ଧାରିତ କକ୍ଷପଥ ଯାଏଁ ଚନ୍ଦ୍ରୟାନ-୩କୁ ପଠାଇବାରେ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ୨୦୦୬ରୁ ଶ୍ରୀହରିକୋଟାରେ ମେକାନିକାଲ୍ ଇଞ୍ଜିନିୟର ଥିବା ଦେବାଶିଷ, ଯେଉଁ ଇନ୍ଧନ ଦ୍ୱାରା ସଫଳତାର ସହ PSLV ଉତକ୍ଷେପଣ କରାଯାଇଥିଲା, ସେହି ଇନ୍ଧନ ପାଇଁ ବ୍ୟବହୃତ ଗୁରୁତ୍ୱପୂର୍ଣ୍ଣ ଉପାଦାନ ତଥା ଲିକ୍ୟୁଡ୍ ସରଫକଟାଣ୍ଟ ତିଆରି କାମରେ ଲାଗିଥିଲେ । ଇସ୍ରୋ ପକ୍ଷରୁ ଯୁବ ବୈଜ୍ଞାନିକ ଭାବେ ପୁରସ୍କୃତ ଦେବାଶିଷ ଓ ଟିମଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ ଯୋଗୁ ୪ଟି କ୍ରିଟିକାଲ୍ ଷ୍ଟେଜକୁ ସହଜରେ ଅତିକ୍ରମ କରି ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିଲା ଚନ୍ଦ୍ରଯାନ ।

ଜହ୍ନରେ ଭାରତ ଲେଖିଥିବା ଇତିହାସ ସହ ଯୋଡ଼ି ହୋଇଯାଇଥିବା ଆଉ ଜଣେ ଓଡ଼ିଆ ପୁଅ ହେଉଛନ୍ତି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ବାଲିଆ ଗାଁର ସୁଶୀଲ କୁମାର ନାୟକ । ୨୦୦୯ରୁ ଦୀର୍ଘ ୧୪ ବର୍ଷ ଧରି ଶ୍ରୀହରିକୋଟାରେ ନିୟୋଜିତ ସୁଶୀଲ ଉତକ୍ଷେପଣ ପୂର୍ବରୁ ଲଞ୍ଚିଂ କଂପ୍ଲେକ୍ସରେ ଯାନର ୨୪ ଘଣ୍ଟିଆ ସୁରକ୍ଷା ଓ ଦେଖାରେଖା ସହ ତାକୁ ସ୍ଥିର କରି ରଖିବା ଦାୟିତ୍ୱ ତାଙ୍କର ବୋଲି କହିଛନ୍ତି ତାଙ୍କ ବାପା ।

ଚନ୍ଦ୍ରରେ ଚମକୁଥିବା ଚନ୍ଦ୍ରୟାନ ପଛରେ ଏଭଳି ଅନେକ ଓଡ଼ିଆ ପୁଅଙ୍କ ଅଧ୍ୟବସାୟ ଏବଂ ପରିଶ୍ରମର ଫଳ ଆଜି ଗୋଟି ଗୋଟି କରି ସାମ୍ନାକୁ ଆସୁଥିବାବେଳେ ପ୍ରତ୍ୟେକ ଓଡ଼ିଆଙ୍କ ଛାତି ଆଜି ଗର୍ବରେ ଫୁଲି ଉଠିବା ସ୍ୱାଭାବିକ ।