• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୧୪ ଦିନିଆ ଚନ୍ଦ୍ରୟାନ-୩ ମିଶନରେ, ରୋଭର୍ ପ୍ରଜ୍ଞାନ ହାତରେ ଆଉ ୧୨ ଦିନ ସମୟ । ଅତିକ୍ରମ କରିଛି ମାତ୍ର ୮ ମିଟର ବାଟ । ଚ୍ୟାଲେଞ୍ଜପୂର୍ଣ୍ଣ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ସହିତ, ସଂଗ୍ରହ କରିବାକୁ ପଡ଼ିବ ସେଠାକାର ମାଟି ଓ ପଥର ସଂପର୍କିତ ଅନେକ ଅଜଣା ତଥ୍ୟ । କେତେବେଳେ ବି ଉପୁଜିପାରେ ପ୍ରତିକୂଳ ସ୍ଥିତି । ପ୍ରଜ୍ଞାନ ଏହାର କିପରି ସାମ୍ନା କରୁଛି, ତା ଉପରେ ଏବେ ସାରା ଦେଶର ନଜର ରହିଛି । ଏଭିତରେ ଜହ୍ନରେ କିଭଳି ଗଡ଼ିବା ଆରମ୍ଭ କରିଥିଲା ରୋଭର୍, ତାର ଭିଡିଓ ସାର୍ବଜନୀନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ।

ଲମ୍ବିଲା ୨ଥାକିଆ ଶିଡ଼ି, ଖୋଲିଲା ରୋଭରର ସୋଲାର ପ୍ୟାନେଲ୍ । ଲ୍ୟାଣ୍ଡର ବିକ୍ରମର ପେଟ ଭିତରୁ ବାହାରି ଛୋଟ ଶିଶୁଟିଏ ଭଳି ଧିରେଧିରେ ତଳକୁ ଓହ୍ଲାଇଛି ରୋଭର୍ ପ୍ରଜ୍ଞାନ । ମାପିଚୁପି ପାହୁଣ୍ଡ ବଢ଼ାଉଛି ଜହ୍ନରାଇଜରେ । ଗଡ଼ିବା ମାତ୍ରେ ହିଁ ଧୂଳି ଉପରେ ଛାଡ଼ିଯାଉଛି ଅଲିଭା ଛାପ । ପ୍ରଜ୍ଞାନର ଏହି ପ୍ରଥମ ଚାଲିକୁ ପଛରୁ ନିରେଖି ଦେଖୁଛି ବିକ୍ରମ । ଶୁଣିବାକୁ କାହାଣୀ ଭଳି ଲାଗୁଥିଲେ ବି, ଇଏ ଏକଦମ୍ ସତ ଘଟଣା । ଯାହାକି ୨ ଦିନ ତଳେ ଘଟିଛି ଚନ୍ଦ୍ରପୃଷ୍ଠରେ, ପୃଥିବୀଠୁ ପ୍ରାୟ ୩ ଲକ୍ଷ ୮୪ହଜାର କିଲୋମିଟର ଦୂରରେ । ଲ୍ୟାଣ୍ଡର ଇମେଜର କ୍ୟାମେରାରେ କଏଦ ଏହି ଦୃଶ୍ୟ ଦେଖିବାକୁ, ଗତ ବୁଧବାରଠୁ ଚାହିଁ ବସିଥିଲା ସାରା ଦେଶ । ତେବେ ଇଏ ତ ଗତ ୨୩ ତାରିଖର ଭିଡିଓ ।

ଏବେସୁଦ୍ଧା ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ୮ ମିଟର ବାଟ ଅତିକ୍ରମ କରିସାରିଲାଣି ବୋଲି ସୂଚନା ଦେଇଛି ଇସ୍ରୋ । ୬ ଚକିଆ ରୋଭରର ଲମ୍ବ ୯୧.୭ ସେଣ୍ଟିମିଟର, ଓସାର ୭୫ ସେଣ୍ଟିମିଟର, ଉଚ୍ଚତା ୩୯.୭ ସେଣ୍ଟିମିଟର ଏବଂ ଓଜନ ୨୬ କେଜି । ରୋଭର୍ ପ୍ରଜ୍ଞାନ ହାତରେ ଆଉ ପ୍ରାୟ ୧୨ ଦିନ । ଗଡ଼ିବ ମାତ୍ର ୫ଶହ ମିଟର । ଆଗକୁ ଅନେକ ଚାଲେଞ୍ଜ । ସମୟ ଗଡ଼ିବା ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଦିନ ବି ସରି ସରି ଆସୁଛି । ସୂର୍ଯ୍ୟାସ୍ତ ହେବା ଆଗରୁ ରୋଭରକୁ ଚନ୍ଦ୍ର ସଂପର୍କରେ ନିର୍ଦ୍ଧାରିତ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବାକୁ ପଡ଼ିବ ।

ସୌର ବିକିରଣ, ଉତ୍ତାପ ଓ ଧୂଳି ଭଳି ପ୍ରତିକୂଳ ସ୍ଥିତିର ମୁକାବିଲା କରିବାକୁ ପଡ଼ିବ । ଚନ୍ଦ୍ରପୃଷ୍ଠର ଧୂଳି ଜମି ରୋଭରର ଯନ୍ତ୍ରାଂଶ ଅଚଳ ହୋଇଯାଇପାରେ । ମୋଟର୍ ଓ ବିଅରିଂ ଆଦି ଜାମ୍ ହୋଇଯାଇପାରେ । ଉଲକାପିଣ୍ଡ କିମ୍ବା ଅଚଳ ମହାକାଶଯାନର ବର୍ଜ୍ୟ ଧକ୍କା ହୋଇ ଉଭୟ ଲ୍ୟାଣ୍ଡର କିମ୍ବା ରୋଭରକୁ ଧ୍ୱଂସ କରିଦେଇପାରେ । ରୋଭର୍ ବାଟରେ ଅଚାନକ କୌଣସି ବଡ଼ ପଥର କିମ୍ବା ଗର୍ତ୍ତ ଆସିଯାଇପାରେ । ରୋଭର୍ ଓ ଲ୍ୟାଣ୍ଡର ମଧ୍ୟରେ କମ୍ୟୁନିକେସନ ବ୍ଲାକଆଉଟ ବା ଯୋଗାଯୋଗ ବିଚ୍ଛିନ୍ନ ହୋଇପାରେ । ଇସ୍ରୋ ପାଖରେ ପୂର୍ବରୁ ଚନ୍ଦ୍ରପୃଷ୍ଠରେ ରୋଭର୍ ଗଡ଼ାଇବାର ଅଭିଜ୍ଞତା ନଥିବାରୁ, ମିଶନ କେତେବେଳେ ବି ବିପଦରେ ପଡ଼ିବାର ଆଶଙ୍କା ରହିଛି । ତଥାପି ସବୁ ଜଟିଳତା ଭିତରେ ଜହ୍ନରେ ଜଳ ଖୋଜିଚାଲିବ ପ୍ରଜ୍ଞାନ ।

ସେପଟେ ଚନ୍ଦ୍ରପୃଷ୍ଠ ଉପରେ ବସିଥିବା ଲ୍ୟାଣ୍ଡର୍ ଉପରେ ବି ରହିଛି ନଜର । ଚନ୍ଦ୍ରୟାନ-୨ର ଅର୍ବିଟର୍ ୧୦୦ କିଲୋମିଟର ଉପରୁ ତୀକ୍ଷ୍ଣ ନଜର ରଖିଛି ନିଜର ହାଇ ରିଜଲ୍ୟୁସନ୍ କ୍ୟାମେରା ସାହାଯ୍ୟରେ । ଏବେ ଜହ୍ନ ଚାରିପଟେ ବିଭିନ୍ନ ଦେଶର ଯେତିକ ଅର୍ବିଟର ବୁଲୁଛି, ଭାରତୀୟ ଅର୍ବିଟରର କ୍ୟାମେରା ସବୁଠୁ ଅଧିକ ଶକ୍ତିଶାଳୀ ବୋଲି ସୂଚନା ମିଳିଛି । ଲ୍ୟାଣ୍ଡର ଓ ତାର ଛାଇ ସ୍ପଷ୍ଟ ଦିଶୁଥିବା ଏହି ଫଟୋକୁ ଆଜି ଇସ୍ରୋ ଟ୍ୱିଟ୍ କରିବାର କିଛି ସମୟ ପରେ କୌଣସି କାରଣରୁ ଡିଲିଟ୍ କରିଦେଇଛି । ତେବେ ଚନ୍ଦ୍ରୟାନ-୩ ଟ୍ୱିଟର ହ୍ୟାଣ୍ଡେଲରେ ଏବେବି ଏହି ଫଟୋ ଉପଲବ୍ଧ ଅଛି ।

  • Reported by:
  • NIRANJAN REDDY