Advertisment

ଜହ୍ନରେ ଜଳର ସନ୍ଧାନ କରୁଛି ପ୍ରଜ୍ଞାନ; ଆଗାମୀ ୧୩ ଦିନ ମୁନ୍ ମିଶନ ପାଇଁ ଗୁରୁତ୍ୱପୂର୍ଣ୍ଣ

ରୋଭର୍ ପ୍ରଜ୍ଞାନର ପଛ ଦୁଇଟି ଚକରେ ଗୋଟିଏ ପଟେ ଇସ୍ରୋ ଲୋଗୋ ଏବଂ ଅନ୍ୟପଟେ ଭାରତର ଜାତୀୟ ପ୍ରତୀକ ଖୋଦିତ ହୋଇଥିବାରୁ, ତାହା ଗଡ଼ିବା ବେଳେ ଚନ୍ଦ୍ରପୃଷ୍ଠର ଧୂଳିରେ ତାହାର ଛାପ ଛାଡ଼ିଯିବ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
undefined

Chandrayaan-3 mission

ନୂଆ ନୂଆ ମାମୁଘର ଗାଁ ବୁଲି ଦେଖୁଛି ରୋଭର୍ 'ପ୍ରଜ୍ଞାନ' । ଜହ୍ନ ବାବଦରେ ଜିଜ୍ଞାସା ମେଣ୍ଟାଉଛି ସ୍ୱଦେଶୀ ୬ ଚକିଆ ରୋବଟ୍ । ଚନ୍ଦ୍ରପୃଷ୍ଠରେ ଚିରଦିନ ଲାଗି ଛାଡ଼ିଚାଲିଛି ଗୌରବମୟ ପଦଚିହ୍ନ । ଇଏ ସେହି ସମୟର ଦୃଶ୍ୟ, ଯେତେବେଳେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମରୁ ଅତି ସତର୍କତାର ସହ ଓହ୍ଲାଉଥିଲା ରୋଭର୍ ପ୍ରଜ୍ଞାନ । ଇସ୍ରୋ ବିଧିବଦ୍ଧ ଭାବେ ଏହି ଭିଡିଓ ଜାରି କରିନଥିଲେ ବି, ରୋଭର୍ ଜହ୍ନରେ ଚାଲିବା ଆରମ୍ଭ କରିଛି ବୋଲି ଜଣାଇସାରିଛି । ଲେଖିଛି ମେଡ୍ ଇନ୍ ଇଣ୍ଡିଆ, ମେଡ୍ ଫର୍ ମୁନ୍ ।

Advertisment

ଗତକାଲି ଲ୍ୟାଣ୍ଡରର ସଫ୍ଟଲ୍ୟାଣ୍ଡିଂ ଯେତିକି ଜଟିଳ ଥିଲା, ଆଗାମୀ ୨ ସପ୍ତାହ ରୋଭରକୁ ସୁରକ୍ଷିତ ଭାବେ ଚନ୍ଦ୍ରପୃଷ୍ଠରେ ଗଡ଼ାଇବାବି ସେତିକି ଚାଲେଞ୍ଜପୂର୍ଣ୍ଣ ରହିବ ଇସ୍ରୋ ବୈଜ୍ଞାନିକଙ୍କ ପାଇଁ, ଆଉ ବଡ଼ ଉପଲବ୍ଧି ଆଣିବ ଭାରତ ପାଇଁ । ପ୍ରାଥମିକ ଭାବେ ଦେଖିଲେ, ଚନ୍ଦ୍ରପୃଷ୍ଠର କଂପନ, ଚାର୍ଜ କଣିକା ଓ ତାପମାତ୍ରା ପରଖିବା ସହିତ ରାସାୟନିକ, ଖଣିଜ ତଥା ମୌଳିକ ସଂରଚନା ବାବଦରେ ତଥ୍ୟ ସଂଗ୍ରହ କରିବ ଲ୍ୟାଣ୍ଡର ଓ ରୋଭର୍ । ହେଲେ ଅସଲ କଥା ହେଉଛି, ଜହ୍ନରେ ଜଳ ଖୋଜିବା ଏହି ମିଶନର ମୁଖ୍ୟ ଲକ୍ଷ୍ୟ ।

ଚନ୍ଦ୍ରର ଦକ୍ଷିଣ ମେରୁରେ କ୍ଷୀଣ ସୂର୍ଯ୍ୟଲୋକ ପଡ଼ୁଥିବା ବହୁ ଅଞ୍ଚଳ ଥିବାରୁ, ସେଠାରେ ମାଟି ତଳେ ଜଳ ଥାଇପାରେ । ଏହାର ପ୍ରମାଣ ମିଳିଲେ ସେଠାରେ ଜନବସତି ସ୍ଥାପନ ଏବଂ ଭବିଷ୍ୟତର ମହାକାଶ ଅଭିଯାନ ପାଇଁ ଯୁଗାନ୍ତକାରୀ ସାବ୍ୟସ୍ତ ହେବ ।

Advertisment

ଗାଡ଼ି ଭଳି ଦେଖାଯାଉଥିବା ଏକ ରୋବଟ୍ ହେଉଛି ରୋଭର । ୬ଟି ଚକ, ସୋଲାର୍ ପ୍ୟାନେଲ, ୨ଟି ପେ'ଲୋଡ୍ ବା ଯନ୍ତ୍ରାଂଶ ଏବଂ ଆଗରେ ୨ଟି ନାଭିଗେସନ୍ କ୍ୟାମେରା ଲାଗିଛି । ଚନ୍ଦ୍ରୟାନ-୩ର ଅବତରଣ ସ୍ଥଳରେ ସୂର୍ଯ୍ୟାଲୋକ ଥିବା ଯାଏଁ ଏହା ଆଗକୁ ଗଡ଼ିବ । ପୃଥିବୀ ସମୟ ଅନୁସାରେ, ରୋଭର୍ ଚନ୍ଦ୍ରପୃଷ୍ଠରେ ଗୋଟିଏ ଦିନ ବିତାଇସାରିଥିବା ବେଳେ, ଆଗକୁ ଆଉ ୧୨ରୁ ୧୩ ଦିନ ଯାଏଁ କାର୍ଯ୍ୟ କରିବ ଏବଂ ପ୍ରାୟ ୫ଶହ ମିଟର ବାଟ ଅତିକ୍ରମ କରିବ।

ତେବେ ରୋଚକ କଥା ହେଉଛି, ରୋଭର୍ ପ୍ରଜ୍ଞାନର ପଛ ଦୁଇଟି ଚକରେ ଗୋଟିଏ ପଟେ ଇସ୍ରୋ ଲୋଗୋ ଏବଂ ଅନ୍ୟପଟେ ଭାରତର ଜାତୀୟ ପ୍ରତୀକ ଖୋଦିତ ହୋଇଥିବାରୁ, ତାହା ଗଡ଼ିବା ବେଳେ ଚନ୍ଦ୍ରପୃଷ୍ଠର ଧୂଳିରେ ତାହାର ଛାପ ଛାଡ଼ିଯିବ । ଜହ୍ନରେ ବାୟୁମଣ୍ଡଳ ନଥିବାରୁ ସେଠାରେ ପବନ ବହେନି, କି ବର୍ଷା ହୁଏନି; ତେଣୁ ଚିରଦିନ ଲାଗି ଚନ୍ଦ୍ରର ଦକ୍ଷିଣ ମେରୁରେ ଅଲିଭା ରହିବ ଭାରତର ପଦଚିହ୍ନ, ଯେଉଁଠି ଆଜି ଯାଏଁ କୌଣସି ଦେଶ ପାଦ ଥାପିବାକୁ ସାହସ କରିନାହାନ୍ତି ।

ଚନ୍ଦ୍ରୟାନ-୨ ହିଁ ବାଟ କଢ଼ାଇଥିଲା ଚନ୍ଦ୍ରୟାନ-୩କୁ । ବିଫଳତା ହିଁ ଯେ ସଫଳତାର ଚାବିକାଠି, ତାହା ଅକ୍ଷରେ ଅକ୍ଷରେ ପ୍ରମାଣିତ କରିଦେଖାଇଛି ଇସ୍ରୋ । ଚନ୍ଦ୍ରୟାନ-୩ ଲକ୍ଷ୍ୟପଥରେ ପହଞ୍ଚିବା ପଛରେ ଚନ୍ଦ୍ରୟାନ-୨ର ବି ଯେ ବଡ଼ ଭୂମିକା ରହିଛି, ତାହା କହିଛନ୍ତି ନିଜେ ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ । ଆଉ ୨୦୧୯ରେ ଚନ୍ଦ୍ରୟାନ-୨ର ମୁଖ୍ୟ ବିନ୍ଧାଣୀ ସାଜିଥିବା ତତ୍କାଳୀନ ଇସ୍ରୋ ଅଧ୍ୟକ୍ଷ କେ.ଶିବନ ବି ଖୁସିରେ ଉତଫୁଲ୍ଲିତ । କହିଛନ୍ତି ସେତେବେଳେ ମୁଁ ଦେଖିଥିବା ସ୍ୱପ୍ନ ଗତକାଲି ସାକାର ହେଲା । ରୋଭର୍ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଗଡ଼ୁଥିବା ଦେଖିବା ପରେ ହିଁ, ବିଳମ୍ବିତ ରାତିରେ ମୁଁ ଘରକୁ ଫେରିଲି ।

Moon
Advertisment
Advertisment