• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚନ୍ଦ୍ର ପରେ ଇସ୍ରୋର ସୂର୍ଯ୍ୟ ଅଭିଯାନ । ଆଉ ଦୂର ନୁହେଁ, ଶୁକ୍ର ଓ ମଙ୍ଗଳ । ମୁନ୍ ମିଶନ ସଫଳ ହେବା ପରେ ମିଶନ ସୂର୍ଯ୍ୟ ପାଇଁ ଅଣ୍ଟା ଭିଡିସାରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଜାରି ହୋଇଛି ସୂର୍ଯ୍ୟ ଅଭିଯାନ ପାଇଁ ପ୍ରସ୍ତୁତ ହେଉଥିବା ଆଦିତ୍ୟ-L1ର ଫଟୋ । ବେଙ୍ଗାଳୁରୁ ସ୍ଥିତ ୟୁ.ଆର ରାଓ ସାଟେଲାଇଟ ସେଣ୍ଟରରେ ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ, ଏହାକୁ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ଭାରତର ପ୍ରମୁଖ ସ୍ପେଶପୋର୍ଟ ସତୀଶ ଧାୱନ୍ ସ୍ପେଶ୍ ସେଣ୍ଟରକୁ ଅଣାଯାଇଛି ।

ସେଠାରୁ PSLV- C57 ରକେଟ୍ ସହାୟତାରେ ଏହାକୁ ଉତକ୍ଷେପଣ କରିବାକୁ ଇସ୍ରୋ ଲକ୍ଷ୍ୟ ରଖିଛି । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଇସ୍ରୋର ଏହି ମିଶନ ରହିଛି । ଅଭିଯାନ ସଫଳ ହେଲେ ଏହା ସୂର୍ଯ୍ୟ ଉପରେ ଗବେଷଣା ପାଇଁ ମହାକାଶରେ ଅବସ୍ଥାପିତ ପ୍ରଥମ ଭାରତୀୟ ଅବଜର୍ଭେଟରି ହେବ ।

ପୃଥିବୀରୁ ସୂର୍ଯ୍ୟର ହାରାହାରି ଦୂରତା ପ୍ରାୟ ୧୫ କୋଟି କିଲୋମିଟର । ତେବେ ପୃଥିବୀଠୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ରହିଛି ସୂର୍ଯ୍ୟ-ପୃଥିବୀ ସିଷ୍ଟମର ପ୍ରଥମ ଲ୍ୟାଗରେଞ୍ଜ ପଏଣ୍ଟ ବା L-1 । ଉତକ୍ଷେପଣର ୪ ମାସ ପରେ ସେଠାରେ ଏକ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହେବ ଆଦିତ୍ୟ L-1 । ସେଠାରେ କୌଣସି ଗ୍ରହଣ କିମ୍ବା ପରାଗର ପ୍ରଭାବ ପଡ଼ୁନଥିବାରୁ, ଏହା ଅହରହ ସୂର୍ଯ୍ୟ ଉପରେ ଅଧ୍ୟୟନ ଜାରି ରଖିବ ।

ବୈଜ୍ଞାନିକ ଗବେଷଣା ପାଇଁ ଏଥିରେ ୭ଟି ପେ'ଲୋଡ୍ ବା ଯନ୍ତ୍ର ସୂର୍ଯ୍ୟ ନିକଟକୁ ପଠାଯିବ । ସୂର୍ଯ୍ୟର ହାଇ ଡେଫିନେସନ୍ ବା HD ଫଟୋ ଉଠାଇବା ସହ, ଆଦିତ୍ୟ L-1ର ମୁଖ୍ୟ ଉଦ୍ଦେଶ୍ୟ ରହିବ ସୂର୍ଯ୍ୟର ବାହ୍ୟସ୍ତର, ଚୁମ୍ବକୀୟ କ୍ଷେତ୍ର ଓ ସୂର୍ଯ୍ୟର ପୃଷ୍ଠଦେଶ ସଂପର୍କରେ ତଥ୍ୟ ସଂଗ୍ରହ କରିବ । ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୪ଶହ କୋଟି ଟଙ୍କା ।

ମହାକାଶକୁ ମଣିଷ ବି ପଠାଇବ ଇସ୍ରୋ । ଏଥିପାଇଁ ଜୋରସୋରରେ ଚାଲିଛି ମିଶନ ଗଗନାୟନ କାମ । ୨ ଥର ମାନବବିହୀନ ଯାନ ପଠାଇବା ପରେ, ଶେଷରେ ଅନ୍ତରୀକ୍ଷକୁ ଯିବେ ଭାରତୀୟ ମହାକାଶଚାରୀ । ମିଶନ ପାଇଁ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ କ୍ର୍ୟୁ ମଡ୍ୟୁଲ ଏବଂ କ୍ର୍ୟୁ ଏସକେପ୍ ପ୍ରଦର୍ଶନ ପାଇଁ କାର୍ଯ୍ୟ ଚାଲିଛି । ସବୁ କିଛି ଠିକଠାକ ଚାଲିଲେ ୨୦୨୫ ବେଳକୁ ପ୍ରଥମ ଥର ପାଇଁ ମନୁଷ୍ୟକୁ ନେଇ ମହାକାଶଯାନ ପ୍ରେରଣ ପାଇଁ ଇସ୍ରୋ ଯୋଜନା କରୁଛି । ମିଶନ ପାଇଁ ୩ ଜଣଙ୍କୁ ମହାକାଶର ୪ଶହ କିଲୋମିଟର ଦୂରକୁ ପଠାଯିବ ।

ପରେ ସୁରକ୍ଷିତ ଭାବେ ସେମାନଙ୍କୁ ପୃଥିବୀପୃଷ୍ଠକୁ ଫେରାଇଆଣିବାକୁ ଯୋଜନା ରହିଛି । ରୁଷରେ ଭାରତୀୟ ବାୟୁସେନାର ୩ଜଣ ପାଇଲଟଙ୍କୁ ଏଥିପାଇଁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଉଛି । ମିଶନ ଗଗନାୟନ ପାଇଁ ଭୁବନେଶ୍ବର ସ୍ଥିତ ସିଟିଟିସିରୁ ଅନେକ ଯନ୍ତ୍ରାଂଶ ଇସ୍ରୋକୁ ପଠାଯାଇଛି ।

ମିଶନ ଗଗନାୟନ ପରେ ରହିଛି ଭାରତର ଦ୍ୱିତୀୟ ମଙ୍ଗଳୟାନ ବା ମାର୍ସ ଅର୍ବିଟର ମିଶନ-୨ । ୨୦୨୪ କିମ୍ବା ୨୫ରେ ଏହି ମିଶନ ପୂରା କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ଆସନ୍ତାବର୍ଷ ଶୁକ୍ର ଗ୍ରହର ରହସ୍ୟ ଉପରୁ ପରଦା ହଟାଇବାକୁ ଅଭିଯାନ ପାଇଁ ଇସ୍ରୋ ଯୋଜନା କରିଛି। ମିଶନ ଶୁକ୍ରୟାନ-୧ରେ ଅର୍ବିଟରକୁ ଶୁକ୍ର ଗ୍ରହର କକ୍ଷପଥରେ ଅବସ୍ଥାପିତ କରାଯାଇ ଶୁକ୍ରର ସତ୍ତା ଏବଂ ଜଳବାୟୁ ଉପରେ ଅଧ୍ୟୟନ କରାଯିବ । ୨୦୨୪ରେ ଇସ୍ରୋର ପୁଣି ଚନ୍ଦ୍ର ମିଶନ ପାଇଁ ଯୋଜନା ରହିଥିବା ସୂଚନା ମିଳିଛି ।

ଲୁପେକ୍ସ ବା ଲୁନାର ପୋଲାର ଏକ୍ସପ୍ଲୋରେସନ୍ ମିଶନରେ ଇସ୍ରୋ ଏବଂ ଜାପାନର ଜାକ୍ସ ମିଳିତ ଭାବେ କାମ କରିବେ । ମିଶନରେ ନାସା ଏବଂ ୟୁରୋପିଆନ୍ ସ୍ପେଶ୍ ଏଜେନ୍ସିର ଉପକରଣ ମଧ୍ୟ ଲାଗିବ । ଏଥିରେ ଅର୍ବିଟର, ଲ୍ୟାଣ୍ଡର ଏବଂ ରୋଭର ରହିବ । ଏଥିସହ ଜଳବାୟୁ ପରିବର୍ତ୍ତନ ଉପରେ ନଜର ରଖିବାକୁ ଇସ୍ରୋ ଏବଂ ନାସା ମିଳିତ ଭାବେ ଆସନ୍ତା ବର୍ଷ ନିସାର ସାଟେଲାଇଟ୍ ଲଂଚ୍ କରିବେ । ସେହିପରି ଅନ୍ତରୀକ୍ଷରେ ମହାକାଶ ଗବେଷଣା କେନ୍ଦ୍ର ନିର୍ମାଣ ଦିଗରେ ସ୍ପାଡେକ୍ସ ବା ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ଯୋଜନା ବି ରହିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ।

  • Reported by:
  • BIBARTAN PANDA