• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ବିଶ୍ୱକପରେ ପାକିସ୍ତାନର ପ୍ରଦର୍ଶନ ନେଇ କୋଚ୍ ମିକି ଅର୍ଥରଙ୍କ ବଡ଼ ବୟାନ । ପାକିସ୍ତାନର ଖରାପ ପ୍ରଦର୍ଶନର କାରଣ କହିବାକୁ ଯାଇ ପୁଣି ଚର୍ଚ୍ଚାରେ ମିକି ଅର୍ଥର। ସବୁଠୁ ମଜାଦାର କଥା ହେଉଛି, ଦଳର ଖରାପ ପ୍ରଦର୍ଶନ ପାଇଁ ସେ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)କୁ ଦାୟୀ କରିଛନ୍ତି । କହିଛନ୍ତି, ପାକିସ୍ତାନ ଖେଳାଳି ଆଇପିଏଲ ଖେଳୁନଥିବାରୁ ଏହା ତାଙ୍କ ପାଇଁ ସମସ୍ୟା ହୋଇଛି । ଏପରିକି ଭାରତୀୟ ପରିବେଶ ଓ ଅଳ୍ପ ସମୟ ବ୍ୟବଧାନରେ ଭିନ୍ନ ଭିନ୍ନ ପିଚ୍ ସହ ଖାପ୍ ଖୁଆଇବା ପାକିସ୍ତାନ ଖେଳାଳିଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି । ବେଙ୍ଗାଲୁରୁରେ ପ୍ରି-ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଅର୍ଥର। 

ଶନିବାର, ନଭେମ୍ବର ୪ତାରିଖରେ ପାକିସ୍ତାନ ଟିମ ନ୍ୟୁଜିଲାଣ୍ଡକୁ ଭେଟିବ । ଦିନିକିଆ ବିଶ୍ୱକପ ୨୦୨୩ର ସେମିଫାଇନାଲ ରେସରେ ରହିବାକୁ ହେଲେ ଏହି ମ୍ୟାଚ୍ ବାବର ଆଜମଙ୍କ ଟିମକୁ ଜିତିବାକୁ ହେବ । ଏହି ମ୍ୟାଚ ପାକ୍ ଟିମ ପାଇଁ କର ବା ମର ମ୍ୟାଚ୍ ସଦୃଶ୍ୟ ହୋଇଛି । ଫଳରେ ନିଶ୍ଚିନ୍ତ ବିଜୟ ଆଶାରେ ରହିଛି ଟିମ । ଆଇପିଏଲରେ ନ ଖେଳିବା ପାକିସ୍ତାନ ଖେଳାଳିଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି କି ବୋଲି ସାମ୍ବାଦିକ ତାଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଅର୍ଥର କହିଥିଲେ, ଟିମର ପ୍ରଦର୍ଶନ ନେଇ ସେ କୌଣସି ବାହାନା କରିବାକୁ ଚାହୁଁନାହାନ୍ତି ।

ମିକି ଅର୍ଥର କହିଛନ୍ତି, "ଏହା କୌଣସି ବାହାନା ନୁହେଁ, କିନ୍ତୁ ଏହା ସତ । ଭାରତରେ ବିଶ୍ୱକପ ମ୍ୟାଚ୍ ଖେଳୁଥିବା ପ୍ରତ୍ୟେକ ଭେନ୍ୟୁ ପାକିସ୍ତାନ ଖେଳାଳିଙ୍କ ପାଇଁ ସଂପୂର୍ଣ୍ଣ ନୂଆ । ଐତିହାସିକ ଇଡେନ ଗାର୍ଡେନ ହେଉ କିମ୍ବା ବାଙ୍ଗାଲୋର, ହାଇଦ୍ରାବାଦ ଓ ଚେନ୍ନାଇ ଭଳି ଗ୍ରାଉଣ୍ଡ, ସବୁଠି ଆଇପିଏଲ ଓ ଟେଷ୍ଟ ମ୍ୟାଚ ଟିଭିରେ ପାକିସ୍ତାନ ଖେଳାଳିମାନେ ଦେଖିଛନ୍ତି । ତେଣୁ ସେହି ଗ୍ରାଉଣ୍ଡରେ ଖେଳିବା ସେମାନଙ୍କ ପାଇଁ ଉତ୍ସାହର କାରଣ ହୋଇଛି ।" ଅର୍ଥର ଆହୁରି ମଧ୍ୟ କହିଛନ୍ତି ଯେ, "ପାକିସ୍ତାନ ବିଶ୍ୱକପ ଟିମରେ ଥିବା ଖେଳାଳି ଭାରତରେ ପ୍ରଥମ ଥର ଖେଳୁଛନ୍ତି । ସେଥିପାଇଁ ଏଠାକାର ପରିବେଶ ସହ ଖାପ ଖୁଆଇବା ପାଇଁ ଟିକେ ସମୟ ଲାଗୁଛି ।"

ଅର୍ଥରଙ୍କ କହିବା ଅନୁଯାୟୀ, ପାକିସ୍ତାନ ଏଯାବତ ନିଜର ସାମର୍ଥ୍ୟ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟରେ ପ୍ରଦର୍ଶନ କରିନାହିଁ । କେବଳ ବାଂଲାଦେଶ ବିପକ୍ଷରେ ଅକ୍ଟୋବର ୩୧ରେ ଇଡେନ ଗାର୍ଡେନରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ସାମର୍ଥ୍ୟ ଅନୁଯାୟୀ ପ୍ରଦର୍ଶନ କରିଥିଲା । ଦିନିକିଆ କ୍ରିକେଟ ବିଶ୍ୱକପ ୨୦୨୩ର ଲିଗ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ଥିବାବେଳେ ସେମିଫାଇନାଲ ପାଇଁ ଜୋରଦାର ଲଢେଇ ଦେଖିବାକୁ ମିଳିଛି । ବେଙ୍ଗାଲୁରୁରେ ଖେଳାଯିବାକୁ ଥିବା ମ୍ୟାଚ୍ ଉଭୟ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ନ୍ୟୁଜିଲାଣ୍ଡର ସ୍ଥାନ ସୂତାଖିଅରେ ଝୁଲୁଥିବା ବେଳେ ପାକିସ୍ତାନ ଷଷ୍ଠ ସ୍ଥାନରେ ଆଫଗାନିସ୍ତାନ ତଳକୁ ରହିଛି । ପାକିସ୍ତାନକୁ ପଛରେ ପକାଇ ଆଫଗାନିସ୍ତାନ ପଞ୍ଚମ ସ୍ଥାନରେ ପହଞ୍ଚିଯାଇଛି ।