/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751264349.jpg)
ରବୀନ୍ଦ୍ର ଜାଡ଼େଜା
ରବୀନ୍ଦ୍ର ଜାଡ଼େଜା ଆଇସିସି ଟେଷ୍ଟ ଅଲ୍ରାଉଣ୍ଡର୍ ମାନ୍ୟତାରେ ଦୀର୍ଘ ଦିନ ଧରି ଶୀର୍ଷ ସ୍ଥାନରେ ରହିଛନ୍ତି । ଏହାର କାରଣ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲ୍ୟୁଟିସି) ୨୦୨୩-୨୫ ଚକ୍ରରେ ତାଙ୍କର ଅଲ୍ରାଉଣ୍ଡ ପ୍ରଦର୍ଶନ । ଫିଲ୍ଡିଂରେ ମଧ୍ୟ ତାଙ୍କର ଭଲ ଯୋଗଦାନ ରହିଥିଲା । ଏହାସତ୍ତ୍ୱେ ଜାଡ଼େଜାଙ୍କ ଅବସର ସମ୍ଭାବନା ନେଇ ଚର୍ଚ୍ଚା ହେଉଛି ।
ଏବେ ଇଂଲଣ୍ଡ ଗସ୍ତରେ ଭାରତୀୟ ଟେଷ୍ଟ ଟିମ୍ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳୁଛି । ଏହି ସିରିଜ୍ ପୂର୍ବରୁ ଦୁଇ ଅଭିଜ୍ଞ ଖେଳାଳି - ତତ୍କାଳୀନ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଟେଷ୍ଟ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ । ଚଳିତ ବର୍ଷ ଆରମ୍ଭରେ ବର୍ଡର-ଗାଭାସ୍କର ଟ୍ରଫି ସମୟରେ ଅଫ୍ ସ୍ପିନ୍ ଅଲ୍ରାଉଣ୍ଡର୍ ରବିଚନ୍ଦ୍ରନ ଅଶ୍ୱିନ ଅଚାନକ ପୂରା ଆନ୍ତର୍ଜାତିକ କ୍ରିକେଟ୍ ଛାଡ଼ିଦେଇଥିଲେ । ଅଶ୍ୱିନ, ରୋହିତ ଓ ବିରାଟଙ୍କ ପରେ ଜାଡ଼େଜାଙ୍କ ପାଳି ପଡ଼ିବ ବୋଲି ଆଲୋଚନା ହୋଇଥିଲା, କାରଣ ଜାଡ଼େଜା ବି ସେହି ଭେଟେରାନ୍ ଗୋଷ୍ଠୀର ଅଂଶବିଶେଷ ।
ଫିଟ୍ନେସ୍ ଓ ପୂର୍ବ ରେକର୍ଡ ଯଥେଷ୍ଟ ନୁହେଁ
ଜାଡ଼େଜାଙ୍କୁ ଏବେ ୩୬ ବର୍ଷ ବୟସ । ଅବଶ୍ୟ ଫିଟ୍ ଥିବା ଯୋଗୁଁ ସେ ଆଉ କିଛି ବର୍ଷ ପାରମ୍ପରିକ କ୍ରିକେଟ୍ ଖେଳିପାରିବେ ବୋଲି କୁହାଯାଇପାରେ । କିନ୍ତୁ ଏହା ଟେଷ୍ଟ ଟିମ୍ରେ ତାଙ୍କ ଚୟନ ପାଇଁ ମୁଖ୍ୟ ମାନଦଣ୍ଡ ନୁହେଁ । ସେ ଏବେ ଟିମ୍ରେ କିଭଳି ପ୍ରଦର୍ଶନ କରୁଛନ୍ତି, ତାହା ଅଧିକ ଗୁରୁତ୍ୱ ରଖେ । ଅତୀତର ରେକର୍ଡ ବି ଯଥେଷ୍ଟ ନୁହେଁ । ରୋହିତ, ବିରାଟଙ୍କ ଭଳି ବ୍ୟାଟର୍ ଟେଷ୍ଟ ଛାଡ଼ିବାର ମୁଖ୍ୟ କାରଣ ସେମାନେ ଏହି ଫର୍ମାଟ୍ରେ ଆଉ ଆଶାଜନକ ପ୍ରଦର୍ଶନ କରିପାରୁ ନ ଥିଲେ, ଯାହାର ପ୍ରଭାବ ଟିମ୍ର ସାମଗ୍ରିକ ପ୍ରଦର୍ଶନ ଉପରେ ପଡ଼ୁଥିଲା ।
ଏପରି ସ୍ଥଳେ ଟିମ୍ରେ ବୋଝ ହୋଇ ରହିବା ଅପେକ୍ଷା ଅନ୍ୟ ଖେଳାଳିଙ୍କ ପାଇଁ ବାଟ ଛାଡ଼ିବା ଶ୍ରେୟସ୍କର ବୋଲି ସେମାନେ ବିଚାର କରିଥାଇପାରନ୍ତି । ଅଶ୍ୱିନଙ୍କ ପାଇଁ ମଧ୍ୟ ସମାନ ସମସ୍ୟା ଥିଲା । ତାଙ୍କ ପାଇଁ ଟିମ୍ରେ ସ୍ଥାନ ପାଇବା ବି ଚାଲେଞ୍ଜ୍ ହୋଇଥିଲା । ସେହିପରି ଟେଷ୍ଟରେ ଜାଡ଼େଜାଙ୍କ ଚମକ ବି ଆଉ ପୂର୍ବ ଭଳି ନାହିଁ । ପ୍ରଶ୍ନ ଉଠୁଛି, ପାରମ୍ପରିକ ଫର୍ମାଟ୍ରେ ତାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ କି ଇଂଲଣ୍ଡ ସିରିଜ୍? ଏଥିରେ ବିଫଳତା ସ୍ଥଳେ ଟିମ୍ରୁ ତାଙ୍କୁ କାଢ଼ି ଦିଆଯିବ କି ନା ସେ ନିଜେ ନେବେ ଚରମ ନିଷ୍ପତ୍ତି?
ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସିରିଜ୍ରେ କରିଥିଲେ ନିରାଶ
ଡବ୍ଲ୍ୟୁଟିସିର ୨୦୨୩-୨୫ ଚକ୍ରରେ ଜାଡ଼େଜା ୧୫ ମ୍ୟାଚ୍ ଖେଳି ୬୬୪ ରନ୍ କରିଥିବା ବେଳେ ୫୫ ୱିକେଟ୍ ନେଇଥିଲେ । କିନ୍ତୁ ଶେଷ ଦୁଇ ଗୁରୁତ୍ୱପୂର୍ଣ୍ଣ ସିରିଜ୍ରେ ତାଙ୍କ ବିଫଳତା ଭାରତୀୟ ଟିମ୍ ପାଇଁ ମହଙ୍ଗା ପଡ଼ିଥିଲା । ଏହି ଦୁଇ ସିରିଜ୍ ହାରିବା ଯୋଗୁଁ ଭାରତ ପ୍ରଥମ ଥର ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଘରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିଥିଲା । କିନ୍ତୁ ଆୟୋଜକ ଟିମ୍ ସମସ୍ତ ମ୍ୟାଚ୍ ହାରିଥିଲା । ଟିମ୍ ତା’ର ଇତିହାସରେ ପ୍ରଥମ ଥର ନ୍ୟୁଜିଲାଣ୍ଡ ଠାରୁ ନିଜ ଘରେ କ୍ଲିନ୍ ସୁଇପ୍ର ଶିକାର ହୋଇଥିଲା । ଏହି ସିରିଜ୍ରେ ଜାଡ଼େଜା ଛଅ ଇନିଂସ୍ ଖେଳି ୧୯୫ ରନ୍ କରିଥିବା ବେଳେ ୧୬ ୱିକେଟ୍ ନେଇଥିଲେ ।
ଏହାପରେ ଫାଇନାଲ୍ରେ ସ୍ଥାନ ପାଇବା ପାଇଁ ଭାରତ ବର୍ଡର-ଗାଭାସ୍କର ଟ୍ରଫିକୁ ବଡ଼ ବ୍ୟବଧାନରେ ଜିତିବା ଜରୁରୀ ଥିଲା । କିନ୍ତୁ ଟିମ୍ କୌଣସି କମାଲ୍ କରିପାରି ନ ଥିଲା । ସିରିଜ୍ ଜିତିବା ତ ଦୂରର କଥା, ୧-୩ରେ ପରାଜିତ ହୋଇଥିଲା । ଏହା ସହିତ ଅଷ୍ଟ୍ରେଲିଆରେ ଟେଷ୍ଟ ଫର୍ମାଟ୍ରେ ଦଶନ୍ଧି ବ୍ୟାପୀ ଆଧିପତ୍ୟର ବି ଅନ୍ତ ଘଟିଥିଲା । ଏହି ସିରିଜ୍ରେ ଜାଡ଼େଜା ତିନି ମ୍ୟାଚ୍ର ପାଞ୍ଚ ଇନିଂସ୍ରେ ୧୩୫ ରନ୍ ସଂଗ୍ରହ କରିଥିଲେ । ଏହାଛଡ଼ା ସେ ବୋଲିଂରେ ଚାରି ଇନିଂସ୍ରେ ୪ ୱିକେଟ୍ ନେଇଥିଲେ ।
ଇଂଲଣ୍ଡ ସିରିଜ୍ ବଡ଼ ଚାଲେଞ୍ଜ୍
ଇଂଲଣ୍ଡ ଗସ୍ତ ପୂର୍ବରୁ ରୋହିତ ଓ ବିରାଟଙ୍କ ଭଳି ଜାଡ଼େଜା ବି କ୍ରିକେଟ୍ର ସବୁଠାରୁ ଲମ୍ବା ଫର୍ମାଟ୍ ଛାଡ଼ିବେ ବୋଲି ଚର୍ଚ୍ଚା ହୋଇଥିଲେ ବି ଏହି ବାମହାତି ଅଲ୍ରାଉଣ୍ଡର୍ ଟେଷ୍ଟ କ୍ରିକେଟ୍ ଛାଡ଼ି ନ ଥିଲେ । ଭାରତୀୟ ଚୟନ କମିଟି ମଧ୍ୟ ତାଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜ୍ ପାଇଁ ଟିମ୍ରେ ସାମିଲ୍ କରିଥିଲା । ତେବେ ତେନ୍ଦୁଲକର-ଆଣ୍ଡରସନ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ସେ ଉଭୟ ବ୍ୟାଟିଂ ଓ ବୋଲିଂରେ ବିଫଳ ହୋଇଥିଲେ । ଟିମ୍ ଇଣ୍ଡିଆ ବି ଏହି ମ୍ୟାଚ୍ ହାରିଯାଇଥିଲା । ତେଣୁ ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ ପୁନର୍ବାର ଚର୍ଚ୍ଚା ଆରମ୍ଭ ହୋଇଛି । ହେଡିଙ୍ଗଲେ ଠାରେ ଟିମ୍ର ପରାଜୟ ପାଇଁ ଜାଡ଼େଜାଙ୍କୁ ବି ଦାୟୀ କରାଯାଉଛି । ସେ ଟିମ୍ର ଏକମାତ୍ର ସ୍ପିନର୍ ଥିଲେ, ହେଲେ କାମରେ ଆସି ନ ଥିଲେ ।
ପ୍ରଥମ ଇନିଂସ୍ରେ ସେ ବ୍ୟାଟିଂରେ ମାତ୍ର ୧୧ ରନ୍ କରିଥିଲେ । ଏହାପରେ ବୋଲିଂରେ ୨୩ ଓଭର୍ ପକାଇଥିଲେହେଁ ଗୋଟିଏ ବି ୱିକେଟ୍ ପାଇ ନ ଥିଲେ । ସେହିପରି ଦ୍ୱିତୀୟ ଇନିଂସ୍ରେ ସେ ବଡ଼ କଷ୍ଟରେ ଗୋଟିଏ ୱିକେଟ୍ ନେଇଥିଲେ ଏବଂ ବ୍ୟାଟିଂରେ ୨୫ ରନ୍ କରି ଅପରାଜିତ ଥିଲେ । ଖୋଦ୍ ଜାଡ଼େଜା ଏ କଥା ଭଲ ଭାବେ ଜାଣନ୍ତି ଯେ ଏହି ସିରିଜ୍ ତାଙ୍କ ପାଇଁ ବଡ଼ ଚାଲେଞ୍ଜ୍ । ଏପରି ସ୍ଥଳେ ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକରେ ଭଲ ପ୍ରଦର୍ଶନ କରିବା ତାଙ୍କ ପାଇଁ ଜରୁରୀ ହୋଇଯାଇଛି । ଭାରତୀୟ ଟିମ୍ ଏହାପରେ ଘରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ, ଯାହାକି ଅକ୍ଟୋବର ୨ରୁ ଆରମ୍ଭ ହେବ । ଇଂଲଣ୍ଡ ସିରିଜ୍ରେ ପ୍ରଦର୍ଶନ ଆଧାରରେ ତାଙ୍କୁ ପରବର୍ତ୍ତୀ ସିରିଜ୍ ପାଇଁ ଟିମ୍ରେ ଚୟନ ଲାଗି ବିଚାରକୁ ନିଆଯାଇପାରେ । ଟିମ୍ର ସବୁଠାରୁ ବୟସ୍କ ଖେଳାଳି ହୋଇଥିବା ଦୃଷ୍ଟିରୁ ମଧ୍ୟ ସେ ଅଧିକ ଦାୟିତ୍ୱସମ୍ପନ୍ନ ହୋଇ ଖେଳିବା ଉଚିତ ।