Advertisment

Sports: ପୁଣି ଗାବାରେ ତ୍ରିରଙ୍ଗା ଉଡ଼ାଇବ କି ଟିମ୍ ଇଣ୍ଡିଆ ?

ପର୍ଥ ବିଜୟ ପରେ ଆଡିଲେଡ୍‌ରେ ପିଙ୍କ୍ ବଲ୍ ଟେଷ୍ଟ ହାରିବା ଯୋଗୁଁ ଡବ୍ଲ୍ୟୁଟିସି ଦୃଷ୍ଟିରୁ ଟିମ୍ ଇଣ୍ଡିଆ ପାଇଁ ଗାବା ମ୍ୟାଚ୍‌ର ଗୁରୁତ୍ୱ ବହୁତ ବଢ଼ିଯାଇଛି । ଏବେ ପ୍ରଶ୍ନ ଉଠୁଛି ଯେ ଗାବାରେ ୨୦୨୦-୨୧ ଗସ୍ତର ସଫଳତାକୁ ଦୋହରାଇପାରିବ କି ଟିମ୍ ଇଣ୍ଡିଆ?

author-image
Biswajit Mohanty
ଅଦ୍ୟତନ ହୋଇଛି
Will Team India fly the triranga again at the Gabba

Will Team India fly the triranga again at the Gabba

ଅଷ୍ଟ୍ରେଲୀୟ ଟେଷ୍ଟ ଟିମ୍ ପାଇଁ ଗାବା ଆଉ ଅଭେଦ୍ୟ ଦୁର୍ଗ ହୋଇ ରହି ନାହିଁ । ୨୦୨୦-୨୧ ଗସ୍ତରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆର ଏହି ଦୁର୍ଗ ଭେଦ କରି କେବଳ ଐତିହାସିକ ବିଜୟ ହାସଲ କରି ନ ଥିଲା, ସିରିଜ୍ ମଧ୍ୟ ହାତେଇଥିଲା ।

Advertisment

ଚଳିତ ବର୍ଷ ପ୍ରାରମ୍ଭରେ ୱେଷ୍ଟଇଣ୍ଡିଜ୍ ମଧ୍ୟ ଏଠାରେ ଟେଷ୍ଟ ଜିତିଥିଲା । ପିଙ୍କ୍ ବଲ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ କାରିବୀୟ ଟିମ୍ ୮ ରନ୍‌ରେ ରୋମାଞ୍ଚକ ଭାବେ ଆୟୋଜକ ଟିମ୍‌କୁ ମାତ୍ ଦେଇଥିଲା । 

ଏବେ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଟେଷ୍ଟ ଟିମ୍ ଗାବାରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିିରିଜ୍‌ର ତୃତୀୟ ମ୍ୟାଚ୍ ଖେଳିବ । ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ଦୃଷ୍ଟିରୁ ପୂରା ସିରିଜ୍ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ।

Advertisment

ତେବେ ପର୍ଥ ବିଜୟ ପରେ ଆଡିଲେଡ୍‌ରେ ପିଙ୍କ୍ ବଲ୍ ଟେଷ୍ଟ ହାରିବା ଯୋଗୁଁ ଭ୍ରମଣକାରୀ ଟିମ୍ ପାଇଁ ଗାବା ମ୍ୟାଚ୍‌ର ଗୁରୁତ୍ୱ ବହୁତ ବଢ଼ିଯାଇଛି । ଏପରି ସ୍ଥଳେ ପ୍ରଶ୍ନ ଉଠୁଛି ଯେ ଗାବାରେ ୨୦୨୦-୨୧ ଗସ୍ତର ସଫଳତାକୁ ଦୋହରାଇପାରିବ କି ଟିମ୍ ଇଣ୍ଡିଆ?

କେମିତି ପିଚ୍‌ରେ ଖେଳାଯିବ ମ୍ୟାଚ୍

ଆଡିଲେଡ୍ ଓଭାଇ୍‌ରେ ଖେଳାଯାଇଥିବା ପିଙ୍କ୍ ବଲ୍ ଟେଷ୍ଟରେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର୍‌ଙ୍କ ଆଗରେ ଭାରତୀୟ ବ୍ୟାଟର୍ ଅସହାୟ ଜଣାପଡ଼ୁଥିଲେ । ଏବେ ଡିସେମ୍ବର ୧୪ରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟରେ ଭାରତୀୟ ଟିମ୍ ‘ଦ୍ରୁତ ବୋଲର୍‌ଙ୍କ ସ୍ୱର୍ଗ’ କୁହାଯାଉଥିବା ଗାବା ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆକୁ ଭେଟିବ ।

Will Team India fly the triranga again at the Gabbaଆଡିଲେଡ୍ ଓଭାଇ୍‌ରେ ଖେଳାଯାଇଥିବା ପିଙ୍କ୍ ବଲ୍ ଟେଷ୍ଟରେ

ଗାବା ପିଚ୍‌ରେ ପାରମ୍ପରିକ ଗତି ଓ ବାଉନ୍ସ ଯୋଗୁଁ ଏଥର ବି ଦ୍ରୁତ ବୋଲର୍‌ଙ୍କ ଆଧିପତ୍ୟ ରହିବ ବୋଲି ଆଶା କରାଯାଉଛି, କାରଣ ଏହି ମ୍ୟାଚ୍ ଖ୍ରୀଷ୍ଟମାସ ପରେ ନୁହେଁ ବରଂ ଗ୍ରୀଷ୍ମ ଆରମ୍ଭରେ ଖେଳାଯାଉଛି ।

ଭାରତୀୟ ଟିମ୍ ପୂର୍ବ ଗସ୍ତରେ ଗାବାରେ ଯେଉଁ ଟେଷ୍ଟ ଜିତିଥିଲା, ତାହା ଖ୍ରୀଷ୍ଟମାସ ପରେ ଖେଳାଯାଇଥିଲା । ଏହାପରେ କଙ୍ଗାରୁ ଟିମ୍ ଏଠାରେ ୱେଷ୍ଟଇଣ୍ଡିଜ୍ ଠାରୁ ହାରିଥିଲା । ଏହି ଟେଷ୍ଟ ବି ଖ୍ରୀଷ୍ଟମାସ ପରେ ଆୟୋଜିତ ହୋଇଥିଲା ।

ଅଷ୍ଟ୍ରେଲୀୟ ଖେଳାଳି ଗ୍ରୀଷ୍ମ ଆରମ୍ଭରେ ଗାବାରେ ଖେଳିବାକୁ ପସନ୍ଦ କରନ୍ତି, ଗ୍ରୀଷ୍ମ ଶେଷବେଳକୁ ନୁହେଁ । ସିଜନ୍ ଆରମ୍ଭରେ ସତେଜ ପିଚ୍ ଯୋଗୁଁ ଡିସେମ୍ବରରେ ଏଠାରେ ଆୟୋଜିତ ମ୍ୟାଚ୍‌ଗୁଡ଼ିକରେ ଅଷ୍ଟ୍ରେଲିଆର ଆଧିପତ୍ୟ ରହିଆସିଛି ।

ଗାବାରେ ମ୍ୟାଚ୍ କେଉଁ ସମୟରେ ଖେଳାଯାଉଛି, ତାହା ଗୁରୁତ୍ୱ ରଖେ । ତେଣୁ ପୂର୍ବ ଦୁଇ ପରାଜୟ ଓ ନିଜ ଖେଳାଳିଙ୍କ ପସନ୍ଦକୁ ଦୃଷ୍ଟିରୁ ରଖି ଏଥର ଖ୍ରୀଷ୍ଟମାସ ପୂର୍ବରୁ ଏଠାରେ ଟେଷ୍ଟ ମ୍ୟାଚ୍ ଆୟୋଜନ କରାଯାଉଥିବା ସମ୍ଭବ ।

ପିଚ୍ କ୍ୟୁରେଟର୍ ଡେଭିଡ୍ ସାଣ୍ଡର୍ସକୀ କହିଛନ୍ତି ଯେ ଏହା ସିଜନ୍‌ର ଆରମ୍ଭ । ଏପରି ସ୍ଥଳେ ଏହି ପିଚ୍ ଅଷ୍ଟ୍ରେଲିଆ ପାଇଁ ଲାଭଦାୟକ ହୋଇପାରେ । ସିଜନ୍‌ର ଭିନ୍ନ ଭିନ୍ନ ସମୟରେ ପ୍ରକୃତି ବଦଳିଯାଏ । ସିଜନ୍ ଶେଷରେ ପିଚ୍‌ରେ ଅଧିକ ଫାଟ ଦେଖିବାକୁ ମିଳିପାରେ, ହେଲେ ପ୍ରଥମାବସ୍ଥାରେ ପିଚ୍ ବୋଲର୍‌ଙ୍କ ପାଇଁ ଅନୁକୂଳ ରହିଥାଏ ।

ଗାବାରେ ପାରମ୍ପରିକ ପିଚ୍ ପ୍ରସ୍ତୁତ କରିବା ପ୍ରକ୍ରିୟା ସବୁବେଳେ ଏକାଭଳି । ସେମାନେ ପ୍ରତିବର୍ଷ ଗାବାରେ ଦ୍ରୁତ, ବାଉନ୍ସିଂ ଓ ଆହ୍ୱାନପୂର୍ଣ୍ଣ ପିଚ୍ ପ୍ରସ୍ତୁତ କରିବାକୁ ପ୍ରୟାସ କରିଥା’ନ୍ତି । ଏଥର ବି ଦ୍ରୁତ ବୋଲର୍‌ଙ୍କୁ ପିଚ୍‌ରୁ ବହୁତ ସହାୟତା ମିଳିବ ।

ନଭେମ୍ବରରେ ଏଠାରେ ପିଙ୍କ୍ ବଲ୍‌ରେ ଖେଳାଯାଇଥିବା ଏକ ଘରୋଇ ମ୍ୟାଚ୍‌ର ପ୍ରଥମ ଦିନରେ ୧୫ ୱିକେଟ୍ ପଡ଼ିଥିଲା । ତୃତୀୟ ଟେଷ୍ଟରେ ସେହିଭଳି ପିଚ୍ ହିଁ ଦେଖିବାକୁ ମିଳିବ । ସାଣ୍ଡର୍ସକୀଙ୍କ କହିବାନୁଯାୟୀ ଏଭଳି ୱିକେଟ୍ ପ୍ରସ୍ତୁତ କରିବା ସେମାନଙ୍କ ଲକ୍ଷ୍ୟ ଯେଉଁଠି ବ୍ୟାଟ୍ ଓ ବଲ୍ ମଧ୍ୟରେ ଭଲ ସନ୍ତୁଳନ ରହିବ ।

ଭାରତର ଐତିହାସିକ ଗାବା ବିଜୟ

ପୂର୍ବ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିଥିଲା । ଶେଷ ମ୍ୟାଚ୍ ଗାବାରେ ଖେଳାଯାଇଥିଲା । ସେଠାରେ ସିରିଜ୍‌ର ସବୁଠାରୁ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା ।

ତେବେ ଶେଷରେ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱାଧୀନ ଟିମ୍ ୩ ୱିକେଟ୍‌ରେ କଙ୍ଗାରୁ ଟିମ୍‌କୁ ହରାଇବା ସହ ୨-୧ରେ ସିରିଜ୍ ଜିତିଥିଲା । ୧୯୮୮ ପରଠାରୁ ଏହି ଗ୍ରାଉଣ୍ଡରେ ଆୟୋଜକ ଟିମ୍‌ର ଏହା ପ୍ରଥମ ଟେଷ୍ଟ ପରାଜୟ ଥିଲା ।

ଏହି ବିଜୟରେ ୱିକେଟ୍‌କିପର୍‌-ବ୍ୟାଟର୍ ରିଷଭ ପନ୍ତ, ଦ୍ରୁତ ବୋଲର୍ ମହମ୍ମଦ ସିରାଜ, ଓପନର୍ ଶୁଭମନ ଗିଲ୍‌, ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର୍ ୱାଶିଂଟନ୍ ସୁନ୍ଦର ଓ ଦ୍ରୁତ ବୋଲିଂ ଅଲ୍‌ରାଉଣ୍ଡର ଶାର୍ଦ୍ଦୂଳ ଠାକୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

Will Team India fly the triranga again at the Gabbaଭାରତର ଐତିହାସିକ ଗାବା ବିଜୟ

୨୦୨୧ ଜାନୁଆରୀରେ ଆୟୋଜିତ ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୩୬୯ ରନ୍ କରିଥିବା ବେେଳେ ଭାରତୀୟ ଟିମ୍ ୩୩୬ ରନ୍ କରିଥିଲା । କଙ୍ଗାରୁ ଟିମ୍ ୩୩ ରନ୍‌ରେ ଅଗ୍ରଣୀ ଥିଲା ।

ଏହାପରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ୍‌ରେ ୨୯୪ ରନ୍ କରି ୩୨୮ ରନ୍‌ର ଟାର୍ଗେଟ୍ ଦେଇଥିଲା । ଜବାବରେ ଭାରତ ୭ ୱିକେଟ୍‌ରେ ୩୨୯ ରନ୍ କରି ବିଜୟୀ ହୋଇଥିଲା ।

ଏହି ମ୍ୟାଚ୍‌ରେ ପନ୍ତ ପ୍ରଥମ ଇନିଂସ୍‌ରେ ୨୩ ରନ୍ କରିଥିଲେ, କିନ୍ତୁ ଆହ୍ୱାନପୂର୍ଣ୍ଣ ପରିସ୍ଥିତିକୁ ଦେଖି ଦ୍ୱିତୀୟ ଇନିଂସ୍‌ରେ ଅପରାଜିତ ୮୯ ରନ୍‌ର ଇନିଂସ୍ ଖେଳିଥିଲେ । ସେ ଶେଷ ଯାଏଁ କ୍ରିଜ୍‌ରେ ରହି ଟିମ୍‌କୁ ଜିତାଇବା ପରେ ହିଁ ଫେରିଥିଲେ ଏବଂ ‘ପ୍ଲେୟାର୍ ଅଫ୍ ଦ ମ୍ୟାଚ୍‌’ ବିବେଚିତ ହୋଇଥିଲେ ।

ସେହିପରି ଗିଲ୍ ପ୍ରଥମ ଇନିଂସ୍‌ରେ ମାତ୍ର ୭ ରନ୍ କରିଥିଲେ, କିନ୍ତୁ ଦ୍ୱିତୀୟ ଇନିଂସ୍‌ରେ ୯୧ ରନ୍‌ର ଦୃଢ଼ ଇନିଂସ୍ ଖେଳିଥିଲେ । ପ୍ରଥମ ଇନିଂସରେ ସୁନ୍ଦର (୬୨) ଓ ଶାର୍ଦ୍ଦୂଳ (୬୭) ସପ୍ତମ ୱିକେଟ୍ ପାଇଁ ୧୨୩ ରନ୍‌ର ଉଜ୍ଜ୍ୱଳ ଭାଗୀଦାରୀ କରି ଟିମ୍‌କୁ ବିପର୍ଯ୍ୟୟରୁ ମୁକୁଳାଇଥିଲେ ।

ବୋଲିଂରେ ପ୍ରଥମ ଇନିଂସ୍‌ରେ ୧ ୱିକେଟ୍ ନେଇଥିବା ସିରାଜ ଦ୍ୱିତୀୟ ଇନିଂସ୍‌ରେ ୫ ୱିକେଟ୍ ନେଇ ପ୍ରତିପକ୍ଷ ଟିମ୍‌ର ଅଣ୍ଟା ଭାଙ୍ଗି ଦେଇଥିଲେ । ଏହାଛଡ଼ା ମ୍ୟାଚ୍‌ରେ ଶାର୍ଦ୍ଦୂଳ ୭, ୱାଶିଂଟନ୍ ସୁନ୍ଦର ୪ ୱିକେଟ୍ ନେଇଥିଲେ । ଏଥର ଶାର୍ଦ୍ଦୂଳ ଟିମ୍‌ରେ ନାହାନ୍ତି ।

କିନ୍ତୁ ଭାରତୀୟ ଟିମ୍ ଏଠାରେ ଏଯାବତ ସାତ ଟେଷ୍ଟ ଖେଳି ମାତ୍ର ଗୋଟିଏରେ ବିଜୟ ହାସଲ କରିଥିବା ବେଳେ ପାଞ୍ଚ ମ୍ୟାଚ୍ ହାରିଛି ଏବଂ ଅନ୍ୟ ଗୋଟିଏ ଡ୍ର’ ରହିଛି । ଏ କଥାକୁ ବି ଧ୍ୟାନରେ ରଖିବାକୁ ହେବ ।

ତୃତୀୟ ଟେଷ୍ଟ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ କାହିଁକି ?

ଘରେ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ କ୍ଲିନ୍ ସୁଇପ୍ ହେବା ପରେ ବର୍ଡର-ଗାଭାସ୍କର ଟ୍ରଫି ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ସିରିଜ୍‌ରେ ଭାରତ ଅତି କମ୍‌ରେ ଚାରି ମ୍ୟାଚ୍ ଜିତିଲେ ସିଧା ଡବ୍ଲ୍ୟୁଟିସି ଫାଇନାଲ୍‌ରେ ପ୍ରବେଶ କରିପାରିବ । ଅବଶ୍ୟ ତିନି ବିଜୟ ଓ ଗୋଟିଏ ଡ୍ର’ ଦ୍ୱାରା ଟିମ୍‌ର ପଏଣ୍ଟ ପ୍ରତିଶତ ୬୦ରୁ ଉପରେ ରହିବ । କିନ୍ତୁ ଚାରି ବିଜୟ ଅଧିକ ନିରାପଦ ।

ଟିମ୍ ସେଥିମଧ୍ୟରୁ ଗୋଟିଏ ମ୍ୟାଚ୍ ଜିତିସାରିଛି । ତାହା ଥିଲା ଐତିହାସିକ ପର୍ଥ ବିଜୟ । କିନ୍ତୁ ଆଡିଲେଡ୍‌ରେ ପିଙ୍କ୍ ବଲ୍ ଚାଲେଞ୍ଜ୍‌ର ମୁକାବିଲା କରି ନ ପାରି ପରାଜିତ ହେବା ଟିମ୍ ପାଇଁ ମହଙ୍ଗା ପଡ଼ିଛି । ଏବେ ଅବଶିଷ୍ଟ ତିନି ମ୍ୟାଚ୍ ଜିତିବା ଟିମ୍ ପାଇଁ ଜରୁରୀ ହୋଇଯାଇଛି ।

Will Team India fly the triranga again at the Gabbaବର୍ଡର-ଗାଭାସ୍କର ଟ୍ରଫି ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି

ଡବ୍ଲ୍ୟୁଟିସି ତାଲିକାରେ ଭାରତ ଏବେ ୧୬ ମ୍ୟାଚ୍‌ରୁ ୫୭.୨୯ ପ୍ରତିଶତ ସହ ତୃତୀୟ ସ୍ଥାନକୁ ଖସି ଆସିଛି । ଦକ୍ଷିଣ ଆଫ୍ରିକା (୬୩.୩୩ ପ୍ରତିଶତ) ପ୍ରଥମ ଓ ଅଷ୍ଟ୍ରେଲିଆ (୬୦.୭୧ ପ୍ରତିଶତ) ଦ୍ୱିତୀୟ ସ୍ଥାନରେ ରହିଛି ।

ଗାବା ମ୍ୟାଚ୍‌ରେ ପିଙ୍କ୍ ବଲ୍ ସମସ୍ୟା ନାହିଁ । ଦ୍ୱିତୀୟ ଟେଷ୍ଟ ବିଫଳତାରୁ ମୁକୁଳି ଟିମ୍ ଇଣ୍ଡିଆକୁ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିବାକୁ ହେବ । ଏହି ମ୍ୟାଚ୍ ଜିତିଲେ ଟିମ୍‌ର ମନୋବଳ ବଢ଼ିବ ।

ବିଶେଷକରି ବ୍ୟାଟର୍‌ମାନେ ବଡ଼ ସ୍କୋର୍ ଓ ବଡ଼ ଭାଗୀଦାରୀ ଛିଡ଼ା କରିବା ଆବଶ୍ୟକ । ଅଧିନାୟକ ରୋହିତ ଫର୍ମକୁ ଫେରିବା ନିହାତି ଜରୁରୀ । ଟିମ୍ ଯଶପ୍ରୀତ ବୁମ୍‌ରାଙ୍କ ନେତୃତ୍ୱାଧୀନ ବୋଲିଂ ବାହିନୀ ଠାରୁ ପର୍ଥ ଟେଷ୍ଟ ଭଳି କମାଲ୍ ଆଶା କରିବ । ଗୋଟିଏ କଥା ସ୍ପଷ୍ଟ ଯେ ଟିମ୍‌କୁ କେବଳ ଜିତିବା ଲକ୍ଷ୍ୟ ନେଇ ଖେଳିବାକୁ ହେବ ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Adelaide Oval Adelaide Test Indian Cricket Team Gabba Test
Advertisment
Advertisment