ନିକଟରେ ଇଂଲଣ୍ଡ ବିପକ୍ଷ ଦିନିକିଆ ଆନ୍ତର୍ଜାତିକ ସିରିଜ୍ର ଏକ ମ୍ୟାଚ୍ରେ ୫୨ ରନ୍ର ଇନିଂସ୍ ଖେଳି ଟିମ୍ ଇଣ୍ଡିଆର ସିନିଅର୍ ବ୍ୟାଟର୍ ବିରାଟ କୋହଲି ଫର୍ମକୁ ପ୍ରତ୍ୟାବର୍ତ୍ତନର ସଙ୍କେତ ଦେଇଥିଲେ । ଯଦିଓ ଏହି ପ୍ରଦର୍ଶନ ଟିମ୍କୁ ଆଶ୍ୱସ୍ତି ଦେଇଥିଲା, ହେଲେ ଟିମ୍ର ପରବର୍ତ୍ତୀ ଚାଲେଞ୍ଜ୍ ‘ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫’ରେ ଯେ ବିରାଟ ବଡ଼ ଇନିଂସ୍ ଖେଳିପାରିବେ, ସେଥିନେଇ ଟିମ୍ ମ୍ୟାନେଜ୍ମେଣ୍ଟ ସେତେ ସୁନିଶ୍ଚିତ ନ ଥିଲା ।
ଏହାର କାରଣ ଥିଲା ବିରାଟଙ୍କ ଫର୍ମ । ହାତଗଣତି ମ୍ୟାଚ୍କୁ ଛାଡ଼ିଦେଲେ, ଦୀର୍ଘ ଦିନ ଧରି ସେ କୌଣସି ଫର୍ମାଟ୍ରେ ଖାସ୍ ପ୍ରଦର୍ଶନ କରିପାରୁ ନ ଥିଲେ । ଏ ସମସ୍ୟା ଅଧିନାୟକ ରୋହିତ ଶର୍ମାଙ୍କର ବି ରହିଛି । ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍ ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ଚାମ୍ପିଅନ୍ସ ଟ୍ରଫି ଉଭୟ ବିରାଟ ଓ ରୋହିତଙ୍କ ପାଇଁ ଶେଷ ଆଇସିସି ଟୁର୍ଣ୍ଣାମେଣ୍ଟ ହୋଇପାରେ । କେବଳ ଫର୍ମ ନୁହେଁ, ବୟସ ମଧ୍ୟ ଥିଲା ଏହା ପଛର କାରଣ ।
Also Read
ତେବେ ଚାମ୍ପିଅନ୍ସ ଟ୍ରଫି ପାଇଁ ମଇଦାନକୁ ଓହ୍ଲାଇବା ପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ୩୬ବର୍ଷୀୟ ବିରାଟ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ବୟସ ଏକ ସମସ୍ୟା ନୁହେଁ । ଏହା ସହ ସେ ତାଙ୍କ ଫର୍ମର ଏକ ଦୃଷ୍ଟାନ୍ତକାରୀ ଝଲକ ବି ଦେଖାଇଛନ୍ତି ।
ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ବିରାଟ ୧୦୦ ରନ୍ର ଅପରାଜିତ ଇନିଂସ୍ ଖେଳି ଭାରତକୁ ଦମ୍ଦାର ଢଙ୍ଗରେ ଜିତାଇଛନ୍ତି । ଏହି ଉଜ୍ଜ୍ୱଳ ଇନିଂସ୍ରେ ତାଙ୍କର ପରିପକ୍ୱ ଆକ୍ରମଣାତ୍ମକତା ଦେଖିବାକୁ ମିଳିଥିଲା । କାହିଁକି ବିରାଟଙ୍କୁ ‘କିଙ୍ଗ୍ କୋହଲି’ କୁହାଯାଏ, ଏହି ମ୍ୟାଚ୍ ତା’ର ବଡ଼ ପ୍ରମାଣ ।
ପାକିସ୍ତାନ ବିପକ୍ଷରେ ‘ବିରାଟ’ ରାଜ୍
ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆ ଫେବ୍ରୁଆରୀ ୨୩ରେ ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ପାକିସ୍ତାନକୁ ଭେଟିଥିଲା । ଉଭୟ ଟିମ୍ ପାଇଁ ଏହା ଏକ ବଡ଼ ମ୍ୟାଚ୍ ଥିଲା ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକ୍ ଟିମ୍ ୨୪୨ ରନ୍ର ଟାର୍ଗେଟ୍ ଦେଇଥିଲା । ଜବାବରେ ଭାରତୀୟ ଟିମ୍ ୪୫ ବଲ୍ ବାକି ଥାଇ ୬ ୱିକେଟ୍ରେ ବିଜୟୀ ହୋଇଥିଲା । ଅଧିନାୟକ ରୋହିତ ସଅଳ ପାଭିଲିଅନ୍ ଫେରିବା ପରେ କ୍ରିଜ୍ରେ ତିଷ୍ଠି ରହି ଇନିଂସ୍କୁ ଆଗେଇ ନେବା ଜରୁରୀ ଥିଲା ।
ବିରାଟ ସେଇଆ କରିଥିଲେ । ସେ ପ୍ରଥମେ ଅନ୍ୟତମ ଓପନର୍ ଶୁବମନ ଗିଲ୍ (୪୬)ଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ୬୯ ଓ ଏହାପରେ ମଧ୍ୟକ୍ରମ ବ୍ୟାଟର୍ ଶ୍ରେୟସ ଆୟର (୫୬)ଙ୍କ ସହ ତୃତୀୟ ୱିକେଟ୍ ପାଇଁ ୧୧୪ ରନ୍ର ଭାଗୀଦାରୀ କରିଥିଲେ । ବିରାଟ-ଶ୍ରେୟସ ଯୋଡ଼ି ଭାଙ୍ଗିବା ବେଳକୁ ଟିମ୍ ବିଜୟ ଠାରୁ ମାତ୍ର ୨୮ ରନ୍ ଦୂରରେ ଥିଲା ।
ପରବର୍ତ୍ତୀ ବ୍ୟାଟର୍ ହାର୍ଦ୍ଦିକ ପାଣ୍ଡ୍ୟା (୮) ଦୁଇ ଅଙ୍କ ଛୁଇଁ ନ ପାରି ଆଉଟ୍ ହୋଇଥିଲେ । ବିରାଟ ଏହାପରେ ଅକ୍ଷର ପଟେଲ୍ଙ୍କ ସହ ମିଶି ଟିମ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । ସେ ଏକ ଚୌକା ମାରି ମ୍ୟାଚ୍ ଫିନିଶ୍ କରିବା ସହ ବ୍ୟକ୍ତିଗତ ଶତକ ବି ପୂରଣ କରିଥିଲେ ।
ଯେତେବେଳେ ବି ପ୍ରସଙ୍ଗ ବଡ଼ ହୋଇଥାଏ, ପାକିସ୍ତାନ ବିପକ୍ଷରେ ବିରାଟ ଛିଡ଼ା ହୋଇଥା’ନ୍ତି । ପାକ୍ ଟିମ୍ ବିପକ୍ଷରେ ୧୭ ଦିନିକିଆ ଖେଳି ଚାରି ଶତକ ଓ ଦୁଇ ଅର୍ଦ୍ଧଶତକ ହାସଲ କରିଥିବା ବିରାଟ ଦୁବାଇ ମ୍ୟାଚ୍ରେ ବି ସ୍ମରଣୀୟ ଇନିଂସ୍ ଖେଳିଥିଲେ ।
୨୦୧୨ରେ ମୀରପୁର ଠାରେ ଏସିଆ କପ୍ରେ ୧୮୩ ରନ୍ର ଇନିଂସ୍ ହେଉ ବା ବିଶ୍ୱକପ୍ ୨୦୧୫ରେ ଆଡିଲେଡ୍ ଠାରେ ପ୍ରଥମେ ବ୍ୟାଟିଂ କରି ୧୦୭ ରନ୍ର ସ୍କୋର୍ ଅଥବା ଚାମ୍ପିଅନ୍ସ ଟ୍ରଫି ୨୦୧୭ରେ ଅପରାଜିତ ୮୧ ରନ୍ର ମ୍ୟାଚ୍ ବିଜୟୀ ଇନିଂସ୍ - ଭାରତର ଏହି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ବିରାଟଙ୍କର ସବୁବେଳେ ଭଲ ରେକର୍ଡ ରହିଆସିଛି ।
ବିଶ୍ୱକପ୍ ୨୦୧୯ରେ ୭୭ ରନ୍ ସଂଗ୍ରହ ହେଉ ବା ଏସିଆ କପ୍ ୨୦୨୩ରେ ପ୍ରତିକୂଳ ପରିସ୍ଥିତିରେ ଅପରାଜିତ ୧୨୨ ରନ୍ କରି ପାକିସ୍ତାନକୁ ମାତ୍ ଦେବା - ବିରାଟ କେବେ ପଛଘୁଞ୍ଚା ଦେଇ ନାହାନ୍ତି । ଟି-୨୦ ବିଶ୍ୱକପ୍ ୨୦୨୨ରେ ପାକିସ୍ତାନ ବିପକ୍ଷରେ ତାଙ୍କର ଅପରାଜିତ ୮୨ ରନ୍ର ଇନିଂସ୍କୁ ବି କେହି ଭୁଲିପାରିବେ ନାହିଁ । ଏହି ଗୌରବ-ଗାଥାରେ ଫେବ୍ରୁଆରୀ ୨୩ରେ ଖେଳିଥିବା ଇନିଂସ୍ ବି ଯୋଡ଼ି ହୋଇଛି ।
ଦିନିକିଆ ଆନ୍ତର୍ଜାତିକରେ ଅତୁଳନୀୟ
ବିରାଟ ପାକିସ୍ତାନ ବିପକ୍ଷ ଏହି ମ୍ୟାଚ୍ ଜରିଆରେ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ରେ ୧୪,୦୦୦ ରନ୍ ପୂରଣ କରିଛନ୍ତି । ଏହି ମାଇଲ୍ଖୁଣ୍ଟ ଛୁଇଁବାରେ ସେ ବିଶ୍ୱର ତୃତୀୟ ଖେଳାଳି । ତେବେ ସେ ବିଶ୍ୱର କ୍ଷିପ୍ରତମ ବ୍ୟାଟର୍ ଭାବେ ଏହି ଗୌରବ ଅର୍ଜନ କରିଛନ୍ତି ।
ବିରାଟ ଦିନିକିଆ ଆନ୍ତର୍ଜାତିକରେ ୨୮୭ ଇନିଂସ୍ ଖେଳି ୧୪,୦୦୦ ରନ୍ ପୂରଣ କରିଥିବା ବେଳେ ପ୍ରଖ୍ୟାତ କ୍ରିକେଟର୍ ସଚିନ ତେନ୍ଦୁଲକର ୩୫୦ ଓ କୁମାର ସାଙ୍ଗାକାରା (ଶ୍ରୀଲଙ୍କା) ୩୭୮ ଇନିଂସ୍ରେ ଏହି ଉପଲବ୍ଧି ହାସଲ କରିଥିଲେ ।
୫୦-ଓଭର୍ ଫର୍ମାଟ୍ରେ ବିରାଟ ପ୍ରାୟ ୫୮ ଆଭରେଜ୍ ଓ ପ୍ରାୟ ୯୪ ଷ୍ଟ୍ରାଇକ୍ ରେଟ୍ରେ ରନ୍ ସଂଗ୍ରହ କରିଛନ୍ତି । ଏହାଛଡ଼ା ତାଙ୍କ ନାମରେ ୫୧ ଦିନିକିଆ ଶତକ ରହିଛି । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ସଚିନ ୪୯ ଶତକ ହାସଲ କରିଛନ୍ତି ।
ବିରାଟ ଦିନିକିଆ ଆନ୍ତର୍ଜାତିକରେ ୪୧ ଥର ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ଓ ୧୧ ଥର ‘ପ୍ଲେୟର୍ ଅଫ୍ ଦ ସିରିଜ୍’ ବିବେଚିତ ହୋଇଛନ୍ତି । ସଚିନ ଏ ଦିଗରେ ତାଙ୍କ ଠାରୁ ଆଗରେ ଅଛନ୍ତି । ସେ ୬୨ ଥର ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ଓ ୧୫ ଥର ‘ପ୍ଲେୟର୍ ଅଫ୍ ଦ ସିରିଜ୍’ ପୁରସ୍କାର ଜିତିଛନ୍ତି । ଅବଶ୍ୟ ବିରାଟଙ୍କ ଠାରୁ ମାଷ୍ଟର ବ୍ଲାଷ୍ଟର ଅଧିକ ୧୬୪ ମ୍ୟାଚ୍ ଖେଳିଛନ୍ତି ।
ଏହି ଫର୍ମାଟ୍ରେ ବିରାଟ ଏ ଯାବତ ୧୪,୦୮୫ ରନ୍ ସଂଗ୍ରହ କରିଛନ୍ତି । ସେ ଆଉ ୧୭୬ ରନ୍ କଲେ ସାଙ୍ଗାକାରାଙ୍କୁ ଅତିକ୍ରମ କରି ଦ୍ୱିତୀୟ ସଫଳ ବ୍ୟାଟର୍ ହୋଇପାରିବେ। ସଚିନ ୧୮,୪୨୬ ରନ୍ ସହ ଦିନିକିଆରେ ଶୀର୍ଷ ସ୍ଥାନରେ ରହିଛନ୍ତି ।
‘ଦେଶ ପକ୍ଷରୁ ଖେଳିବାକୁ ଭଲ ପାଆନ୍ତି ବିରାଟ’
ପାକିସ୍ତାନ ବିପକ୍ଷ ମ୍ୟାଚ୍ ପରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ କହିଥିଲେ, “ବିରାଟ ଦେଶ ପକ୍ଷରୁ ଖେଳିବାକୁ ଭଲ ପାଆନ୍ତି । ସେ ଆଜି ବି ସେଇଆ କରିଥିଲେ ଯାହା ଏତେ ବର୍ଷ ଧରି କରିଆସୁଛନ୍ତି । ବିରାଟ ଯେତେବେଳେ ବ୍ୟାଟିଂ କରନ୍ତି, ସେତେବେଳେ ଡ୍ରେସିଂ ରୁମ୍ର ବାତାବରଣ ବହୁତ ଶିଥିଳ ଥାଏ ।”
ଏ କଥା କେବଳ ଶବ୍ଦର ସମାହାର ନୁହେଁ । ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚ୍ର ଚାପ ସତ୍ତ୍ୱେ ଯେତେବେଳେ ବିରାଟ କ୍ରିଜ୍ରେ ଥିଲେ, ସେତେବେଳେ ଡ୍ରେସିଂରୁମ୍ରେ ବସିଥିବା ରୋହିତଙ୍କ ମୁହଁରେ ଆଶ୍ୱସ୍ତି ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଥିଲା ।
ଟିମ୍ ଇଣ୍ଡିଆ ପାଇଁ ବିରାଟଙ୍କ ଗୁରୁତ୍ୱ କେତେ, ତାହା ସମସ୍ତେ ଜାଣନ୍ତି । ଖୋଦ୍ ବିରାଟ ବି ଏହା ହୃହୟଙ୍ଗମ କରନ୍ତି । ତାଙ୍କ ଫିଟ୍ନେସ୍ ଦର୍ଶାଏ ଯେ ତାଙ୍କ ଭିତରେ ଆହୁରି କିଛି ବର୍ଷର କ୍ରିକେଟ୍ ବାକି ଅଛି ।
ତେବେ କେବଳ ଫିଟ୍ନେସ୍ ଯଥେଷ୍ଟ ନୁହେଁ, ଫର୍ମ ବି ଦରକାର । ପାକିସ୍ତାନ ବିପକ୍ଷରେ ଉଲ୍ଲେଖନୀୟ ଇନିଂସ୍ ପରେ ବିରାଟଙ୍କୁ ନିଜ ପ୍ରଦର୍ଶନରେ ନିରନ୍ତରତା ରଖିବାକୁ ହେବ । ନିରନ୍ତରତା ହିଁ ତାଙ୍କ କ୍ୟାରିଅର୍କୁ ଦୀର୍ଘସ୍ଥାୟୀ କରିପାରିବ ।