ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆ ବର୍ଡର-ଗାଭାସ୍କର ଟ୍ରଫି ହାରିବା ପରେ ଏବେ ସବୁ ଖେଳାଳିଙ୍କ ପାଇଁ ଘରୋଇ କ୍ରିକେଟ୍ ଖେଳିବା ବାଧ୍ୟତାମୂଳକ କରାଯାଇଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଏଭଳି କଡ଼ା ନିଷ୍ପତ୍ତି ନେଇଛି, ହେଲେ ଏହାର ଚୟନ କମିଟି ଘରୋଇ କ୍ରିକେଟ୍ରେ ଉତ୍ତମ ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ବିଶେଷ ଗୁରୁତ୍ୱ ଦେଉଥିବା ଭଳି ମନେ ହେଉ ନାହିଁ ।
ବିଦର୍ଭର ଦକ୍ଷ ବ୍ୟାଟର୍ କରୁଣ ନାୟର ଏହାର ଜ୍ୱଳନ୍ତ ଉଦାହରଣ । ନିକଟରେ ଶେଷ ହୋଇଥିବା ବିଜୟ ହଜାରେ ଟ୍ରଫିରେ କରୁଣ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ । କିନ୍ତୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଓ ଏହା ପୂର୍ବରୁ ଘରେ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଘୋଷିତ ୧୫ଜଣିଆ ଭାରତୀୟ ଟିମ୍ରେ ତାଙ୍କୁ ସାମିଲ୍ କରାଯାଇ ନାହିଁ ।
ଏହା ସହିତ ଦୀର୍ଘ ବର୍ଷ ପରେ ଆନ୍ତର୍ଜାତିକ ଟିମ୍କୁ ତାଙ୍କ ପ୍ରତ୍ୟାବର୍ତ୍ତନ ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି । କରୁଣଙ୍କ ପ୍ରତି ଏଭଳି ଅବିଚାର ନୂଆ କଥା ନୁହେଁ । ଏକଦା ଏକ ଟେଷ୍ଟ ଇନିଂସ୍ରେ ତ୍ରିଶତକ ହାସଲ କରିବା ପରେ ବି ତାଙ୍କୁ ପରବର୍ତ୍ତୀ ସମୟରେ ଟେଷ୍ଟ ଟିମ୍ରୁ କାଢ଼ି ଦିଆଯାଇଥିଲା ।
Also Read
କରୁଣଙ୍କୁ ଦିନିକିଆ ଟିମ୍ରେ ସାମିଲ୍ କରା ନ ଯିବା ଏବେ କ୍ରିକେଟ୍ ମହଲରେ ଆଲୋଚନାର ବିଷୟ ହୋଇଛି । କେତେକ ପୂର୍ବତନ କ୍ରିକେଟର୍ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ବିଜୟ ହଜାରେ ଟ୍ରଫିର ଟପ୍ ସ୍କୋରର୍
ଦିନିକିଆ ଫର୍ମାଟ୍ରେ ଖେଳାଯାଉଥିବା ବିଜୟ ହଜାରେ ଟ୍ରଫି ୨୦୨୪-୨୫ରେ ବିଦର୍ଭର ଅଧିନାୟକ କରୁଣ ୩୮୯.୫୦ ଆଭରେଜ୍ରେ ମୋଟ୍ ୭୭୯ ରନ୍ ସଂଗ୍ରହ କରିଥିଲେ । ସେ ଟୁର୍ଣ୍ଣାମେଣ୍ଟର ଟପ୍ ସ୍କୋରର୍ ଥିଲେ । ଏହାଛଡ଼ା ଘରୋଇ ୫୦ ଓଭର୍ ଟୁର୍ଣ୍ଣାମେଣ୍ଟ ଇତିହାସରେ ଜଣେ ଅଧିନାୟକ ଭାବେ ସେ ସର୍ବାଧିକ ସ୍କୋର୍ କରିଥିଲେ ।
ସେ ଆଠ ଇନିଂସ୍ ଖେଳି ପାଞ୍ଚ ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ମାତ୍ର ଥରେ ଆଉଟ୍ ହୋଇଥିଲେ । ତାଙ୍କ ସର୍ବୋଚ୍ଚ ସ୍କୋର୍ ଥିଲା ଅପରାଜିତ ୧୬୩ ରନ୍ । ପ୍ରଖ୍ୟାତ ବ୍ୟାଟର୍ ସଚିନ ତେନ୍ଦୁଲକର ବି ତାଙ୍କୁ ପ୍ରଶଂସା କରିବାକୁ ପଛାଇ ନ ଥିଲେ ।
ଆଶା କରାଯାଉଥିଲା ଯେ ଫେବ୍ରୁଆରୀ ୧୯ରୁ ପାକିସ୍ତାନ ଓ ଦୁବାଇରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ତାଙ୍କୁ ଟିମ୍ରେ ଅନ୍ତର୍ଭୁକ୍ତ କରାଯିବ । କିନ୍ତୁ ତାଙ୍କୁ ସ୍ଥାନ ମିଳିଲାନି ।
୩୩ବର୍ଷୀୟ କରୁଣ ୧୫ଜଣିଆ ଟିମ୍ରେ ସାମିଲ୍ ହେବା ସ୍ଥଳେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା କଷ୍ଟସାଧ୍ୟ ଥିଲା । ସମ୍ଭବତଃ ଏହି କାରଣରୁ ତାଙ୍କୁ ଟିମ୍ରେ ନିଆଯାଇ ନ ଥିଲା ।
କରୁଣଙ୍କୁ ନେବାରେ କେଉଁଠି ରହିଲା ଅସୁବିଧା
ଘରୋଇ କ୍ରିକେଟ୍ରେ କରୁଣ ପ୍ରାୟତଃ ତିନି ନମ୍ବର ସ୍ଥାନରେ ବ୍ୟାଟିଂ କରନ୍ତି । ବେଳେବେଳେ ପରିସ୍ଥିତିକୁ ଦେଖି ଚାରି କିମ୍ବା ପାଞ୍ଚ ନମ୍ବରରେ ବି ଆସନ୍ତି । ଭାରତୀୟ ଦିନିକିଆ ଟିମ୍ରେ ଏହି ସ୍ଥାନଗୁଡ଼ିକ ଯଥାକ୍ରମେ ବିରାଟ କୋହଲି, ଶ୍ରେୟସ ଆୟର ଏବଂ ଲୋକେଶ ରାହୁଲ କିମ୍ବା ରିଷଭ ପନ୍ତ ଅଧିକାର କରିସାରିଛନ୍ତି ।
ବିରାଟ ଏବେ ଆନ୍ତର୍ଜାତିକ କ୍ରିକେଟ୍ରେ ଖାସ୍ ପ୍ରଦର୍ଶନ କରିପାରୁ ନ ଥିଲେ ବି ଜଣେ ସିନିଅର୍ ବ୍ୟାଟର୍ ହୋଇଥିବା ଦୃଷ୍ଟିରୁ ଟିମ୍ରେ ତାଙ୍କର ଯଥେଷ୍ଟ ଗୁରୁତ୍ୱ ରହିଛି । ଅନ୍ତତଃ ଚାମ୍ପିଅନ୍ସ ଟ୍ରଫି ଶେଷ ହେବା ଯାଏଁ ତାଙ୍କ ତିନି ନମ୍ବର ସ୍ଥାନ ସୁରକ୍ଷିତ । ଦିନିକିଆ ଆନ୍ତର୍ଜାତିକରେ ଶ୍ରେୟସଙ୍କ ବ୍ୟାଟିଂ ଆଭରେଜ୍ ୪୭.୪୭ । ସେ ଚାରି ନମ୍ବରରେ ଖେଳିବା ନିଶ୍ଚିତ ।
ଚୂଡ଼ାନ୍ତ ଏକାଦଶରେ ପଞ୍ଚମ ସ୍ଥାନରେ ରାହୁଲ ଅଥବା ପନ୍ତଙ୍କ ମଧ୍ୟରୁ ଜଣେ ଖେଳିବେ । ରାହୁଲ ଜଣେ ପ୍ରମାଣିତ ବ୍ୟାଟର୍ ଏବଂ ସେ ୱିକେଟ୍କିପିଂ ମଧ୍ୟ କରିପାରିବେ । ପନ୍ତ ଜଣେ ବିସ୍ଫୋରକ ବାମହାତି ବ୍ୟାଟର୍ ଏବଂ ପ୍ରଥମ ପସନ୍ଦ ଷ୍ଟମ୍ପର୍-ବ୍ୟାଟର୍ ।
ଏହାପରେ ଟିମ୍ରେ ଅଲ୍ରାଉଣ୍ଡର୍ଙ୍କ ସ୍ଥାନ, ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍ ଓ ୱାଶିଂଟନ୍ ସୁନ୍ଦର । ଅବଶିଷ୍ଟ ସ୍ଥାନ ବିଶେଷଜ୍ଞ ବୋଲର୍ ପୂରଣ କରିବେ ।
ପ୍ରତ୍ୟାବର୍ତ୍ତନ ପାଇଁ କରୁଣଙ୍କୁ ଏବେ ଅପେକ୍ଷା କରିବାକୁ ପଡ଼ିବ । ଆଗକୁ କୌଣସି ଖେଳାଳି ଫର୍ମ ହରାଇବା କିମ୍ବା ଆହତ ହେବା ସ୍ଥଳେ ତାଙ୍କ ପାଇଁ ସମ୍ଭାବନା ରହିଛି । ଚୟନ କମିଟି ମୁଖ୍ୟ ଅଜିତ ଅଗରକର ମଧ୍ୟ ଏଭଳି ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରି ନାହାନ୍ତି ।
ଅଗରକର ବିଜୟ ହଜାରେ ଟ୍ରଫିରେ କରୁଣଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି । ତେବେ ବର୍ତ୍ତମାନ ପରିସ୍ଥିତିରେ କରୁଣଙ୍କୁ ଚାମ୍ପିଅନ୍ସ ଟ୍ରଫି ଟିମ୍ରେ ସାମିଲ୍ କରିବା ବାସ୍ତବରେ କଷ୍ଟକର ଥିଲା ବୋଲି ସେ ସଫେଇ ଦେଇଛନ୍ତି ।
ଚୟନ କମିଟି ମୁଖ୍ୟଙ୍କ କହିବାନୁଯାୟୀ ଦୁର୍ଭାଗ୍ୟଜନକ ଭାବେ ୧୫ଜଣିଆ ଟିମ୍ରେ ସମସ୍ତଙ୍କୁ ନିଆଯାଇପାରିବ ନାହିଁ ।
ମୃତ୍ୟୁକୁ ହରାଇଥିବା ଯୋଦ୍ଧା
କରୁଣ ଜୀବନରେ ଦୁଇ ଥର ମୃତ୍ୟୁକୁ ହରାଇଛନ୍ତି । ପ୍ରଥମ ଥର ସେ ଜନ୍ମ ହେବା କ୍ଷଣି ମୃତ୍ୟୁକୁ ମାତ୍ ଦେଇଥିଲେ । ସେ ଆଠ ମାସର ଗର୍ଭାବସ୍ଥାରେ ଜନ୍ମଗ୍ରହଣ କରିଥିଲେ । ସମୟ ପୂର୍ବରୁ ଜନ୍ମ ହୋଇଥିବା ଏହି ଶିଶୁ ଯେ ଦିନେ ସୁସ୍ଥସବଳ ହୋଇ ଦକ୍ଷ କ୍ରିକେଟର୍ ହେବ, ଏ କଥା କେହି ଭାବି ନ ଥିଲେ ।
ଏହାପରେ ୨୦୧୬ରେ କରୁଣ ଦ୍ୱିତୀୟ ଥର ମୃତ୍ୟୁକୁ ଚକମା ଦେଇଥିଲେ । ସେହି ବର୍ଷ କେରଳରେ ସଂଘଟିତ ଏକ ଡଙ୍ଗାବୁଡ଼ିରୁ ସେ ଅଳ୍ପରେ ବର୍ତ୍ତିଯାଇଥିଲେ ।
କରୁଣ ଖୋଦ୍ ଏ ସମ୍ପର୍କରେ କହିଛନ୍ତି ଯେ ସେ ପାମା ନଦୀରେ ଏକ ଧାର୍ମିକ ସମାରୋହ ସମୟରେ ଡଙ୍ଗାରେ ବସିଥିଲେ । ସେତେବେଳେ ତାଙ୍କ ଡଙ୍ଗା ବୁଡ଼ିଯାଇଥିଲା । କିଛି ଲୋକ ତାଙ୍କୁ ଉଦ୍ଧାର କରିଥିଲେ ।
ଟେଷ୍ଟ କ୍ରିକେଟ୍ରେ ତ୍ରିଶତକୀୟ କୀର୍ତ୍ତି
୨୦୧୬ରେ ଇଂଲଣ୍ଡ ବିପକ୍ଷ ଚେନ୍ନାଇ ଟେଷ୍ଟରେ କରୁଣ ଭାରତ ପକ୍ଷରୁ ଗୋଟିଏ ଇନିଂସ୍ରେ ୩୮୧ ବଲ୍ରେ ୩୦୩ ରନ୍ କରି ଅପରାଜିତ ଥିଲେ । ଟେଷ୍ଟ ମ୍ୟାଚ୍ରେ ତ୍ରିଶତକ ଲଗାଇବାରେ ସେ ବୀରେନ୍ଦ୍ର ସେହ୍ୱାଗଙ୍କ ପରେ ଦ୍ୱିତୀୟ ଭାରତୀୟ ବ୍ୟାଟର୍ । ନିଜ କ୍ୟାରିଅର୍ର ତୃତୀୟ ଟେଷ୍ଟରେ ହିଁ ସେ ଏତେ ବଡ଼ ସ୍କୋର ଛିଡ଼ା କରିପାରିଥିଲେ । କିନ୍ତୁ ଏହି ସଫଳତା ସତ୍ତ୍ୱେ ତାଙ୍କୁ ଅଣଦେଖା କରାଯାଇଥିଲା ।
କରୁଣ ଏ ଯାବତ ଛଅ ଟେଷ୍ଟ ଖେଳି ୩୭୪ ରନ୍ ସଂଗ୍ରହ କରିଥିବା ବେଳେ ଦୁଇ ଦିନିକିଆ ଆନ୍ତର୍ଜାତିକ ଖେଳି ୪୬ ରନ୍ କରିଛନ୍ତି । ସେ ଶେଷ ଥର ୨୦୧୭ ମାର୍ଚ୍ଚରେ ଧର୍ମଶାଳା ଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ସେହିପରି ୨୦୧୬ ଜୁନ୍ ପର ଠାରୁ ସେ ଦିନିକିଆ ଆନ୍ତର୍ଜାତିକ ଟିମ୍ରେ ସୁଯୋଗ ପାଇ ନାହାନ୍ତି ।
ଏବେ ଫର୍ମରେ ଥିବା କରୁଣ ନିଜ ପ୍ରଦର୍ଶନର ଦୀପଶିଖାକୁ କେତେ ପ୍ରଜ୍ଜ୍ୱଳିତ କରି ରଖୁଛନ୍ତି, ତା’ ଉପରେ ତାଙ୍କ ଭବିଷ୍ୟତର କ୍ରିକେଟ୍ ଯାତ୍ରା ନିର୍ଭର କରିବ । ତାଙ୍କୁ ଧୈର୍ଯ୍ୟର ସହ ସୁଯୋଗକୁ ଅପେକ୍ଷା କରିବାକୁ ହେବ ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)