/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752821580.jpg)
ଲର୍ଡସ୍ ଟେଷ୍ଟ୍
ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ‘ଜୁଲାଇ ମାସ ୧୪ ତାରିଖ’ ଇଂଲଣ୍ଡ କ୍ରିକେଟ୍ ଇତିହାସ ପାଇଁ ପୁଣି ଥରେ ସ୍ମରଣୀୟ ଦିବସ ପାଲଟିଛି । ଛଅ ବର୍ଷ ପୂର୍ବେ ଏହି ଗ୍ରାଉଣ୍ଡରେ, ଏହି ତାରିଖରେ କ୍ରିକେଟ୍ର ଜନ୍ମଦାତା ପ୍ରଥମ ଥର ଦିନିକିଆ ବିଶ୍ୱକପ୍ ଜିତିଥିଲା । ଏବେ ଏଠାରେ ସମାନ ତାରିଖରେ ଇଂଲଣ୍ଡ ଟିମ୍ ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ବିଜୟ ହାସଲ କରିଛି ।
ଦୁଇଟିଯାକ ବିଜୟ - ସେ ଦିନର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ଆଉ ଏବେ ଭାରତ ବିପକ୍ଷ ମ୍ୟାଚ୍ ସମାନ ଗୁରୁତ୍ୱ ବହନ କରୁ ନ ଥିଲେ ବି ନିଶ୍ଚିତରୂପେ ଉଲ୍ଲେଖନୀୟ । ଯେତେବେଳେ ଲର୍ଡ୍ସରେ କୌଣସି ମ୍ୟାଚ୍ ଖେଳାଯାଏ, ତା’ର ଗୁରୁତ୍ୱ ସ୍ୱତଃ ବଢ଼ିଯାଏ । ସେ ଦିନ ନ୍ୟୁଜିଲାଣ୍ଡ ବାଉଣ୍ଡାରୀ କାଉଣ୍ଟରେ ପଛରେ ରହି ବିଶ୍ୱମୁକୁଟ ହାତଛଡ଼ା କରିଥିଲା, ଏବେ ଭାରତ ମାତ୍ର ୨୨ ରନ୍ରେ ପରାଜିତ ହୋଇ ସିରିଜ୍ରେ ୧-୨ରେ ପଛରେ ରହିଯାଇଛି ।
ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ସିରିଜ୍ର ତୃତୀୟ ଟେଷ୍ଟ ଶେଷ ଯାଏଁ ରୋମାଞ୍ଚ ବଜାୟ ରଖିଥିଲା । ଗୋଟିଏପଟେ ବେନ୍ ଷ୍ଟୋକ୍ସଙ୍କ ନେତୃତ୍ୱରେ ପୂରା ଟିମ୍ ବିଜୟ ପାଇଁ ପ୍ରୟାସରତ ଥିବା ବେଳେ ଅନ୍ୟପଟେ ରବୀନ୍ଦ୍ର ଜାଡ଼େଜା ନିମ୍ନକ୍ରମ ବ୍ୟାଟର୍ଙ୍କ ସହ ମିଶି ଲକ୍ଷ୍ୟସ୍ଥଳ ଆଡ଼କୁ ଧୀରେ ଧୀରେ ଅଗ୍ରସର ହେଉଥିଲେ । କିନ୍ତୁ ୧୯୩ ରନ୍ ଟାର୍ଗେଟ୍କୁ ପିଛା କରୁଥିବା ଟିମ୍ ଇଣ୍ଡିଆ ୧୭୦ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା ।
ଅଧିକାଂଶ ବ୍ୟାଟର୍ଙ୍କ ବିଫଳତା ଟିମ୍ର ପରାଜୟର ସବୁଠାରୁ ବଡ଼ କାରଣ ଥିଲା । ଏହାଛଡ଼ା ବ୍ୟାଟର୍ଙ୍କ ପାଇଁ ପିଚ୍ ଚାଲେଞ୍ଜିଂ ହେବା ଓ ପ୍ରତିପକ୍ଷ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ପ୍ରଭାବଶାଳୀ ନେତୃତ୍ୱ ଯୋଗୁଁ ମଧ୍ୟ ଶୁବମନ ଗିଲ୍ଙ୍କ ଟିମ୍ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରି ନ ଥିଲା ।
ପ୍ରଥମ କାରଣ - ଅଧିକାଂଶ ବ୍ୟାଟର୍ଙ୍କ ବିଫଳତା
ଲିଡ୍ସ ଓ ବର୍ମିଂହାମ୍ ଟେଷ୍ଟରେ ଭାରତୀୟ ବ୍ୟାଟର୍ମାନେ ଦମ୍ଦାର ପ୍ରଦର୍ଶନ କରିଥିଲେ, କିନ୍ତୁ ଲର୍ଡ୍ସ ଟେଷ୍ଟରେ ଟିମ୍ର ବ୍ୟାଟିଂ ପ୍ରଦର୍ଶନ ଆଶାଜନକ ନ ଥିଲା । ବୋଲର୍ଙ୍କ ଭଲ ପ୍ରଦର୍ଶନ ସତ୍ତ୍ୱେ ବ୍ୟାଟର୍ମାନେ ବିଶେଷକରି ଦ୍ୱିତୀୟ ଇନିଂସ୍ରେ ଚାପଗ୍ରସ୍ତ ହୋଇଯାଇଥିଲେ । ପ୍ରଥମ ଦୁଇ ଟେଷ୍ଟରେ ଅଧିନାୟକ ଶୁବମନ ଗିଲ୍ ଗୋଟିଏ ଦ୍ୱିଶତକ ଛଡ଼ା ଦୁଇ ଶତକ ଏବଂ ଯଶସ୍ୱୀ ଜୟସ୍ୱାଲ ଗୋଟିଏ ଶତକ ହାସଲ କରିଥିଲେ । କିନ୍ତୁ ତୃତୀୟ ଟେଷ୍ଟରେ ଉଭୟ ମିଶିକି ୩୫ ରନ୍ ହିଁ କରିପାରିଥିଲେ । ପ୍ରଥମ ଦୁଇ ମ୍ୟାଚ୍ରେ ଗୋଟିଏ ବି ଅର୍ଦ୍ଧଶତକ ଲଗାଇ ପାରି ନ ଥିବା କରୁଣ ନାୟର ପୁଣି ଥରେ ନିରାଶ କରିଥିଲେ । ସେ ୪୦ ଓ ୧୪ ରନ୍ର ଇନିଂସ୍ ଖେଳିଥିଲେ ।
ଯଶସ୍ୱୀ, ଶୁବମନ ଓ କରୁଣଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଲୋକେଶ ରାହୁଲ, ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଉପରେ ନିର୍ଭରଶୀଳତା ବଢ଼ାଇଥିଲା । ରାହୁଲ ୧୦୦ ଓ ୩୯ ରନ୍ର ଇନିଂସ୍ ଖେଳିଥିବା ବେଳେ ପନ୍ତ ପ୍ରଥମ ଇନିଂସ୍ରେ ୭୪ ଓ ଦ୍ୱିତୀୟ ଇନିଂସ୍ରେ ୯ ରନ୍ କରିଥିଲେ । ଆଘାତଜନିତ ସମସ୍ୟା ଯୋଗୁଁ ସେ ଦ୍ୱିତୀୟ ଇନିଂସ୍ରେ ବ୍ୟାଟିଂ ବେଳେ ଟିକେ ଅଶ୍ୱସ୍ତି ଅନୁଭବ କରୁଥିବା ଦେଖିବାକୁ ମିଳିଥିଲା । ଜାଡ଼େଜା ୭୨ ଓ ଅପରାଜିତ ୬୧ ରନ୍ର ଇନିଂସ୍ ଖେଳିଥିଲେ । କିନ୍ତୁ ଏହି ତିନିଜଣଙ୍କୁ ଅନ୍ୟ ବ୍ୟାଟର୍ଙ୍କ ସହଯୋଗ ମିଳି ନ ଥିଲା । ଏଥିପାଇଁ ଟିମ୍ ପ୍ରଥମ ଇନିଂସ୍ରେ ମଜଭୁତ ସ୍ଥିତିରେ ଥିବା ସତ୍ତ୍ୱେ ଅଗ୍ରଣୀ ହାସଲ କରିପାରି ନ ଥିଲା ।
ଟିମ୍ର ନିମ୍ନକ୍ରମ ବ୍ୟାଟର୍ ଉଭୟ ଇନିଂସ୍ରେ ଧରାଶାୟୀ ହୋଇଥିଲେ । ପ୍ରଥମ ଇନିଂସ୍ରେ ଇଂଲଣ୍ଡ ୩୮୭ ରନ୍ରେ ସୀମିତ ରହିଥିଲା । ଭାରତର ସ୍କୋର୍ ଗୋଟିଏ ସମୟରେ ୩୭୬/୬ ଥିଲା, ଏହାପରେ ଟିମ୍ ୧୧ ରନ୍ ମଧ୍ୟରେ ଶେଷ ୪ ୱିକେଟ୍ ହରାଇଥିଲା ।
ଦ୍ୱିତୀୟ ଇନିଂସ୍ରେ ଜାଡ଼େଜା ଓ ରାହୁଲଙ୍କୁ ଛାଡ଼ିଦେଲେ, ଅନ୍ୟ କେହି ୧୫ ରନ୍ ବି କରିପାରି ନ ଥିଲେ । ଏହା ଫଳରେ ହାତରେ ଓଭର୍ ଥିବା ସତ୍ତ୍ୱେ ଟିମ୍ ୨୨ ରନ୍ରେ ମ୍ୟାଚ୍ ହାରିଯାଇଥିଲା ।
ଦ୍ୱିତୀୟ କାରଣ - ବ୍ୟାଟର୍ଙ୍କ ପାଇଁ ଚାଲେଞ୍ଜିଂ ପିଚ୍
ଲର୍ଡ୍ସ ଟେଷ୍ଟରେ ବ୍ୟାଟର୍ଙ୍କ ପାଇଁ ପିଚ୍ ଦିନକୁ ଦିନ ଚାଲେଞ୍ଜିଂ ହୋଇଥିଲା । ପ୍ରଥମ ଦିନ ୨୫୧ ରନ୍ ହୋଇଥିଲା ଏବଂ ୪ ୱିକେଟ୍ ପଡ଼ିଥିଲା । ଅର୍ଥାତ୍ ହାରାହାରି ୬୩ ରନ୍ରେ ଗୋଟିଏ ୱିକେଟ୍ ପଡ଼ିଥିଲା । ଦ୍ୱିତୀୟ ଦିନ ଏହା ୩୧କୁ ଖସିଆସିଥିଲା । ଏହା ତୃତୀୟ ଦିନ ୩୫, ଚତୁର୍ଥ ଦିନ ୧୮ ଓ ପଞ୍ଚମ ତଥା ଶେଷ ଦିନ ୧୪ରେ ପହଞ୍ଚିଥିଲା । ଚତୁର୍ଥ ଦିନ ଇଂଲଣ୍ଡର ୧୦ ଓ ଭାରତର ୪ ୱିକେଟ୍ ପଡ଼ିଥିଲା । ପଞ୍ଚମ ଦିନର ପ୍ରଥମ ସେସନ୍ରେ ଭାରତ ୫୪ ରନ୍ରେ ୪ ୱିକେଟ୍ ହରାଇଥିଲା । ପିଚ୍ରୁ ମିଳୁଥିବା ବାଉନ୍ସ ଓ ସ୍ୱିଙ୍ଗ୍ ଯୋଗୁଁ ବ୍ୟାଟିଂ କରିବାରେ ଅସୁବିଧା ହୋଇଥିଲା । ପ୍ରତିଦିନ ଏହି ସମସ୍ୟା ବଢ଼ିଥିଲା । ଇଂଲଣ୍ଡକୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ଫାଇଦା ମିଳିଥିଲା ।
ତୃତୀୟ କାରଣ - ଷ୍ଟୋକ୍ସଙ୍କ ପ୍ରଭାବଶାଳୀ ନେତୃତ୍ୱ ଓ ଆର୍ଚରଙ୍କ ପ୍ରତ୍ୟାବର୍ତ୍ତନ
ଲର୍ଡ୍ସ ଟେଷ୍ଟରେ ଇଂଲଣ୍ଡର ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ପ୍ରଭାବଶାଳୀ ନେତୃତ୍ୱ ଦେଖିବାକୁ ମିଳିଥିଲା । ସେ ପ୍ରଥମ ଇନିଂସ୍ରେ ୪୪ ଓ ଦ୍ୱିତୀୟ ଇନିଂସ୍ରେ ୩୩ ରନ୍ କରିଥିଲେ । ବୋଲିଂରେ ସେ ମୋଟ୍ ୫ ୱିକେଟ୍ ନେଇଥିଲେ । ଏହାଛଡ଼ା ସେ ଏକ ଗୁରୁତ୍ୱପୂର୍ଣ୍ଣ ରନ୍ଆଉଟ୍ କରିଥିଲେ, ଯାହା ମ୍ୟାଚ୍ର ଦିଗ ବଦଳାଇ ଦେଇଥିଲା । କ୍ଲାନ୍ତ ନ ହୋଇ ସେ ୯.୨ ଓ ୧୦ ଓଭର୍ର ଦୁଇ ଲମ୍ବା ସ୍ପେଲ୍ ପକାଇଥିଲେ ।
ଷ୍ଟୋକ୍ସ ବୋଲର୍ମାନଙ୍କର ସଦୁପଯୋଗ କରିବା ସହ ଖେଳାଳିମାନଙ୍କ ମଧ୍ୟରେ ଉତ୍ସାହ ବଳବତ୍ତର ରଖିଥିଲେ । ଚାରି ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ଟେଷ୍ଟ ଟିମ୍କୁ ଫେରିଥିବା ଜୋଫ୍ରା ଆର୍ଚର ଅଧିନାୟକ ଷ୍ଟୋକ୍ସଙ୍କ ପାଇଁ ବଡ଼ ଅସ୍ତ୍ର ହୋଇଥିଲେ । ଆର୍ଚର ପ୍ରଥମ ଇନିଂସ୍ରେ ୨୩.୨ ଓଭର୍ରେ ୬ ମେଡେନ୍ ପକାଇଥିଲେ ଏବଂ ମାତ୍ର ୨.୨୨ ଇକୋନମୀ ରେଟ୍ରେ ୫୨ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ନିଜ ପ୍ରଥମ ଓଭର୍ରେ ସେ ଯଶସ୍ୱୀ ଜୟସ୍ୱାଲଙ୍କୁ ପାଭିଲିଅନ୍ ପଠାଇଥିଲେ ।
ଏହି ପେସର୍ ଦ୍ୱିତୀୟ ଇନିଂସ୍ରେ ଭଲ ଲୟ ହାସଲ କରିଥିଲେ । ସେ ୧୬ ଓଭର୍ ବୋଲିଂ କରି ୫୫ ରନ୍ ଦେଇ ୩ ୱିକେଟ୍ ନେଇଥିଲେ, ଯେଉଁଥିରେ ଯଶସ୍ୱୀ ଜୟସ୍ୱାଲ, ରିଷଭ ପନ୍ତ ଓ ୱାଶିଂଟନ ସୁନ୍ଦରଙ୍କ ୱିକେଟ୍ ଥିଲା । ଲର୍ଡ୍ସ ଟେଷ୍ଟ ଜିତି ଇଂଲଣ୍ଡ ସିରିଜ୍କୁ ପ୍ରତ୍ୟାବର୍ତ୍ତନ କରିଛି, ହେଲେ ଭାରତ ପାଇଁ ଏବେ ସିରିଜ୍ ବଞ୍ଚାଇବା ଚାଲେଞ୍ଜ୍ ହୋଇଯାଇଛି । ସିରିଜ୍ ବଞ୍ଚାଇବାକୁ ହେଲେ ଅବଶିଷ୍ଟ ଦୁଇ ମ୍ୟାଚ୍ ମଧ୍ୟରୁ ଗୋଟିଏ ବିଜୟ ଓ ଗୋଟିଏ ଡ୍ର’ ନିହାତି ଜରୁରୀ । ଆଉ ଗୋଟିଏ ମ୍ୟାଚ୍ ହାରିଲେ, ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫି ହାତଛଡ଼ା ହେବ । ଏପରି ସ୍ଥଳେ ଶୁବମନଙ୍କ ଟିମ୍କୁ ଲର୍ଡ୍ସ ବିଫଳତାରୁ ଶିକ୍ଷାଲାଭ କରି ଆଗକୁ ବଢ଼ିବାକୁ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)