Advertisment

ଆଜି IPL ନିଲାମ: କିଏ ଭାଙ୍ଗିବେ କ୍ରିସ୍ ମୋରିସ୍‌ଙ୍କ ରେକର୍ଡ ?

ଏଥର ଆଇପିଏଲ୍‌ ଅକ୍ସନରେ କେଉଁ ଟିମ୍‌ ଦେଖାଇବ ଦମ୍?

ଅଦ୍ୟତନ ହୋଇଛି
IPL 2023 Auction

who will break chris morris record in ipl 2023 auction

Advertisment

ସାମ୍ କୁରାନ୍ । ବେନ୍ ଷ୍ଟୋକ୍ସ । କାମେରୁନ୍ ଗ୍ରୀନ୍ । ଏମାନଙ୍କ ମଧ୍ୟରୁ କିଏ ଭାଙ୍ଗିବେ କ୍ରିସ୍ ମୋରିସ୍‌ଙ୍କ ରେକର୍ଡ। ଇଣ୍ଡିଆନ୍ ପ୍ରିମିୟର ଲିଗ୍‌-ଆଇପିଏଲ୍‌ ୨୦୨୩ର ନିଲାମୀରେ କେଉଁ ଦଳ, କେତେ ଟଙ୍କାରେ କିଣିବ ଏହି ତିନି ଅଲ୍‌ରାଉଣ୍ଡରଙ୍କୁ। ଶୁକ୍ରବାର ଅପରାହ୍ନରେ କେରଳର କୋଚିରେ ହେବାକୁ ଥିବା ଆଇପିଏଲ୍ ନିଲାମୀରେ ସବୁ ଫ୍ରାଞ୍ଚାଇଜିଙ୍କ ଲିଷ୍ଟର ଟପ୍‌ରେ ଅଛନ୍ତି ଇଂଲଣ୍ଡର ଷ୍ଟୋକ୍ସ ଓ କୁରାନ୍ ଏବଂ ଅଷ୍ଟ୍ରେଲିଆର ଗ୍ରୀନ୍। ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଟାଇଟ୍‌ ବୋଲିଂ ଯୋଗୁଁ ଅନ୍ତର୍ଜାତୀୟ କ୍ରିକେଟରେ ବେଶ୍ ନାଁ ରହିଛି ଏ ତିନି ଜଣଙ୍କର। ୨୦୨୧ର ମିନି ଅକ୍‌ସନରେ ସାଉଥ୍ ଆଫ୍ରିକାନ୍ ଅଲ୍‌ରାଉଣ୍ଡର କ୍ରିସ୍ ମୋରିସଙ୍କୁ ରେକର୍ଡ ୧୬ କୋଟି ୨୫ ଲକ୍ଷ ଟଙ୍କା ଦେଇ ନିଜ ଟିମ୍‌ରେ ସାମିଲ କରିଥିଲା ରାଜସ୍ଥାନ ରୟଲ୍ସ।

Advertisment

ତେବେ ୨୦୨୩ର ନିଲାମୀରେ ତାଙ୍କୁ ଟପି ଯାଇପାରନ୍ତି ୨୪ ବର୍ଷୀୟ ସାମ୍ କୁରାନ୍। ଚଳିତ ବର୍ଷ ଇଂଲଣ୍ଡର ଟିଟ୍ୱେଣ୍ଟି ବିଶ୍ୱକପ୍ ବିଜୟରେ ପ୍ରମୁଖ ଭୂମିକା ନେଇଥିଲେ ଏହି ବାମହାତୀ ଫାଷ୍ଟ ବୋଲର। ୬.୫୨ ଇକୋନମି ରେଟ୍‌ରେ ୧୩ ୱିକେଟ ନେଇ ସେ ମ୍ୟାନ୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ ବି ହୋଇଥିଲେ। କେବଳ ବଲ୍ ନୁହେଁ ବ୍ୟାଟରେ ମଧ୍ୟ କମାଲ ଦେଖାଇସାରିଛନ୍ତି ସାମ୍ କୁରାନ୍। ସେ ଯେକୌଣସି ଅର୍ଡରରେ ସେ ବ୍ୟାଟିଂ କରିବାକୁ ଫିଟ୍ । ଚେନ୍ନାଇ ସୁପରକିଙ୍ଗସ ପାଇଁ ୩ଟି ସିଜନ ଖେଳିସାରିଥିବା କୁରାନ୍ ଆହତ କାରଣରୁ ୨୦୨୨ରେ ଆଇପିଏଲ୍‌ରୁ ଓହରିଯାଇଥିଲେ । ଏଥର ତାଙ୍କ ବେସ୍ ପ୍ରାଇସ ରହିଛି ୨ କୋଟି। ତେବେ ଚେନ୍ନାଇ ଟିମ୍ ପୁଣି ଥରେ ତାଙ୍କୁ ନିଜ ଦଳକୁ ନେବାକୁ ଚେଷ୍ଟା କରିବ।

ଅଧିକ ପଢ଼ନ୍ତୁ: ୟେଲୋ ଜର୍ସିରେ ଆଉ ଫିଲ୍ଡକୁ ଓହ୍ଲାଇବେନି ମିଷ୍ଟର IPL

ସାମ୍ କୁରାନ୍‌ଙ୍କ ଟିମ୍ ମେଟ୍‌ ତଥା ଇଂଲଣ୍ଡର ଟେଷ୍ଟ କ୍ୟାପ୍‌ଟେନ୍ ବେନ୍ ଷ୍ଟୋକ୍ସଙ୍କୁ କିଣିବା ଲାଗି ଏଥର ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ଟଣା ଓଟରା ଲାଗିପାରେ। ଦୁର୍ଦ୍ଦଶା ଅଲ୍‌ରାଉଣ୍ଡର ଭାବେ ପରିଚିତ ଷ୍ଟୋକ୍‌ସ ପୂର୍ବରୁ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିଲେ। ଆଉ ଆଇପିଏଲ୍‌ରେ ବି ସେ ନିଜର ଦମ୍ ଦେଖାଇସାରିଛନ୍ତି। ୨୦୨୨ରେ ଆହତ କାରଣରୁ ଆଇପିଏଲ୍‌ରୁ ଓହରିଯାଇଥିବା ଷ୍ଟୋକ୍ସ ଏଥର ଅନ୍ୟତମ ଦାମୀ ଖେଳାଳି ପାଲଟିପାରନ୍ତି।

Advertisment

ସେହିଭଳି ଖୁବ୍ କମ ଦିନ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରେ ଛାପ ସାରିଥିବା ଯୁବ ଅଲ୍‌ରାଉଣ୍ଡର କାମେରୁନ୍ ଗ୍ରୀନ୍ ମଧ୍ୟ ଏଥରର ଆଇପିଏଲ୍ ନିଲାମୀର ହଟ୍‌ ପ୍ରପଟି ହୋଇପାରନ୍ତି । ଅଷ୍ଟ୍ରେଲିଆର ୨୩ ବର୍ଷୀୟ ଏହି ଖେଳାଳି ଧମାକାଦାର ଷ୍ଟାଇଲରେ ଆଇପିଏଲ୍‌ରେ ଏଣ୍ଟ୍ରି କରିପାରନ୍ତି । ଟପ୍ ଅର୍ଡରରେ ବ୍ୟାଟିଂ କରିବାରେ ସକ୍ଷମ ତଥା ୧୪୦ କିଲୋମିଟରରୁ ଅଧିକ ବେଗରେ ବୋଲିଂ କରିପାରୁଥିବା ୬ ଫୁଟ୍ ୬ ଇଞ୍ଚର କାମେରୁନ୍ ଗ୍ରୀନ୍ ଗତ ଭାରତ ଗସ୍ତରେ ନିଜର ପ୍ରତିଭା ଦେଖାଇସାରିଛନ୍ତି। ତେଣୁ ତାଙ୍କୁ ନିଜ ଟିମ୍‌ରେ ସାମିଲ କରିବାକୁ ବିଭିନ୍ନ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗିପାରେ।

ଅନ୍ୟ ବିଦେଶୀ ଖେଳାଳିଙ୍କ ମଧ୍ୟରେ ବାଂଲାଦେଶ ବ୍ୟାଟସ୍‌ମ୍ୟାନ ଲିଟ୍ଟନ ଦାସ, ଜିମ୍ବାୱେ ଅଲ୍‌ରାଉଣ୍ଡର ସିକନ୍ଦର ରାଜା, ଇଂଲଣ୍ଡର ସ୍ପିନର ଆଦିଲ ରସିଦ୍ ଓ ହାର୍ଡହିଟର ବ୍ୟାଟସମ୍ୟାନ ହ୍ୟାରୀ ବ୍ରୁକ୍ ମଧ୍ୟ ବିଭିନ୍ନ ଟିମ୍ ପାଇଁ ମୂଲ୍ୟବାନ ଖେଳାଳି ହୋଇପାରନ୍ତି।

Advertisment

ଆଇପିଏଲ୍‌ରେ ଚର୍ଚ୍ଚିତ ହୋଇସାରିଥିବା ଭାରତୀୟ ଓପନର୍‌ ମୟଙ୍କ ଅଗ୍ରୱାଲ, ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ କେନ୍ ୱିଲିୟମସନ୍, ୱେଷ୍ଟଇଣ୍ଡିଜ୍ ୱିକେଟକିପର ନିକୋଲାସ୍ ପୁରନ୍‌ ପୁଣି ଥରେ ଭାଗ୍ୟ ପରୀକ୍ଷା କରିବେ । ୱିଲିୟମସନ୍ ଓ ପୁରନଙ୍କୁ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗ୍‌ସ ପଞ୍ଜାବ ମୟଙ୍କଙ୍କୁ ରିଲିଜ୍ କରିଦେଇଥିଲା।

ନୂଆ ମୁହଁ ଭାବେ ଭାରତର ଘରୋଇ କ୍ରିକେଟରେ ପ୍ରଭାବିତ ତାମିଲନାଡୁ ଖେଳାଳି ଏନ୍‌ ଜଗଦୀଶନ, ପଞ୍ଜାବ ଅଲ୍‌ରାଉଣ୍ଡର ସନ୍‌ବୀର ସିଂ, ବିଦର୍ଭ ଫାଷ୍ଟ ବୋଲର ୟଶ୍ ଠାକୁର ମଧ୍ୟ ଏଥର ନିଲାମୀରେ ନିଜର କମାଲ ଦେଖାଇପାରନ୍ତି ।

ତେବେ ଏଥର ଆଇପିଏଲ୍‌ ନିଲାମୀରେ ସବୁଠାରୁ କମ୍‌ ବୟସ୍କ ଖେଳାଳି ଭାବେ ସାମିଲ ହୋଇଛନ୍ତି ଆଫଗାନିସ୍ତାନର ୧୫ ବର୍ଷୀୟ ମିଷ୍ଟ୍ରି ସ୍ପିନର ଆଲ୍ଲାହ ମହମ୍ମଦ ଘଜନାଫର। ମାତ୍ର ୩ଟି ଟ୍ୱେଣ୍ଟି ଖେଳିଥିଲେ ହେଁ ବିଭିନ୍ନ ଫ୍ରାଞ୍ଚାଇଚିର ମ୍ୟାନେଜମେଣ୍ଟକୁ ସେ ପ୍ରଭାବିତ କରିସାରିଛନ୍ତି। ଆଉ ସବୁଠାରୁ ବୟସ୍କ ଖେଳାଳି ଭାବେ ଏଥରର ନିଲାମରେ ଅଛନ୍ତି ଭେଟେରାନ୍ ଭାରତୀୟ ଲେଗ୍‌ ସ୍ପିନର ଅମିତ ମିଶ୍ର। ୪୦ ବର୍ଷରେ ପାଦ ଦେଇସାରିଥିବା ଅମିତ ୨୦୨୨ରେ ବିକ୍ରି ହୋଇପାରି ନ ଥିଲେ । କିନ୍ତୁ ଆଇପିଏଲ୍‌ରେ ୩ ଥର ହ୍ୟାଟ୍ରିକ ନେଇ ରେକର୍ଡ ବୁକ୍‌ରେ ସାମିଲ ହୋଇଥିବା ଅମିତ ଏଥର ପୁଣି ଥରେ ଏହି ପ୍ରିମିୟର ଲିଗ୍‌କୁ ଫେରିବେ ବୋଲି ଆଶା ରଖିଛନ୍ତି।

(ରିପୋର୍ଟ: ଦେବବ୍ରତ ପୋଢ଼)

IPL IPL 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ