Advertisment

Virat Kohli's Test Replacement: କିଏ ହେବେ ବିରାଟ କୋହଲିଙ୍କ ଟେଷ୍ଟ ଉତ୍ତରାଧିକାରୀ ?

ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇଛନ୍ତି ‘କିଙ୍ଗ୍‌’ କୋହଲି । ଏହାପରେ ଖାଲି ହୋଇଯାଇଛି ଟିମ୍‌ର ଚାରି ନମ୍ବର ସ୍ଥାନ । ଆଗାମୀ ଇଂଲଣ୍ଡ ଗସ୍ତରେ ଏହି ସ୍ଥାନରେ ବିରାଟଙ୍କ ବିକଳ୍ପ ଖେଳାଳିଙ୍କ ହେବ ଏଣ୍ଟ୍ରୀ । ଏବେ ପ୍ରଶ୍ନ ଉଠୁଛି, କିଏ ହେବେ ବିରାଟଙ୍କ ବିକଳ୍ପ - ଶ୍ରେୟସ ଆୟର, କରୁଣ ନାୟର, ସରଫରାଜ୍ ଖାନ୍ ନା ଆଉ କେହି?

author-image
Biswajit Mohanty
ଅଦ୍ୟତନ ହୋଇଛି
‍ବିରାଟ

‍ବିରାଟ

ଭାରତୀୟ କ୍ରିକେଟ୍‌ରେ ‘କିଙ୍ଗ୍‌’ ନାମରେ ଖ୍ୟାତ ବିରାଟ କୋହଲି ମେ’ ୧୨ରେ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ । ଏହାର ଦୁଇ ଦିନ ପୂର୍ବରୁ ହିଁ ସେ ଚୂଡ଼ାନ୍ତ ନିଷ୍ପତ୍ତି ନେଇସାରିଥିଲେ ଏବଂ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡକୁ ଏ ବିଷୟରେ ଜଣାଇ ଦେଇଥିଲେ । 

Advertisment

ଏହାପରେ ବୋର୍ଡ ତାଙ୍କୁ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ କହିଥିଲା, ହେଲେ ସେ ପାରମ୍ପରିକ କ୍ରିକେଟ୍‌ରେ ନିଜ କ୍ୟାରିଅର୍‌କୁ ଆଉ ଆଗକୁ ନେବା ପାଇଁ ଚାହିଁ ନ ଥିଲେ । ଏହାର କିଛି ଦିନ ପୂର୍ବରୁ ରୋହିତ ଶର୍ମା ମଧ୍ୟ ଟେଷ୍ଟ କ୍ରିକେଟ୍ ଛାଡ଼ିଥିଲେ । 

ଟେଷ୍ଟରୁ ବିରାଟଙ୍କ ଅବସର ଘୋଷଣା ଥିଲା ଅପ୍ରତ୍ୟାଶିତ

ଏ କଥା ଠିକ୍ ଯେ ରୋହିତ ଓ ବିରାଟ ଉଭୟ ନିଜ ନିଜ କ୍ୟାରିଅର୍‌ର ଅନ୍ତିମ ସୋପାନରେ ପହଞ୍ଚିଲେଣି । ଉଭୟଙ୍କ ଆନ୍ତର୍ଜାତିକ କ୍ୟାରିଅର୍ ଏବେ କେବଳ ଦିନିକିଆ ମଧ୍ୟରେ ସୀମିତ ହୋଇଯାଇଛି । ତେବେ ସପ୍ତାହକ ମଧ୍ୟରେ ଦୁଇ ପୁରୁଖା ବ୍ୟାଟର୍ ଟେଷ୍ଟ କ୍ରିକେଟ୍ ଛାଡ଼ିବା ନିଶ୍ଚିତରୂପେ ବଡ଼ କଥା । ଅବଶ୍ୟ ଉଭୟଙ୍କର ଏଭଳି ଚରମ ନିଷ୍ପତ୍ତି ପଛର ସବୁଠାରୁ ବଡ଼ କାରଣ ଥିଲା ସେମାନଙ୍କ ଫର୍ମ । ବିଶେଷକରି ଟେଷ୍ଟ କ୍ରିକେଟ୍‌ରେ ଉଭୟ ଅନେକ ଦିନ ହେଲା ଫର୍ମରେ ନାହାନ୍ତି । 

Advertisment

ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ରେ ଭାରତ ନିଜ ଶେଷ ଦୁଇ ସିରିଜ୍‌ରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ଭାବେ ପରାଜିତ ହୋଇଥିଲା । ଏହା ଫଳରେ ଟିମ୍ ଏହି ଚାମ୍ପିଅନ୍‌ସିପ୍ ଇତିହାସରେ ପ୍ରଥମ ଥର ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଥିଲା । ଉଭୟ ସିରିଜ୍‌ରେ ରୋହିତ ଓ ବିରାଟ ବିଫଳ ହୋଇଥିଲେ, ଯାହାର ପ୍ରଭାବ ଟିମ୍‌ର ପ୍ରଦର୍ଶନ ଉପରେ ପଡ଼ିଥିଲା । ଯେହେତୁ ରୋହିତ ଟିମ୍‌ର ଅଧିନାୟକ ଥିଲେ, ସେ ଅଧିକ ସମାଲୋଚିତ ହୋଇଥିଲେ । 

ଏହାର ସଙ୍କେତ ମିଳୁଥିଲା ଯେ ଆଗକୁ ତାଙ୍କ ଠାରୁ ଟେଷ୍ଟ ଅଧିନାୟକତ୍ୱ ଛଡ଼ାଇ ନିଆଯାଇପାରେ । ଏପରିକି ଭଲ ବ୍ୟାଟିଂ କରୁ ନ ଥିବାରୁ ଟିମ୍‌ରେ ତାଙ୍କ ସ୍ଥାନ ବି ଅସୁରକ୍ଷିତ ମନେ ହେଉଥିଲା । ତେଣୁ ରୋହିତ ଅଚାନକ କ୍ରିକେଟ୍‌ର ସବୁଠାରୁ ଲମ୍ବା ଫର୍ମାଟ୍ ଛାଡ଼ିଥିଲେ ବି ତାହା ଅପ୍ରତ୍ୟାଶିତ ନ ଥିଲା । 

କିନ୍ତୁ ଟେଷ୍ଟରୁ ବିରାଟଙ୍କ ଅବସର ଘୋଷଣା ଥିଲା ଅପ୍ରତ୍ୟାଶିତ । ଏହାର କାରଣ ତାଙ୍କ ଟେଷ୍ଟ ରେକର୍ଡ ରୋହିତ ଠାରୁ ଯଥେଷ୍ଟ ଉନ୍ନତ । ସେ ଟେଷ୍ଟ କ୍ରିକେଟ୍ ଇତିହାସର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଭାବେ ପରିଚିତ, ଯାହାଙ୍କ ନାମରେ ୯୦୦୦ରୁ ଅଧିକ ରନ୍ ରହିଛି । ୩୬ବର୍ଷୀୟ ବିରାଟ ଆଉ କିଛି ବର୍ଷ ଟେଷ୍ଟ ଖେଳିବେ ବୋଲି ଅନେକେ ଭାବୁଥିଲେ । ତାଙ୍କ ପୂର୍ବବର୍ତ୍ତୀ ସଚିନ ତେନ୍ଦୁଲକର ୪୦ ବର୍ଷ ଧରି ଟେଷ୍ଟ କ୍ରିକେଟ୍ ଖେଳିଥିଲେ । 

ଏବେ ବିରାଟଙ୍କ ଟେଷ୍ଟ ପ୍ରଦର୍ଶନରେ ନିରନ୍ତରତା ରହୁ ନ ଥିଲେ ବି ସେ ଟିମ୍‌ର ଅନ୍ୟତମ ଫିଟ୍ ଖେଳାଳି ଥିଲେ । ତାଙ୍କ ଉପସ୍ଥିତି ମଧ୍ୟ ଟିମ୍‌ରେ ଉତ୍ସାହ ଭରିଦିଏ । ଅବଶ୍ୟ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାର ବିଚାର ଉଭୟ ରୋହିତ ଓ ବିରାଟଙ୍କ ଟେଷ୍ଟରୁ ଅବସର ନେବା ପଛର ଅନ୍ୟତମ କାରଣ ହୋଇଥାଇପାରେ ।

ବିରାଟ ଟେଷ୍ଟରୁ ଅବସର ନେବା ପରେ ଟିମ୍‌ର ଚତୁର୍ଥ ସ୍ଥାନ ଶୂନ୍ୟ ହୋଇଯାଇଛି । ସାଢ଼େ ତିନି ଦଶନ୍ଧି ଧରି କେବଳ ଦୁଇ ଜଣ - ପ୍ରଥମେ ସଚିନ ଓ ଏହାପରେ ବିରାଟ ଏହି ସ୍ଥାନରେ ତିଷ୍ଠି ରହିଥିଲେ । ଜୁ୍‌ନ୍‌-ଜୁଲାଇରେ ହେବାକୁ ଥିବା ଇଂଲଣ୍ଡ ଗସ୍ତରେ ଟିମ୍‌ର ଚତୁର୍ଥ ସ୍ଥାନରେ ବିରାଟଙ୍କ ବିକଳ୍ପ ଖେଳାଳିଙ୍କ ଏଣ୍ଟ୍ରୀ ହେବ । ଏବେ ପ୍ରଶ୍ନ ଉଠୁଛି ଯେ କିଏ ହେବେ ବିରାଟଙ୍କ ବିକଳ୍ପ, ଯିଏ ଏହି ସ୍ଥାନ ପାଇଁ ଫିଟ୍ ହେବେ?

ଶ୍ରେୟାସ ନେବେ କି ବିରାଟଙ୍କ ସ୍ଥାନ

ଟେଷ୍ଟରେ ବିରାଟଙ୍କ ସ୍ଥାନ ନେବା ପାଇଁ ଶ୍ରେୟସ ଆୟର ସବୁଠାରୁ ମଜଭୁତ ଦାବିଦାର ବୋଲି କୁହାଯାଉଛି । ଭାରତ ପକ୍ଷରୁ ସେ ତିନି ଫର୍ମାଟ୍‌ରେ ପଦାର୍ପଣ କରିସାରିଛନ୍ତି । ଦିନିକିଆ ଟିମ୍‌ରେ ସେ ନିଜ ସ୍ଥାନ ସୁରକ୍ଷିତ କରିପାରିଛନ୍ତି, କିନ୍ତୁ ଟେଷ୍ଟରେ ଆଶାଜନକ ପ୍ରଦର୍ଶନ କରି ନ ପାରିବାରୁ ଟିମ୍‌ରୁ ବାହାରେ ଅଛନ୍ତି । 

୩୦ବର୍ଷୀୟ ଶ୍ରେୟସ ଏ ଯାବତ ୧୪ ଟେଷ୍ଟ ମ୍ୟାଚ୍ ଖେଳି ଗୋଟିଏ ଶତକ ଓ ପାଞ୍ଚ ଅର୍ଦ୍ଧଶତକ ସହାୟତାରେ ୮୧୧ ରନ୍ ହାସଲ କରିଛନ୍ତି । ଏହାଛଡ଼ା ପ୍ରଥମ-ଶ୍ରେଣୀ କ୍ରିକେଟ୍‌ରେ ସେ ୮୧ ମ୍ୟାଚ୍ ଖେଳି ୪୮.୫୭ ଆଭରେଜ୍‌ରେ ୬୩୬୩ ରନ୍ କରିଛନ୍ତି, ଯେଉଁଥିରେ ତାଙ୍କ ନାମରେ ୧୫ ଶତକ ରହିଛି । ଏବେ ସେ ଭଲ ଫର୍ମରେ ବି ଅଛନ୍ତି । 

କରୁଣ ଓ ସରଫରାଜ ବି ଦୌଡ଼ରେ

ବିରାଟଙ୍କ ସ୍ଥାନ ନେବା ଦୌଡ଼ରେ ଆଉ ଦୁଇ ଜଣ - କରୁଣ ନାୟର ଓ ସରଫରାଜ ଖାନ୍ ବି ଅଛନ୍ତି । ଏହି ତାଲିକାରେ ଧ୍ରୁବ ଜୁରେଲ୍ ଓ ସାଇ ସୁଦର୍ଶନଙ୍କ ନାମକୁ ବି ଯୋଡ଼ା ଯାଉଛି ।
କରୁଣ ପୂର୍ବ ରଣଜୀ ସିଜନ୍‌ରେ ନିଜ ପ୍ରଦର୍ଶନ ଜରିଆରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ସେ ୧୬ ଇନିଂସ୍‌ରେ ୮୬୩ ରନ୍ କରିବା ସହ ବିଦର୍ଭକୁ ଚାମ୍ପିଅନ୍ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେ ବିଜୟ ହଜାରେ ଟ୍ରଫିରେ ବି ଭଲ ପ୍ରଦର୍ଶନ କରିଥିଲେ । 

ପୂର୍ବରୁ ସେ ଭାରତ ପକ୍ଷରୁ ଖେଳିସାରିଛନ୍ତି । ଭାରତ ପରବର୍ତ୍ତୀ ଟେଷ୍ଟ ସିରିଜ୍ ଇଂଲଣ୍ଡରେ ଖେଳିବ । ସେଠାରେ ତାଙ୍କର ଖେଳିବାର ଅଭିଜ୍ଞତା ବି ରହିଛି । ସେ ବିରାଟଙ୍କର ଜଣେ ଭଲ ବିକଳ୍ପ ହୋଇପାରିବେ । ୩୩ବର୍ଷୀୟ କରୁଣ ଏ ଯାବତ ୬ ଟେଷ୍ଟ ଖେଳି ୬୨.୩୩ ଆଭରେଜ୍‌ରେ ୩୭୪ ରନ୍ କରିଛନ୍ତି, ଯେଉଁଥିରେ ଗୋଟିଏ ତ୍ରିଶତକ ରହିଛି । ତେବେ ୨୦୧୭ ପରଠାରୁ ସେ ଟେଷ୍ଟ ଟିମ୍‌ରେ ସୁଯୋଗ ପାଇ ନାହାନ୍ତି । 

ପ୍ରଥମ-ଶ୍ରେଣୀ କ୍ରିକେଟ୍‌ରେ ସେ ୧୧୪ ମ୍ୟାଚ୍ ଖେଳି ୪୯.୧୬ ଆଭରେଜ୍‌ରେ ୮,୨୧୧ ରନ୍ କରିଛନ୍ତି । ଏଥିରେ ୨୫ ଶତକ ରହିଛି । ଏହି ଫର୍ମାଟ୍‌ରେ ସେ ନିରନ୍ତର ଭଲ ପ୍ରଦର୍ଶନ କରୁଛନ୍ତି ।ସେହିପରି ଦୌଡ଼ରେ ଥିବା ସରଫରାଜ ଏ ଯାବତ ୬ ଟେଷ୍ଟ ଖେଳି ୩୭୧ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ତିନି ଅର୍ଦ୍ଧଶତକ ରହିଛି । ସେ ଗତ ବର୍ଷ ଭାରତ ପକ୍ଷରୁ ଟେଷ୍ଟ ଡେବ୍ୟୁ କରିଥିଲେ ଏବଂ ନିଜ ପଦାର୍ପଣ ଟେଷ୍ଟର ଉଭୟ ଇନିଂସ୍‌ରେ ଅର୍ଦ୍ଧଶତକ ଲଗାଇଥିଲେ ।

ତେବେ ଅଷ୍ଟ୍ରେଲିଆ ଗସ୍ତରେ ତାଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ମିଳି ନ ଥିଲା । ୨୭ବର୍ଷୀୟ ସରଫରାଜ୍ ପ୍ରଥମ-ଶ୍ରେଣୀ କ୍ରିକେଟ୍‌ରେ ୫୪ ମ୍ୟାଚ୍‌ରେ ୬୫.୬୧ ଆଭରେଜ୍‌ରେ ୪୫୯୩ ରନ୍ ସଂଗ୍ରହ କରିଛନ୍ତି । ସେ ଘରୋଇ ପିଚ୍‌ର ଜଣେ ଭଲ ଖେଳାଳି, ହେଲେ ବିଦେଶରେ ସେ ଟେଷ୍ଟ କ୍ରିକେଟ୍‌ରେ ବିରାଟଙ୍କ ବିକଳ୍ପ ହୋଇପାରିବେ ବୋଲି ଦୃଢ଼ ଭାବେ କୁହାଯାଇପାରିବ ନାହିଁ ।

Virat Kohli Test Match Indian Cricket
Advertisment
Advertisment