• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୀପାବଳି ପୂର୍ବରୁ ସାରା ଭାରତରେ ଦୀପାବଳି । ଟି-ଟ୍ୱେଣ୍ଟି ବିଶ୍ୱକପର ହାଇଭୋଲଟେଜ୍ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଟିମ୍ ଇଣ୍ଡିଆ ଦେଶବସୀଙ୍କୁ ଏହି ଆଗୁଆ ଦୀପାବଳି ଉପହାର ଦେଇଛି । ଆତସବାଜିରେ ଗର୍ଜ୍ଜିଛି ଆକାଶ । ମେଲବର୍ଣ୍ଣରେ ପାକିସ୍ତାନକୁ ୪ ଓ୍ୱିକେଟରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ରୋହିତ ବାହିନୀ । ଏହା ସହିତ ଗତ ବିଶ୍ୱକପର ପ୍ରତିଶୋଧ ନେଇଛନ୍ତି କିଙ୍ଗ୍ କୋହଲି ।

ପୁଣି ଥରେ ପ୍ରମାଣିତ କରିଛନ୍ତି ସେ ବଡ଼ ମ୍ୟାଚର ବିରାଟ ପ୍ଲେୟାର । ଧୂଆଁଧାର ଇନିଂସ ପାଇଁ ସେ ମ୍ୟାନ ଅଫ୍ ଦି ମ୍ୟାଚ ହୋଇଛନ୍ତି । ତେବେ ମ୍ୟାଚ୍‌ ଜିତିବା ପରେ କୋହଲି ଏତେ ଭାବପ୍ରବଣ ହୋଇପଡ଼ିଥିଲେ ଯେ, ନିଜ ଆଖିର ଲୁହକୁ ରୋକି ପାରିନଥିଲେ । ବିରାଟ କୋହଲିଙ୍କୁ ଏଭଳି ଅନ୍ଦାଜ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ।  ଐତିହାସିକ ବିଜୟ ପରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କର ଏକ ବିଶେଷ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା । ଯେତେବେଳେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟଙ୍କୁ କୋଳରେ ଉଠାଇ ନେଇଥିଲେ।

ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪ ଓ୍ୱିକେଟରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ବେଶ୍ ରୋମାଞ୍ଚକର ଥିଲା ଏହି ମ୍ୟାଚ୍ । ବିଶେଷ କରି ଶେଷ ଓଭର ମ୍ୟାଚ୍ ଜିତିବା ଲାଗି ଏହି ଓଭରରେ ଭାତରକୁ ଦରକାର ଥିଲା ୧୬ ରନ୍ । ୧୬୦ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଟିମ୍ ଇଣ୍ଡିଆ ୧୯ ଓଭର ସୁଦ୍ଧା କରିଥିଲା ୧୪୪ ରନ୍ । ଶେଷ ଓଭରରେ ପାକିସ୍ତାନ ତରଫରୁ ବୋଲିଂ କରିବାକୁ ଆସିଥିଲେ ମହମ୍ମଦ ନଓ୍ୱାଜ । କ୍ରିଜରେ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ବିରାଟ କୋହଲି ।

ହେଲେ ପ୍ରଥମ ବଲରେ ହାର୍ଦ୍ଦିକ ଆଉଟ୍ ହୋଇ ଯାଇଥିଲା । ଫିନିସର ଦିନେଶ କାର୍ତ୍ତିକ କ୍ରିଜକୁ ଆସିଥିବାରୁ ଭାରତର ବିଜୟ ଆଶା ତଥାପି ଉଜ୍ଜୀବିତ ଥିଲା । ଓଭରର ଚତୁର୍ଥ ବଲରେ ବିରାଟ କୋହଲିଙ୍କ ଛକ୍କା ବଦଳାଇ ଦେଲା ମ୍ୟାଚର ମୋଡ଼ । ତାହା ପୁଣି ନୋ ବଲ୍ । ଏହା ପରର ସ୍ଥିତି, ଟିମ୍ ଇଣ୍ଡିଆକୁ ବିଜୟ ପାଇଁ ଦରକାର ୩ ବଲରେ ୬ ରନ୍ । ତା ପରେ ୨ ବଲରେ ଦରକାର ୨ ରନ୍ । ହେଲେ ପଞ୍ଚମ ବଲରେ ଆଉଟ୍ ହୋଇଗଲେ କାର୍ତ୍ତିକ । ସମସ୍ତଙ୍କ ଛାତି ଧଡ୍ ଧଡ୍ . କ୍ରିଜକୁ ଆସିଲେ ଆର୍ ଅଶ୍ୱିନ । ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ଦରକାର ମାତ୍ର ୨ ରନ୍, ହେଲେ ପରବର୍ତ୍ତୀ ବଲ୍ ହେଲା ଓ୍ୱାଇଡ୍ । ମ୍ୟାଚ ଟାଇ ସ୍ଥିତିରେ । ଶେଷ ବଲରେ ଗୋଟିଏ ରନ୍ ନେଲେ ଆର୍ ଅଶ୍ୱିନ ଏବଂ ଏହା ସହିତ ଟିମ୍ ଇଣ୍ଡିଆ ହାସଲ କଲା ରୋମାଞ୍ଚକର ବିଜୟ ।

ଏହା ପୂର୍ବରୁ ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଫେଲ୍ ମାରିଥିଲେ ରାହୁଲ, ରୋହିତ ଓ ସୂର୍ଯ୍ୟକୁମାର ଯାଦବ । ଅକ୍ଷର ପଟେଲଙ୍କୁ ୫ ନମ୍ବରରେ ପଠାଇବା ମଧ୍ୟ ଫେଲ୍ ମାରିଥିଲା । ପ୍ରଥମ ୧୦ ଓଭରରେ ମାତ୍ର ୪୫ ରନ୍ କରିପାରିଥିଲା ଭାରତ । ତେବେ ଗୋଟିଏ ପଟେ ଇଂନିଂସ ସମ୍ଭାଳି ଥିଲେ ବିରାଟ କୋହଲି । ହାର୍ଦ୍ଦିକ ପାଣ୍ଡ୍ୟା ଆସିବା ପରେ ଉଭୟେ ପ୍ରଥମେ ସତର୍କତାର ସହିତ ଖେଳିବା ପରେ ଟିମକୁ ବିଜୟର ଦ୍ୱାର ଦେଶରେ ପହଞ୍ଚାଇଥଲେ ।

ଶେଷ ଦୁଇ ଓଭରରେ ଭାରତରୁ ଦରକରା ଥିଲା ୩୧ ରନ୍ । ୧୯ ତମ ଓଭରର ଶେଷ ଦୁଇଟି ବଲରେ ବିରାଟ କୋହଲି ୨ଟି ଛକ୍କା ମାରିବା ପରେ ଭାରତ ଜିତିବ ବୋଲି ଆଶା ଉଜ୍ଜ୍ୱଳ ହୋଇଥିଲା । ପରେ ୨୦ତମ ଓଭରରେ ଯାହା ହେଲା, ତାହା ଏହି ମ୍ୟାଚକୁ କରିଛି ସ୍ମରଣୀୟ । ବିରାଟ କୋହଲି ନଟ୍ ଆଉଟ୍ ୮୨ ରନ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ୍ କରିଛନ୍ତି । ବିରାଟ ମ୍ୟାଚରେ ବିରାଟ ପ୍ରଦର୍ଶନ କରି କୋହଲି ଫର୍ମକୁ ଫେରିଥିବାର ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି ।

ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିଥିଲା । ପାକିସ୍ତାନ ୨୦ ଓଭରରେ ୮ ଓ୍ୱିକେଟ ହରାଇ କରିଥିଲା ୧୫୯ ରନ୍ ଅର୍ଶଦୀପ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଲେଖାଏଁ ଓ୍ୱିକେଟ ନେଇଥିଲେ ।

ଇଣ୍ଡିଆ-ପାକିସ୍ତାନ ମଧ୍ୟରେ ଏହି ହାଇଭୋଲଟଜ୍ ମ୍ୟାଚକୁ ନେଇ ମେଲବର୍ଣ୍ଣରେ ଦେଖାଦେଇଥିଲା ନାହିଁ ନଥିବା ଉତ୍ସାହ । ଷ୍ଟାଡିୟମରେ ଥିଲେ ୯୦ ହଜାରରୁ ଅଧିକ ଦର୍ଶକ । ଲାଗୁଥିଲା ଏହା ଅଷ୍ଟ୍ରେଲିଆ ନୁହଁ, ବରଂ ଭାରତର କୌଣସି ସିଟିରେ ହେଉଛି ମ୍ୟାଚ୍ । ଭାରତର ପରବର୍ତ୍ତୀ ମ୍ୟାଚ ଆସନ୍ତା ୨୭ ତାରିଖରେ ନେଦରଲାଣ୍ଡସ୍ ବିପକ୍ଷରେ ଖେଳିବ ।