• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଟୋକିଓ ଅଲିମ୍ପିକ୍ସରେ ବଢିଛି ଭାରତର ପଦକ ଆଶା ।

  • ପଦକ ହାତେଇବାକୁ ଆଉ ପାଦେ ଅଗେଇଲେ ପି.ଭି ସିନ୍ଧୁ । 

  • ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସ ବର୍ଗରେ ସେ ସେମିଫାଇନାଲ୍‌ରେ ସ୍ଥାନ ଅକ୍ତିଆର କରିଛନ୍ତି ।

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବଢିଛି ଭାରତର ପଦକ ଆଶା । ପଦକ ହାତେଇବାକୁ ଆଉ ପାଦେ ଅଗେଇଲେ ପି.ଭି ସିନ୍ଧୁ । ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସ ବର୍ଗରେ ସେ ସେମିଫାଇନାଲ୍‌ରେ ସ୍ଥାନ ଅକ୍ତିଆର କରିଛନ୍ତି । ତେବେ ପିଭି ସିନ୍ଧୁ ସେମିରେ ପହଞ୍ଚିବା ପରେ ଭାରତର ପଦକ ଆଶା ପୁଣି ଥରେ ଉଜ୍ଜୀବିତ ହୋଇଛି । କ୍ୱାର୍ଟରଫାଇନାଲର ବିଶ୍ୱର ୫ ନମ୍ବର ମାନ୍ୟତା ପ୍ରାପ୍ତ ଖେଳାଳି ଜାପାନର ଏ. ୟାମାଗୁଚିଙ୍କୁ ସିଧାସଳଖ ୨୧-୧୩, ୨୨-୨୦ରେ ହରାଇଲେ ଭାରତର ପିଭି ସିନ୍ଧୁ । ଏହା ପୂର୍ବରୁ ସେ ଡେନମାର୍କର ମିଆ ବ୍ଲିଚଫେଲ୍ଟକୁ ସିଧାସଳଖ ୨୧-୧୫, ୨୧-୧୩ରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ । ଗତ ରିଓ ଅଲିମ୍ପିକ୍ସରେ ସିନ୍ଧୁ ଭାରତ ପାଇଁ ରୌପ୍ୟ ପଦକ ଆଣିଥିଲେ । ତେଣୁ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ପୁଣିଥରେ ତାଙ୍କ ଠାରୁ ପଦକ ଆଶା ରଖିଛି ଭାରତ ।

ଏପଟେ ସିନ୍ଧୁ ଭାରତର ପଦକ ଆଶା ଉଜ୍ଜୀବିତ କରିଥିବା ବେଳେ ସେପଟେ ଓଡ଼ିଆ ଦୌଡ଼ରାଣୀ ଦୂତି କିନ୍ତୁ ନିରାଶ କରିଛନ୍ତି । ଶହେ ମିଟର ଦୌଡ଼ରେ ନିରାଶ କରିଛନ୍ତି ଦୂତି ଚାନ୍ଦ । ପ୍ରଥମ ରାଉଣ୍ଡରୁ ହିଁ ସେ ବିଦାୟ ନେଇଛନ୍ତି । ୧୦୦ ମିଟର ହିଟ୍ସରେ ସେ ସପ୍ତମ ସ୍ଥାନରେ ରହିଥିଲେ । ଏପରିକି ସେ ନିଜର ରେକର୍ଡରେ ମଧ୍ୟ ଉନ୍ନତି ଆଣିପାରି ନାହାନ୍ତି । ହିଟ୍ସରେ ଦୂତିଙ୍କ ଟାଇମିଂ ଥିଲା ୧୧ ଦଶମିକ ୫୪ ସେକେଣ୍ଡ । ତାଙ୍କର ନିଜ ରେକର୍ଡ ରହିଛି ୧୧ ଦଶମିକ ୧.୭ ସେକେଣ୍ଡ, ଯାହାକି ଜାତୀୟ ରେକର୍ଡ ।

ତେବେ ଶହେ ମିଟରରେ ଦୂତି ନିରାଶ କରିବା ପରେ ଏବେ ୨୦୦ ମିଟର ଉପରେ ସମସ୍ତଙ୍କ ନଜର । ଦେଶର ଏକମାତ୍ର ଆଥଲେଟ୍‌ ଭାବେ ଦୁଇଟି ଇଭେଣ୍ଟରେ ସେ ଭାଗ ନେବାର ସୁଯୋଗ ପାଇଛନ୍ତି ।

ସେପଟେ, ଟୋକିଓ ଅଲମ୍ପିକ୍ସରେ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି ଭାରତୀୟ ମହିଳା ବକ୍ସର ଲଭଲିନା ବୋରଗୋହେନ (Lovlina Borgohain)। ଲଭଲିନା ମହିଳା ୬୪ରୁ ୬୯ କେଜି ବର୍ଗରେ ସେମିକୁ ଉନ୍ନୀତ ହୋଇଛନ୍ତି । କ୍ୱାର୍ଟର ଫାଇନଲରେ ଚାଇନିଜ ତାଇପେଇର ନିଏନ ଚିନ୍ ଚେନଙ୍କୁ ହରାଇ ସେ ସେମିକୁ ଯାଇଛନ୍ତି । ବକ୍ସିଂରେ ଲଭଲିନା ସେମିକୁ ଉନ୍ନୀତ ହେବା ସହ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛନ୍ତି । ଲଭଲିନା ପ୍ରଥମଥର ପାଇଁ ଅଲମ୍ପିକ୍ସରେ ଭାଗ ନେଇଛନ୍ତି ।

ସେ କ୍ୱାର୍ଟର ଫାଇନାଲରେ ତାଇପେଇର ନିଏନ ଚିନ୍ ଚେନଙ୍କୁ ୩-୨ରେ ହରାଇଥିଲେ । ଲଭଲିନା ପୂର୍ବରୁ ବୋରଗୋହେନ ବିଶ୍ୱ ଚାମ୍ପିୟାନସିପରେ ୨ଟି ଏବଂ ଏସିଆ ଚାମ୍ପିଅନସିପ୍‌ରେ ଗୋଟିଏ କାଂସ୍ୟ ପଦକ ଜିତିଥିଲେ ।