/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755167807.jpg)
Mohammed Siraj
ମହମ୍ମଦ ସିରାଜ ଟିମ୍ ଇଣ୍ଡିଆର ଜଣେ ଏଭଳି ଯୋଦ୍ଧା, ଯିଏ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ପରାଜୟ ସ୍ୱୀକାର କରନ୍ତି ନାହିଁ । ଜଣେ ପ୍ରକୃତ ଯୋଦ୍ଧା ଭଳି ସେ ସବୁ ପରିସ୍ଥିତିରେ ଲଢ଼ିଥା’ନ୍ତି ।
ନିଜର ନିଷ୍ଠା ଓ ଲଢ଼ୁଆ ପ୍ରଦର୍ଶନ ବଳରେ ସେ ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍କୁ ବରାବର କରାଇବାରେ ଟିମ୍ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ତାଙ୍କ ବୋଲିଂରେ ସେହି ଧାର ଅଛି, ଯାହା ଟିମ୍କୁ ଲକ୍ଷ୍ୟସ୍ଥଳ ଆଡ଼କୁ ନେଇଯାଏ । ତାଙ୍କ ସାମର୍ଥ୍ୟ ଓ ଆତ୍ମବିଶ୍ୱାସ ଅନ୍ୟ ବୋଲର୍ମାନଙ୍କୁ ପ୍ରେରିତ କରିଥାଏ ।
ଆଣ୍ଡରସନ-ତେନ୍ଦୁଲକର ଟ୍ରଫିରେ ଉଲ୍ଲେଖନୀୟ ପ୍ରଦର୍ଶନ
ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫି ଟେଷ୍ଟ ସିରିଜ୍ରେ ପେସର୍ ସିରାଜ ସର୍ବାଧିକ ୨୩ ୱିକେଟ୍ ଅକ୍ତିଆର କରିଥିଲେ । ବିଶେଷକରି ଯଶପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ସେ ପେସ୍ ଆକ୍ରମଣର ନେତୃତ୍ୱ ନେଇଥିଲେ ।
ପଞ୍ଚମ ତଥା ଶେଷ ଟେଷ୍ଟରେ ସେ ପ୍ରଭାବଶାଳୀ ବୋଲିଂ ବଳରେ ଟିମ୍କୁ ଜିତାଇଥିଲେ । ସେ ମ୍ୟାଚ୍ରେ ମୋଟ୍ ୯ ୱିକେଟ୍ ନେଇଥିଲେ । କାର୍ଯ୍ୟଭାର ପରିଚାଳନା ଦୃଷ୍ଟିରୁ ବୁମ୍ରାଙ୍କୁ ଏହି ଟେଷ୍ଟରୁ ବିଶ୍ରାମ ଦିଆଯାଇଥିଲା ।
ସିରାଜ ସିରିଜ୍ରେ ଦୁଇ ଥର ୫ ୱିକେଟ୍ ନେଇଥିଲେ । ସେ ସବୁ ମ୍ୟାଚ୍ ଖେଳିବା ସହ ସର୍ବାଧିକ ଓଭର୍ ବୋଲିଂ କରିଥିଲେ ।
ତେବେ ସିରିଜ୍ରେ ତାଙ୍କ ଯାତ୍ରା ସେତେ ସହଜ ନ ଥିଲା । ବେଳେବେଳେ ତାଙ୍କୁ ନିଜ ଭାଗ୍ୟ ସହ ବି ଲଢ଼ିବାକୁ ପଡ଼ିଥିଲା । ଲର୍ଡ୍ସରେ ଆୟୋଜିତ ତୃତୀୟ ଟେଷ୍ଟରେ ଭାରତ ଆଗରେ ମ୍ୟାଚ୍ ବଞ୍ଚାଇବାର ଚାଲେଞ୍ଜ୍ ଥିଲା । ମ୍ୟାଚ୍ର ଅନ୍ତିମ ଦିନ ରବୀନ୍ଦ୍ର ଜାଡ଼େଜା, ସିରାଜଙ୍କୁ ପ୍ରତି ବଲ୍ରେ ଡିଫେନ୍ସ କରିବାର ଦାୟିତ୍ୱ ଦେଇଥିଲେ ।
ସିରାଜ ୮୦ ବଲ୍ ଯାଏଁ ଜାଡ଼େଜାଙ୍କ ସାଥ୍ ଦେଇଥିଲେ ଏବଂ ନିଜେ ୩୦ ବଲ୍ ବି ଖେଳିଥିଲେ, ହେଲେ ସେ ନିଜ ଭାଗ୍ୟ ଠାରୁ ହାରିଯାଇଥିଲେ । ସେ ଆଉଟ୍ ହେବା ସହିତ ଭାରତ ୨୨ ରନ୍ ବ୍ୟବଧାନରେ ମ୍ୟାଚ୍ ହାରିଯାଇଥିଲା ।
ଦ ଓଭାଲ୍ରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟ ଭାରତ ପାଇଁ ‘କର ବା ମର’ ସଦୃଶ ଥିଲା । ମ୍ୟାଚ୍ର ଚତୁର୍ଥ ଦିନ ସେ ହାରୀ ବ୍ରୁକ୍ଙ୍କ କ୍ୟାଚ୍ ଧରିଥିଲେ, ହେଲେ ତାଙ୍କ ପାଦ ବାଉଣ୍ଡ୍ରୀ ଲାଇନ୍କୁ ଛୁଇଁଦେଇଥିଲା । ବ୍ରୁକ୍ ସେହି (ଦ୍ୱିତୀୟ) ଇନିଂସ୍ରେ ଶତକ ହାସଲ କରିଥିଲେ ଏବଂ ସିରାଜ ଭିଲେନ୍ ପାଲଟି ଯାଇଥିଲେ ।
କିନ୍ତୁ ପଞ୍ଚମ ତଥା ଶେଷ ଦିନ ସିରାଜ ହିରୋ ଭୂମିକା ନିର୍ବାହ କରିଥିଲେ । ବିଜୟପଥରେ ଥିବା ଇଂଲଣ୍ଡକୁ ମ୍ୟାଚ୍ ହାତେଇବା ପାଇଁ ମାତ୍ର ୩୫ ରନ୍ ଆବଶ୍ୟକ ଥିଲା ଏବଂ ହାତରେ ଥିଲା ୪ ୱିକେଟ୍ । କିନ୍ତୁ ଆୟୋଜକ ଟିମ୍ ୨୮ ରନ୍ ମଧ୍ୟରେ ଅବଶିଷ୍ଟ ୱିକେଟ୍ ହରାଇଥିଲା । ସେଥିମଧ୍ୟରୁ ସିରାଜ ୩ ୱିକେଟ୍ ପାଇଥିଲେ ।
ସେ କ୍ଲାନ୍ତି ସତ୍ତ୍ୱେ ଇଂଲଣ୍ଡର ଦ୍ୱିତୀୟ ଇନିଂସ୍ରେ ବୋଲିଂ ଜାରି ରଖିଥିଲେ ଏବଂ ସେତେବେଳ ଯାଏଁ ବୋଲିଂ କରିଥିଲେ, ଯେତେବେଳ ଯାଏଁ ଇଂଲଣ୍ଡର ୧୦ମ ୱିକେଟ୍ ନ ପଡ଼ିଛି । ଏବେ ଟେଷ୍ଟ ଟିମ୍ରେ କେହି ତାଙ୍କ ସ୍ଥାନ ଛଡ଼ାଇ ନେଇପାରିବେନି ।
ଏସିଆ କପ୍ ଟିମ୍ରେ ପାଇବେ କି ସ୍ଥାନ ?
ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ସେପ୍ଟେମ୍ବର ୯ରୁ ଏସିଆ କପ୍ ଆରମ୍ଭ ହେବ । ଏଥର ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟ୍ରେ ଖେଳାଯିବ । ଟିମ୍ ଇଣ୍ଡିଆ ଲିଗ୍ ପର୍ଯ୍ୟାୟରେ ୧୦ରେ ୟୁଏଇ, ୧୪ରେ ପାକିସ୍ତାନ ଓ ୧୯ରେ ଓମାନ୍ ବିପକ୍ଷରେ ଖେଳିବ ।
ଚର୍ଚ୍ଚା ହେଉଛି ଯେ ଏସିଆ କପ୍ ପାଇଁ ଭାରତୀୟ ଟି-୨୦ ଟିମ୍କୁ କେତେକ ପୁରୁଣା ଖେଳାଳି ପ୍ରତ୍ୟାବର୍ତ୍ତନ କରିପାରନ୍ତି । ସେଥିମଧ୍ୟରେ ମହମ୍ମଦ ସିରାଜଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ସେ ଶେଷ ଥର ୨୦୨୪ ଜୁଲାଇ ୩୦ରେ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ମ୍ୟାଚ୍ ଖେଳିଥିଲେ ।
୩୧ବର୍ଷୀୟ ସିରାଜ ତିନି ଫର୍ମାଟ୍ରେ ଖେଳୁଛନ୍ତି । ଟେଷ୍ଟ ଓ ଦିନିକିଆ ଆନ୍ତର୍ଜାତିକରେ ସେ ଟିମ୍ର ଅଭିନ୍ନ ଅଙ୍ଗ ହୋଇସାରିଲେଣି, ହେଲେ ଟି-୨୦ ଆନ୍ତର୍ଜାତିକରେ ତାଙ୍କ ପ୍ରଦର୍ଶନ ସେତେ ଉଲ୍ଲେଖନୀୟ ନୁହେଁ । ସେ ବେଶୀ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ବି ଖେଳି ନାହାନ୍ତି । ସେ ଟିମ୍ ପକ୍ଷରୁ ୧୬ ଟି-୨୦ ମ୍ୟାଚ୍ ଖେଳି ୧୪ ୱିକେଟ୍ ନେଇଛନ୍ତି ।
ଏହାସତ୍ତ୍ୱେ ସିରାଜ ଏସିଆ କପ୍ ଟିମ୍ରେ ସ୍ଥାନ ପାଇବାର ସମ୍ଭାବନା ରହିଛି । ଏହାର କାରଣ ସେ ଏବେ ଜୋର୍ଦାର ଫର୍ମରେ ଅଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ସେ ତାଙ୍କ ଫର୍ମର ନମୁନା ଦେଖାଇ ସାରିଛନ୍ତି ।
ସେ ଏସିଆ କପ୍ ଖେଳିବା ଟିମ୍ ପାଇଁ ଲାଭଦାୟକ ହୋଇପାରେ । ମୁଖ୍ୟ ପେସର୍ ଯଶପ୍ରୀତ ବୁମ୍ରା ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ ପାଇଁ ଉପଲବ୍ଧ ହେବା ସ୍ଥଳେ ବୁମ୍ରା, ସିରାଜ ଓ ଅର୍ଶଦୀପ ସିଂହଙ୍କୁ ନେଇ ଗଠିତ ପେସ୍ ବାହିନୀ ବିପକ୍ଷ ବ୍ୟାଟର୍ଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରିବ ।
ବିସ୍ମିତ ହେଲେ ଡେଭିଡ୍ ଗାୱାର
ଆଣ୍ଡରସନ୍-ତେନ୍ଦୁଲକର ଟେଷ୍ଟ ସିରିଜ୍ରେ ସିରାଜଙ୍କ ପ୍ରଦର୍ଶନ ଦେଖି ଇଂଲଣ୍ଡର ପୂର୍ବତନ ଅଧିନାୟକ ଡେଭିଡ୍ ଗାୱାର ବି ବିସ୍ମିତ ହୋଇଛନ୍ତି । ସେ ଜାଣିବାକୁ ଚାହିଁଛନ୍ତି ଯେ ଏହି ଭାରତୀୟ ପେସର୍ କ’ଣ ଖାଆନ୍ତି?
ଗାୱାର କହିଛନ୍ତି, “ମୋତେ ଏହା ଜାଣି ଖୁସି ଲାଗିବ ଯେ ସିରାଜ କ’ଣ ଖାଆନ୍ତି ଓ କ’ଣ ପିଅନ୍ତି? କାରଣ ମୁଁ ସେସବୁ ଇଂଲଣ୍ଡ ବୋଲର୍ଙ୍କୁ ଦେବାକୁ ଚାହେଁ । ତାଙ୍କର ଗୋଟିଏ କଥା ମୋ ମନରେ ଅଟକିଯାଇଛି ଯେ ସେ ସମସ୍ତ ପାଞ୍ଚ ଟେଷ୍ଟ ଖେଳିଥିଲେ ଏବଂ ଆଦୌ କ୍ଲାନ୍ତ ହୋଇ ନ ଥିଲେ ।”
“ସେ ଇଂଲଣ୍ଡର ଦ୍ୱିତୀୟ ଇନିଂସ୍ (ପଞ୍ଚମ ଟେଷ୍ଟ)ରେ ୩୦ ଓଭର୍ ବୋଲିଂ କରିଥିଲେ, କାରଣ ସେହି ପରିସ୍ଥିତିରେ ସୀମର୍ଙ୍କ ଆବଶ୍ୟକତା ଥିଲା । ସେ କେବେ ପରାଜୟ ସ୍ୱୀକାର କରି ନ ଥିଲେ, ସେ କେବେ ଅଟକି ନ ଥିଲେ ।”
ନିଜର ବୋଲିଂ କୌଶଳ, ଲଢ଼ିବାର ମନୋବୃତ୍ତି ଓ ଟିମ୍ ପ୍ରତି ସମର୍ପଣ ଭାବ ଯୋଗୁଁ ଭାରତ ପାଇଁ ସେ ଆଜି ଗୁରୁତ୍ୱପୂର୍ଣ୍ଣ ଖେଳାଳି ହୋଇପାରିଛନ୍ତି । ତେବେ କ୍ୟାରିଅର୍କୁ ଦୀର୍ଘସ୍ଥାୟୀ କରିବା ପାଇଁ ତାଙ୍କୁ ନିଜ ପ୍ରଦର୍ଶନରେ ନିରନ୍ତରତା ରଖିବାକୁ ହେବ । ଏହା ସହିତ ଫିଟ୍ନେସ୍ ଉପରେ ବି ବିଶେଷ ଧ୍ୟାନ ଦେବା ଜରୁରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)